ଫସି ରହିଛନ୍ତି ଭାରତର ୧୫୦ କୈଳାସ ମାନସରୋବର ଯାତ୍ରୀ

0

ଚେନ୍ନାଇ: ପ୍ରବଳ ବର୍ଷା ଓ ରାସ୍ତା ଧୋଇ ହୋଇଯିବା କାରଣରୁ ତିବତ୍‍ର ସାଗା ଓ କେରୁଙ୍ଗ ମଧ୍ୟରେ ଥିବା ଏକ ପାହାଡ଼ିଆ ଅଞ୍ଚଳରେ ଭାରତର ୧୫୦ ଜଣ କୈଳାସ ମାନସରୋବର ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ବିନା ଖାଦ୍ୟ ଓ ପାନୀୟରେ ସେମାନେ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିପାରିନାହିଁ। ଫସି ରହିଥିବା ଯାତ୍ରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ନାଗରିକ ଅଛନ୍ତି।
ରାସ୍ତା ଧସି ଯାଇଥିବାରୁ ଯାତ୍ରୀମାନଙ୍କୁ ନେଇ ଯାଇଥିବା ୬ଟି ବସ୍‍ ଓ ଏସ୍‍ୟୁଭି ରାସ୍ତା ଉପରେ ହିଁ ଠିଆ ହୋଇ ରହିଛନ୍ତି। ସେଠାକୁ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ଶୀଘ୍ର ପହଞ୍ଚିବାର ସମ୍ଭାବନା କମ୍‍ ବୋଲି କୁହାଯାଉଛି। ଟେଲି ଯୋଗାଯୋଗ ବ୍ୟବସ୍ଥା ଫେଲ୍‍ ହୋଇଥିବାରୁ ପ୍ରଶାସନ ଓ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହେଉ ନାହିଁ। ଏକ ବ୍ରିଜ୍‍ ଓ ନୂଆ ସଡ଼କର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଟ୍ରାଫିକ୍‍ ଜାମ୍‍ ଏଡ଼ାଇବା ପାଇଁ ଉକ୍ତ ଅସ୍ଥାୟୀ କଚ୍ଚା ରାସ୍ତାକୁ ବିକଳ୍ପ ରୂପେ ବ୍ୟବହାର କରାଯାଉଥିଲା। ତେଣୁ ଅତ୍ୟଧିକ ଚାପ ଓ ବର୍ଷା ଯୋଗୁଁ ସଡ଼କ ଧୋଇ ହୋଇଯାଇଥିବା ଅଭିଯୋଗ ହୋଇଛି।

Leave A Reply