ବରଫ ତଳୁ ମିଳିଲା ୪୦ ହଜାର ବର୍ଷ ପୁରୁଣା ଗଧିଆ ମୁଣ୍ଡ

ମସ୍କୋ : ବୈଜ୍ଞାନିକମାନେ ରୁଷର ସାଇବେରିଆ ବରଫ ପାହାଡରୁ ହିମ ଯୁଗର ଏକ ଗଧିଆ ମୁଣ୍ଡ ଆବିଷ୍କାର କରିଛନ୍ତି। ଗଧିଆ ମୁଣ୍ଡରେ କେଶ ଓ ଦାନ୍ତ ସୁରକ୍ଷିତ ରହିଛି। ଏହି ଗଧିଆ ୪୦ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି। ଏହି ଗଧିଆ ମୁଣ୍ଡ ୧୬ ଇଞ୍ଚ ଲମ୍ବା ଅଟେ। ଅର୍ଥାତ ବର୍ତ୍ତମାନର ଗଧିଆ ମୁଣ୍ଡ (୯ରୁ ୧୧ ଇଞ୍ଚ)ଠାରୁ ଏହି ଗଧିଆ ମୁଣ୍ଡ ପ୍ରାୟ ଦୁଇ ଗୁଣ ବଡ଼ ଅଟେ।
ଆର୍କିଟିକ ସର୍କଲରେ ବୈଜ୍ଞାନିକ ପାୱେଲ ଏଫିମୋବ ଏହି ଗଧିଆ ମୁଣ୍ଡ ଆବିଷ୍କାର କରିଛନ୍ତି। ସେ କହିଛନ୍ତି ଯେ ଗଧିଆ ମୁଣ୍ଡ ଆଖପାଖରେ ଶରୀରର ଅନ୍ୟ ଅଂଶ (ଗଣ୍ଡି) ନାହିଁ। ଏଥିରୁ ଗଧିଆକୁ ଅନ୍ୟ କୌଣସି ଯନ୍ତୁ ଆକ୍ରମଣ କରି ମାରିଦେଇଥିବା ସନ୍ଦେହ କରାଯାଉଛି। କୁହାଯାଉଛି ରୁଷରେ ପ୍ରାୟ ୩୨ ହଜାର ବର୍ଷ ପୂର୍ବରୁ ମାନବ ଆସିଯାଇଥିଲେ। ରୁଷ ବୈଜ୍ଞାନିକ ଡାକ୍ତର ଆଲର୍ବଟ ପ୍ରୋତିପୋପୋଭ କହିଛନ୍ତି ଯେ ମିଳିଥିବା ଗଧିଆ ମୁଣ୍ଡ ତାଜା ପରି ଲାଗୁଛି। ଗଧିଆ ମୁଣ୍ଡକୁ ପରୀକ୍ଷାନିରୀକ୍ଷା କରି ଗଧିଆ ବିଷୟରେ ଅଧିକ ଜାଣିହେବ। ପରିବର୍ତ୍ତିତ ସମୟରେ ପଶୁ/ପକ୍ଷୀମାନେ କିଭଳି ନିଜକୁ ଖାପ ଖୁଆଇ ଆଗକୁ ବଢିଲେ, ତାହା ଏଥିରୁ ଜଣାପଡିବ ବୋଲି କୁହାଯାଉଛି। ରୁଷ ୱେବସାଇଟ ସାଇବେରିୟ।ନ ଟାଇମ୍ସ ଅନୁସାରେ ବୈଜ୍ଞାନିକମାନେ ଗଧିଆର ଡିଏନଏ ଯାଞ୍ଚ କରିବେ। ଏଥିରୁ ବର୍ତ୍ତମାନ ଯୁଗର ଗଧିଆ ଓ ତାର କ୍ରମ ବିକାଶ ବିଷୟରେ ଅଧିକ ଜାଣିହେବ।

Comments are closed.