ପ୍ରଧାନମନ୍ତ୍ରୀଙ୍କ ପିଲାଦିନକୁ ନେଇ ନିର୍ମିତ ହେଲା ଚଳଚ୍ଚିତ୍ର : ପ୍ରଥମେ ଦେଖିବେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଦିନକୁ ନେଇ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ମଙ୍ଗେଶ୍‍ ହଦାୱଲେ ନିର୍ମାଣ କରିଛନ୍ତି କ୍ଷୁଦ୍ର ଅବଧି ବିଶିଷ୍ଟ ଚଳଚ୍ଚିତ୍ର(ସର୍ଟଫିଲ୍ମ) “ଚଲୋ ଜିତେ ହେଁ”। ଏହି ଚଳଚ୍ଚିତ୍ରର ବିଶେଷତ୍ତ୍ୱ ହେଉଛି ଏହା ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ଓ ତାଙ୍କ ପିଲାବେଳର ଜୀବନ କାହାଣୀକୁ ଏଥିରେ ଚିତ୍ରଣ କରାଯାଇଛି। ଆଜି ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭବନରେ ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ ହେବେ ଏହାର ପ୍ରଥମ ଦର୍ଶକ। ପରେ ୨୯ ଜୁଲାଇରେ ଡ଼ିଜିଟାଲ୍‍ ପ୍ଲାଟ୍‍ଫର୍ମ ହଟ୍‍ଷ୍ଟାର୍‍ରେ ଏହାକୁ ମୁକ୍ତିଲାଭ କରାଯିବ ବୋଲି ସୂଚନା ମିଳିଛି।
ଚଳଚ୍ଚିତ୍ର ନିର୍ମାତା ହଦାୱଲେ କହିଛନ୍ତି, ମୁଁ ମୋଦିଙ୍କର ଗୁଣ ଓ ଆଦର୍ଶର ପ୍ରଚାର କରିବା ପାଇଁ ଏହି ଚଳଚ୍ଚିତ୍ରର ନିର୍ମାଣ କରିନାହିଁ। ଏହା ତାଙ୍କ ଜୀବନର ଆରମ୍ଭ ଅର୍ଥାତ୍‍ ପିଲା ବେଳର କାହାଣୀ। ମୋର ଛୋଟ ପିଲାମାନଙ୍କ ସହ ବିଶେଷ ସମ୍ବନ୍ଧ ରହିଆସିଛି, ସେଥିପାଇଁ ଏହିଭଳି କାହାଣୀ ମୋତେ ଆକର୍ଷିତ କରିଥାଏ।
ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଶିଶୁ କଳାକାର ଧୈର୍ଯ୍ୟ ଦର୍ଜି ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ସ୍ୱାଧୀନତାର ପରବର୍ତ୍ତି ସମୟକୁ ଦର୍ଶାଯାଇଛି। ଯେଉଁଠି ବହୁ ଘଟଣା ଓ ଦୁର୍ଘଟଣା ଗୋଟିଏ ଶିଶୁକୁ ଦେଶ ପାଇଁ କିଛି କରିବାର ପ୍ରେରଣା ଦେଇଛି। ହଦାୱଲେ ମୋଦିଙ୍କର “ସାମାଜିକ୍‍ ସମ୍‍ରସ୍‍ତା”ପୁସ୍ତକ ପଢିବା ପରେ ଏହି ଚଳଚ୍ଚିତ୍ର ନିର୍ମାଣ କରିବାର ଭାବନା ମନକୁ ଆଣିଥିଲେ।
୩୨ ମିନିଟ୍‍ ଅବଧି ବିଶିଷ୍ଟ ଏହି ଚଳଚ୍ଚିତ୍ରର ସୁଟିଂ ଭଦୋଦରାରେ କରାଯାଇଛି। ହଦାୱଲା କହିଛନ୍ତି ଯଦି ଏହି ଚଳଚ୍ଚିତ୍ରକୁ ମୁଁ ମୋଦିଙ୍କୁ ଦେଖାଇ ପାରିଲି ତେବେ ବହୁତ ଖୁସି ହେବି।

Leave A Reply