ବାଟ ହୁଡୁଛି ଶୌଚାଳୟ ଯୋଜନା

ଟିଟିଲାଗଡ଼ – କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଗ୍ରାମୀଣ ଯୋଜନାରେ ଗରିବ ପରିବାରଙ୍କ ପାଇଁ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ଚାଲିଛି। ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅକ୍ଟୋବର ୨, ୨୦୧୪ରେ ପ୍ରଣୟନ ଏହି ଯୋଜନାରେ ଦେଶରେ ଅଦ୍ୟାବଧି ୯,୬୦.୯୬,୩୨୧ଟି ପାଇଖାନା ନିର୍ମାଣ ସମ୍ପୁର୍ଣ୍ଣ ହୋଇଥିବା ଜଣାଯାଇଛି। ରାଜ୍ୟରେ ୮୪.୬୨ ପ୍ରତିଶତ ତଥା ଟିଟିଲାଗଡ ବ୍ଲକରେ ୭୨ ପ୍ରତିଶତ ତଥା ପ୍ରାୟ ୧୬ ହଜାରଟି ଶୌଚାଳୟ ନିର୍ମାଣ ସମ୍ପୁର୍ଣ୍ଣ ହୋଇଥିବା ଜଣାପଡିଛି। ହେଲେ ଗ୍ରାମବାସୀଙ୍କ ମଧ୍ୟରେ ପରିମଳ ସଚେତନତା ଅଭାବ ଯୋଗୁଁ ଯୋଜନାଟି ବାଟ ହୁଡିଥିବା ଅଭିଯୋଗ ହୋଇଛି। ଶୌଚାଳୟ ନିର୍ମାଣ ପାଇଁ ସରକାରିସ୍ତରରେ ୧୨ ହଜାର ଟଙ୍କାର ବ୍ୟବସ୍ଥା ରହିଥିବା ବେଳେ କେତେକ ସ୍ଥଳରେ ଲୋକେ ଆଗେଇ ଆସି ଯୋଜନାର ସୁଫଳ ପାଇଁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। ତେବେ କିଛି ସ୍ଥାନରେ ଯୋଜନା ପ୍ରତି ଲୋକଙ୍କ ଅନିଚ୍ଛା ନେଇ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକାଦାର ନିୟୋଜନ କରାଯାଇଛି। ଏଭଳିସ୍ଥଳେ ଗାଁଗଣ୍ଡାରେ କ୍ଷେତ ଆଡିବାଡିରେ ଯାହିଁତାହିଁ ଭାବରେ ଶୌଚାଳୟ ନିର୍ମାଣ ସମ୍ପୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ଅନାଗ୍ରହ ନେଇ ସେଗୁଡିକ ନିର୍ମାଣ ପରଠାରୁ ଅବ୍ୟବହୃତ ହୋଇଛି। ଅନେକ ସ୍ଥଳରେ ଠିକାଦାର ଅଧିକ ଲାଭ ଅର୍ଜନ ପାଇଁ ନିମ୍ନମାନର କାର୍ଯ୍ୟ ହୋଇ ଶୌଚାଳୟ ଦିନ କେଇଟା ନପୁରୁଣୁ ଭାଙ୍ଗିରୁଜି ପଡୁଛି। ଏପରିପ୍ରେକ୍ଷୀରେ ଗ୍ରାମାଂଚଳରେ ପରିମଲ ରକ୍ଷା ନେଇ ସରକାରଙ୍କ ପୁର୍ବ ବିଭିନ୍ନ ଯୋଜନା ଭଳି ଏହି ଯୋଜନା ମଧ୍ୟ ବାଟ ହୁଡୁଥିବା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏନେଇ ସରକାରିସ୍ତରରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ସହ ଶୌଚାଳୟ ଗୁଡିକର ବ୍ୟବହାର ନେଇ ଗୁରୁତ୍ୱାରୋପ କରିବାକୁ ମତପ୍ରକାଶ ପାଇଛି।

Comments are closed.