ଫଡ଼ି ବିଲ୍ ଲାଗି ୧୬% ପିସି: ୧.୬୬ ଲକ୍ଷ ଟଙ୍କା ନେବାବେଳେ ଧରାପଡ଼ିଲେ ଡ଼ିଏଫଓ-ଡ଼େପୁଟି ରେଞ୍ଜର

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ କେନ୍ଦୁପତ୍ର ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଆଲୋଚନାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ, ପାଟଣାଗଡ କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ(ରେଞ୍ଜର) ଜଗନ୍ନାଥ ଦାସଙ୍କୁ ଦିନକ ପୂର୍ବରୁ କେନ୍ଦୁପତ୍ର ବନ୍ଧେଇ ପାଇଁ ଡିଏଫ୍‌ଓ ପ୍ରଣବ ମହାନ୍ତିି ୧୦ ଲକ୍ଷ ୩୭ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ୧୬ ପ୍ରତିଶତ ପିସି ଦେବାକୁ ଡିଏଫଓ କୁଆଡେ ତାଗିଦ କରିଥିଲେ। ଏଥିସହିତ ପିସି ନଦେଲେ ଚାକିରୀରୁ ହଟାଇ ଦେବାକୁ ଧମକ ଦେଇଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ବୁଧବାର ସକାଳ ପ୍ରାୟ ୧୦ଟାରେ ଡିଏଫଓଙ୍କ ଆଦେଶ ଅନୁଯାୟୀ ଘସିଏନ ରେଞ୍ଜରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ ପିସି ଟଙ୍କା ଆଣିବା ପାଇଁ ପାଟଣାଗଡ ରେଞ୍ଜର ଜଗନ୍ନାଥ ଦାସଙ୍କ ରାମପୁର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଶ୍ରୀ ଦେହୁରୀ ୧ ଲକ୍ଷ ୬୬ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀ କାବୁ କରିଥିଲେ । ସେଠାରୁ ଜଗନ୍ନାଥ ଦାସ ଏବଂ ଚିତ୍ତରଞ୍ଜନ ଦେହୁରୀଙ୍କୁ ଡିଭିଜନାଲ କାର୍ଯ୍ୟାଳୟ ପରିସରକୁ ଆଣିଥିଲେ । ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଡିଏଫଓ ପ୍ରଣବ ମହାନ୍ତିଙ୍କ କାର୍ଯ୍ୟାଳୟ, ବାସଭବନ ଏବଂ ଚିତ୍ତରଞ୍ଜନଙ୍କ କାର୍ଯ୍ୟାଳୟ ତଥା ବାସଭବରେ ଏକକାଳୀନ ଚଢଉ ହୋଇଥିଲା । ପିସି ବାବଦକୁ ଟଙ୍କା ଦେଇଥିବା ଶ୍ରୀ ଦାସ ଏବଂ ଟଙ୍କା ଗ୍ରହଣ କରିଥିବା ଶ୍ରୀ ଦେହୁରୀ ଉକ୍ତ କାରବାର ଡିଏଫଓ ଶ୍ରୀ ମହାନ୍ତିଙ୍କ ନିର୍ଦେଶ ଅନୁଯାୟୀ ଚାଲିଥିବା କହିଥିଲେ । ଅନ୍ୟପକ୍ଷରେ ଡିଏଫଓ ଶ୍ରୀ ମହାନ୍ତି ଏହାକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଡିଏଫଓ ତାଙ୍କୁ ବିଭିନ୍ନ କାମ ବାବଦରେ ପ୍ରାୟ ୧୪ ଲକ୍ଷ ୪୦ ହଜାର ସରକାରୀ ଟଙ୍କା ଦେଇଥିବା ବେଳେ ପିସି ବାବଦକୁ ବାରମ୍ବାର ହଇରାଣ କରୁଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପ୍ରଣବ ମହାନ୍ତି, ଚିତ୍ତରଞ୍ଜନ ଦେହୁରୀଙ୍କ ସମେତ ଅଭିଯୋଗକାରୀ ଜଗନ୍ନାଥ ଦାସଙ୍କୁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ପାଇଁ ବଲାଙ୍ଗିର ନିଆଯାଇଥିବା ପ୍ରକାଶ ା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ହୋଇଥିବା ଚଢଉରେ ପିକେ କିଶାନ, ଇନ୍ସପେକ୍ଟର ସଦାନନ୍ଦ ପାଣି, ଅଭୟ ପ୍ରଧାନ ତଥା ବଲାଙ୍ଗିର, ବରଗଡ, ସୋନପୁର ଏବଂ ରାଉରକେଲା ଭିଜିଲାନ୍ସ ବିଭାଗର ଅଧିକାରୀ ସାମିଲ ଥିଲେ।

Comments are closed.