ପୁରୀ ଜିଲାରେ ବାର୍ଡ ଫ୍ଲୁ ;କୃଷ୍ଣପ୍ରସାଦରେ ଲୋକେ ଆତଙ୍କିତ

0

ପୁରୀ: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ୩ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ମଲା କାଉଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଉପରେ ପ୍ରଶାସନ ନିଷେଧାଦେଶ ଜାରି କରିଛି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ୧୦ଦିନ ପାଇଁ ଅଣ୍ଡା ଦେବା ବନ୍ଦ କରାଯାଇଛି। ପଶୁସମ୍ପଦ ବିଭାଗ ପକ୍ଷରୁ ସେଠାକୁ ୧୦ଟି କୁଇକ୍‍ ରେସପନ୍ସ ଟିମ ପଠାଯାଇଛି। ସାନସାହି, ପଥରଗଞ୍ଜ ଏବଂ ମାଲୁଦ ନିକଟସ୍ଥ ଅଳନ୍ଦା ଗ୍ରାମରୁ ମିଳିଥିବା ମଲାକାଉ ମାଂସ ନମୁନାରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଭୋପାଳସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍‍ ନିର୍ଦେଶକ ଏଥିନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ୨୪୦ଟି ମଲାକାଉ ଓ କୁକୁଡ଼ା ନମୁନା ମଧ୍ୟରୁ ୪ଟିର ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇଛି। ସମ୍ପୃକ୍ତ ଗ୍ରାମରେ ଥିବା କୁକୁଡ଼ାଙ୍କୁ ମାରି ପୋତିବା ପାଇଁ ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବଳକା କୁକୁଡ଼ା ଖାଦ୍ୟ ସମେତ କୁକୁଡ଼ା ଫାର୍ମରେ ରହିଥିବା ପାଣି ଓ ନଡ଼ା ନଷ୍ଟ କରିବାକୁ ନିର୍ଦେଶ ଦିଆଯାଇଛି। ଶୁକ୍ରବାରଠାରୁ କୁକୁଡ଼ା ମାରି ପୋତିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ଗିରିଜା ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଗ୍ରାମଠାରୁ ୧କି.ମି ମଧ୍ୟରେ ରହିଥିବା କୁକୁଡ଼ା ଫାର୍ମଗୁଡ଼ିକୁ ସିଲ୍‍ କରାଯିବ। ୧୦କି.ମି ଅଞ୍ଚଳ ମଧ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ପ୍ରତ୍ୟେକ କୁଇକ୍‍ ରେସପନ୍ସ ଟିମ୍‍ରେ ଜଣେ ଲେଖାଏଁ ପଶୁ ଡାକ୍ତର ଏବଂ ପଶୁଧନ ନିରୀକ୍ଷକ ରହିଛନ୍ତି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳର କୌଣସି ବ୍ୟକ୍ତି ବାହାରକୁ ଯେପରି କୁକୁଡ଼ା କିମ୍ବା ଅଣ୍ଡା ଚାଲାଣ ନକରନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି। ୩ଟି ଗ୍ରାମର ଫାଷ୍ଟଫୁଡ୍‍ ଷ୍ଟଲ୍‍, ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ କୁକୁଡ଼ା ମାଂସ କିମ୍ବା ଅଣ୍ଡା ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଶୀତଦିନରେ ଚିଲିକା ଆସିଥିବା ବିଦେଶୀ ପକ୍ଷୀଙ୍କ ଦ୍ୱାରା ବ୍ଲାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ଯଦି କେଉଁଠାରେ ବିଦେଶୀ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୁଏ ତାହାକୁ ଜବତ କରି ନମୁନା ପରୀକ୍ଷା ପାଇଁ ତୁରନ୍ତ ପଠାଇବାକୁ ବନ ବିଭାଗକୁ ନିର୍ଦେଶ ଦିଆଯାଇଛି। ପଶୁସମ୍ପଦ ବିଭାଗ ପକ୍ଷରୁ ଗୁରୁବାର ଜିଲାର ବ୍ରହ୍ମଗିରି, କଣାସ, ଡେଲାଙ୍ଗ ଏବଂ ଗୋପ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆଉ ୩୫୦ ନମୁନା ସଂଗ୍ରହ କରାଯାଇଛି। ଖୁବ୍‍ଶୀଘ୍ର ସେଗୁଡ଼ିକୁ ପରୀକ୍ଷା ପାଇଁ ଭୋପାଳ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଆତଙ୍କିତ ନହେବା ପାଇଁ ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ପ୍ରଶାସନ ପରାମର୍ଶ ଦେଇଛି। ଜନସାଧାରଣଙ୍କ ପାଇଁ ୫ଟି କଟକଣା ଜାରି କରାଯାଇଛି।

 

ବାର୍ଡଫ୍ଲୁ ନିୟନ୍ତ୍ରଣାଧୀନ ରହିଛି:ସଚିବ

ଭୁବନେଶ୍ବର:କୃଷ୍ଣପ୍ରସାଦ ବ୍ଲକରେ ଗତକାଲି ଚିହ୍ନଟ ହୋଇଥିବା ବାର୍ଡଫ୍ଲୁକୁ ନିୟନ୍ତ୍ରଣ କରିବାପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମତ୍ସ୍ୟ ପଶୁସମ୍ପଦ ବିଭାଗ ସଚିବ ବିଶାଳ ଗଗନ କହିଛନ୍ତି। ଗୁରୁବାର ଶ୍ରୀ ଗଗନ କହିଛନ୍ତି ଯେ ଇତିମଧ୍ୟରେ ୮ଟିମ୍ ଦୁଇଟି ବ୍ଲକର ବିଭିନ୍ନ ଗ୍ରାମରୁ ନମୁନା ସଂଗ୍ରହ କରିଛନ୍ତି। ବାର୍ଡଫ୍ଲୁ ସଂକ୍ରମଣ ନହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ୧୦କିମି ପରିସୀମା ମଧ୍ୟରେ ଯେଉଁ ପକ୍ଷୀ ମରିବେ ସେମାନଙ୍କ ନମୁନା ପରୀକ୍ଷା କରାଯିବ। ଏହା ଯେଭଳି ବିଭିନ୍ନ ବ୍ଲକକୁ ନବ୍ୟାପେ ସେଥିପ୍ରତି ୧କିମି ପରିସୀମା ମଧ୍ୟରେ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ବାର୍ଡଫ୍ଲୁ ସରକାରଙ୍କ ନିୟନ୍ତ୍ରଣାଧୀନ ରହିଛି ବୋଲି ଶ୍ରୀ ଗଗନ କହିଛନ୍ତି।

Leave A Reply