ବଜ୍ରପାତ ଓ ଦୁର୍ଘଟଣାରେ ୨ମୃତ

0

ପଣ୍ଡାପଡ଼ା/ବାଂଶପାଳ/ହରିଚନ୍ଦନପୁର : ଦୁଇଟି ପୃଥକ ଘଟଣାରେ ୨ଜଣ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ପ୍ରଥମ ଘଟଣାୋର ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ କମାନାଳୀ ଗ୍ରାମର ଭୈରବ ମୁଣ୍ଡାଙ୍କ ଝିଅ ସାବିତ୍ରୀ ମୁଣ୍ଡା(୧୭) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ୧୨ଘଟିକା ସମୟରେ ଏହି ଗ୍ରାମର ବୈଦେହୀ ପେଣ୍ଠଇଙ୍କ ସହ ସାବିତ୍ରୀ ଗାଧେଇବାକୁ ନିକଟସ୍ଥ ବୁଢୀନଈ ନାଳକୁ ଯାଇଥିଲେ। ସେଠାରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ଅଚାନକ ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା। ସେହି ବିଜୁଳିର ଆଘାତ ସାବିତ୍ରୀ ଓ ବୈଦେହୀଙ୍କୁ ଲାଗିଥିଲା। ଫଳରେ
ଦୁଇ ସାଙ୍ଗ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ନିକଟରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି। ବୈଦେହୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ତାଙ୍କୁ ପଣ୍ଡାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସହ ସାବିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ସାବିତ୍ରୀଙ୍କ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି। ସ୍ଥାନୀୟ ପୁଲିସ ଖବର ପାଇ
ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାପଡିଛି।
ସେହିପରି ଦ୍ୱିତୀୟ ଘଟଣାରେ ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର ଶୁକ୍ରାସାହିର ଜଣେ ବ୍ୟକ୍ତିଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତ୍ରି ୯ଟା ସମୟରେ ଟାଟୁଙ୍ଗ୍‍ ମୁଣ୍ଡା(୬୯) ନିଜ ଗ୍ରାମର ଲୁହାକଳା ଶୁକ୍ରାସାହିରୁ କାଦକଳା ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଗାଡି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଟାଟୁଙ୍ଗ୍‍ଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକ ମୃତ ବ୍ୟକ୍ତିଙ୍କର କ୍ଷତି ପୂରଣ ଦାବିରେ ମଙ୍ଗଳବାର ସକାଳ ୧୦ଟାରେ ରାସ୍ତାରୋକ କରିଥିଲେ।
ଖବର ପାଇ ନୟାକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଂଶପାଳ ତହସିଲଦାର ତ୍ରିନାଥ ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝି କରି ରେଡକ୍ରସ୍‍ରୁ ଦଶ ହଜାର ଟଙ୍କା ତୁରନ୍ତ ପ୍ରଦାନ କରିଥିଲେ। ପୁଲିସ କେସ୍‍ ନଂ ୫୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବିରଞ୍ଚି ବାଗ ସୂଚନା ଦେଇଛନ୍ତି।

Leave A Reply