ପୁରୀରେ ଚାଞ୍ଚଲ୍ୟ: କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ଥାନା ସାନିଟାଇଜ୍, ଆସିବେ ଅସ୍ଥାୟୀ କର୍ମଚାରୀ

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବରୁ ଏକ ଗଣ୍ଡଗୋଳ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହୋଇଥିବାରୁ ତାଙ୍କୁ ଜେଲ୍ ପଠା ଯାଇଥିଲା । ମାତ୍ର ଏହି ଅବଧି ମଧ୍ୟରେ ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିଲା ଓ ଏହାର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହାପରେ ଥାନାରେ ଆତଙ୍କ ସୃଷ୍ଟି ହୋଇଛି । ଅଗ୍ନିଶମ ବିଭାଗ ଥାନାକୁ ସାନିଟାଇଜ୍ କରିଛି ଓ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ଯିବା ନିମନ୍ତେ ନିର୍ଦେଶ ଦିଆଯାଇଛି ।  ସେହିପରି ଅଭିଯୁକ୍ତଙ୍କ ଘର ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଜଙ୍କ ପାଖରେ ହାଜର କରାଯାଇଥିବାରୁ ତାଙ୍କ ଘର ମଧ୍ୟ ସାନିଟାଇଜ୍ କରାଯିବ ବୋଲି ଜଣାପଡ଼ିଛି ।

Comments are closed.