ପୁରୀ ବେଳାଭୂମିରୁ ବାଲି ଚୋରି

0

ପୁରୀ: ପୁରୀ ବେଳାଭୂମିରୁ ଚୋରି ହୋଇଛି ପ୍ରାୟ କୋଟିଏ ଟଙ୍କାର ବାଲି। ସରକାରୀ ବାବୁଙ୍କ ସଲାସୁତୁରାର ପ୍ରାୟ ୨ବର୍ଷ ଧରି ବଡ଼ରାକେଟ କାମ କରୁଛି। ଗୁରୁବାର ରାତିରେ ପ୍ରଶାସନ ଅତର୍କିତ ଚଢଉ କରି ୨୦ଟି ହାଇୱା ସମେତ ଗୋଟିଏ ଜେସିବି ଜବତ କରିଛି। ୯ଜଣ ଡ୍ରାଇଭରଙ୍କୁ ବଳିଆପଣ୍ଡା ଥାନା ପୁଲିସ ଅଟକ ରଖିଛି। ବେଆଇନ ବାଲିଚୋରି ଯୋଗୁଁ ମାଟିତଳେ ବିଛା ଯାଇଥିବା ପ୍ରାୟ ୩୦ଲକ୍ଷ ଟଙ୍କାର ବିଦ୍ୟୁତ ତାର ନଷ୍ଟ ହୋଇଛି। ମଙ୍ଗଳାନଦୀ ଦୁଇପାର୍ଶ୍ବରେ ଥିବା ବଡ଼ ବଡ଼ ପ୍ରାକୃତିକ ବାଲୁକାସ୍ତୂପ ଗୁଡିକୁ ଜେସିବି ମାଧ୍ୟମରେ ଖୋଳି ପୁରୀ ଏବଂ ଭୁବନେଶ୍ବରର କେତେକ ବ୍ୟକ୍ତି ଦିନକୁ ପ୍ରାୟ ୨୦୦ଟ୍ରକ ବାଲି ଚୋରି କରୁଛନ୍ତି। ସ୍ପଷ୍ଟ ଦିବାଲୋକରେ ବାଲିଚୋରି ହେଉଥିଲେ ମଧ୍ୟ ପୁରୀ କିମ୍ବା ବ୍ରହ୍ମଗିରି ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ ପୁଲିସ ଅଧିକାରୀ ନିରବ ହୋଇ ବସିଛନ୍ତି। ସେହିପରି ବଳିଆପଣ୍ଡା ଏବଂ ଗାନ୍ଧୀଘାଟ ପାର୍ଶ୍ବ ବେଳାଭୂମିରୁ ପ୍ରତ୍ୟହ ରାତିରେ ଟ୍ରାକ୍ଟର ଏବଂ ଟ୍ରକ ଯୋଗେ ବାଲି ଚୋରି କରାଯାଉଛି। ବେଳାଭୂମିରୁ ଅବାଧ ବାଲିଖନନ ଏବଂ ଚାଲାଣ ଯୋଗୁଁ ଅବକ୍ଷୟ ବୃଦ୍ଧି ପାଇବା ସହ ପୁରୀ ସହର ପ୍ରତି ବିପଦ ଦେଖାଦେଇଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ନିରବ ହୋଇ ବସିଛି। ଗିରଳ ଗ୍ରିଡ ଷ୍ଟେସନରୁ ପୁରୀକୁ ସଂଯୋଗ କରିଥିବା ଭୂତଳ କେବୁଲ ଦୁଇଦିନ ତଳେ କଟିଯିବା ପରେ ସେସୁ ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବେଳାଭୂମିରୁ ଅବାଧ ବାଲିଚୋରି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଉଲ୍ଲେଖ କରିଥିଲେ। ତେଣୁ ବେଆଇନ ବାଲିଚୋରି ଧରିବା ପାଇଁ ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିଲା। ଗୁରୁବାର ରାତି ୧୧ଟା ୪୫ରୁ ୨ଟା ପର୍ଯ୍ୟନ୍ତ ଶିପସରୁବାଲି ଏବଂ ବଳିଆପଣ୍ଡାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ରାତି ଅଧରେ ବେଆଇନ ଭାବେ ବାଲିଚୋରି କରୁଥିବା ୨୦ଟି ହାଇୱା ଏବଂ ଗୋଟିଏ ଜେସିବି ଜବତ କରାଯାଇଛି। ୧୧ଜଣ ଡ୍ରାଇଭର ଖସି ପଳାଇଥିବା ବେଳେ ୯ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ବଳିଆପଣ୍ଡା ଥାନା ପୁଲିସ ଏକ ମୋକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିବା ଇନ୍ସପେକ୍ଟର ବାମଦେବ ସ୍ବାଇଁ ସୂଚନା ଦେଇଛନ୍ତି। ବିଳମ୍ବରେ ହେଉପଛେ ପ୍ରଶାସନ ପକ୍ଷରୁ ବାଲି ଚୋରାଚାଲାଣ ଉପରେ ଚଢଉ କରାଯାଇଛି। ତେବେ ଏହି ରାକେଟରେ କେତେକ ରାଜସ୍ବ ଅଧିକାରୀ ଏବଂ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ସେମାନଙ୍କ ସମ୍ପର୍କରେ ତଦନ୍ତ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି। ଜବତ ହାଇୱା ଗୁଡିକୁ ଛାଡିଦେବା ପାଇଁ ଜିଲା ପ୍ରଶାସନ ଉପରେ ଘନ ଘନ ଚାପ ପଡୁଛି। ଟ୍ରକ ମାଲିକଙ୍କଠାରୁ କିଛି ଜୋରିମାନା ଆଦାୟ କରି କୋଟି କୋଟି ଟଙ୍କାର ବାଲି ଚୋରା କାରବାର ଘଟଣା ଚପାଇ ଦେବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ଠିକାଦାର ଏବଂ ଟ୍ରକ ମାଲିକ ସରକାରୀ ଜାଗାରୁ ବାଲି ଚୋରିକରି ବିଭିନ୍ନ ସରକାରୀ କାର୍ଯ୍ୟପାଇଁ ତାହାକୁ ବିକ୍ରି କରିଆସୁଛନ୍ତି। ମଙ୍ଗଳାଘାଟ-ବାଟଗଁା ପୁରୀ ବାଇପାସ ରାସ୍ତାରେ ନିର୍ମାଣାଧୀନ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ କ​‌େ​‌ମ୍ପ୍ଲକ୍ସ ପାଇଁ ମାତ୍ର ୨୦ରୁ ୩୦ଟ୍ରକ ବାଲି ପକାଯାଇଥିବା ବେଳେ ଏଥିନିମନ୍ତେ ଶିପସରୁବାଲି ବେଳାଭୂମିରୁ ୫ଶହ ଟ୍ରକ ବାଲି ଉତ୍ତୋଳନ କରାଯାଇଛି। ସେହିପରି ବେଳାଭୂମି ରାସ୍ତା ଏବଂ ଅଠରନଳା-ବୀରହରେକୃଷ୍ଣପୁର ରାଜପଥ ସମ୍ପ୍ରସାରଣ ସମେତ ସହରର କେତେକ ସ୍ଥାନରେ ଚାଲିଥିବା ସରକାରୀ ନିର୍ମାଣ କାର୍ଯ୍ୟରେ ଠିକାଦାର ଚୋରା ବାଲି ବ୍ୟବହାର କରୁଛନ୍ତି। କେତେକ ପ୍ରଭାବଶାଳୀ ବ୍ୟକ୍ତି ଏବଂ ରାଜନେତା ବାଲି ଚୋରାଚାଲାଣ ରାକେଟରେ ସଂପୃକ୍ତ ଥିବାରୁ କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ଦ୍ବାରା ଅଭିଯୋଗର ତଦନ୍ତ କରାଯିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି ହେଉଛି। ଅଟକ ହାଇୱା ଡ୍ରାଇଭରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବଳିଆପଣ୍ଡା ଥାନା ଇନ୍ସପେକ୍ଟର ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।

Leave A Reply