ପିଲା ଚୋରି ହିଂସା ରୋକିବାକୁ ରାଜ୍ୟ ସରକାରଙ୍କୁ ନିୟମାବଳୀ ଜାରି କଲା କେନ୍ଦ୍ର

0

ନୂଆଦିଲ୍ଲୀ : ପିଲା ଚୋରି ନାମରେ ହେଉଥିବା ହିଂସା ରୋକିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ହ୍ୱାଟ୍ସଆପ୍‍ ମାଧ୍ୟମରେ ପ୍ରଚାରିତ ଗୁଜବରେ ପ୍ରଭାବିତ ହୋଇ ଲୋକେ ପିଲା ଚୋର ସନ୍ଦେହରେ ଅନ୍ୟ ଜଣଙ୍କୁ ପିଟିପିଟି ମାରି ଦେଉଛନ୍ତି। ସଂଘବଦ୍ଧ ଭାବେ ହେଉଥିବା ଏପରି ହିଂସା ଓ ଗୁଜବ ପ୍ରଚାରକୁ ରୋକିବା ଲାଗି ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆବଶ୍ୟକ ନିୟମାବଳୀ ଜାରି କରିଛି। ନିୟମାବଳୀରେ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କହିଛି ଯେ ଗୁଜବକୁ ପ୍ରାଥମିକ ସ୍ତରରେ ଠାବ କରିବା ପୂର୍ବକ ଏହାର ବ୍ୟାପକ ପ୍ରସାର ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର। ଏହା ସହିତ ଜିଲାସ୍ତରରେ ସମ୍ବେଦନଶୀଳ ଅଞ୍ଚଳକୁ ଠାବ ପୂର୍ବକ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର। ଏଥିପାଇଁ ରାଜ୍ୟ ସରକାର ଜିଲା ପ୍ରଶାସନକୁ ନିର୍ଦେଶ ଦେବା ଦରକାର। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରାଯାଇପାରିବ। ପିଲା ଚୋରି କିମ୍ବା ଅପହରଣ ନେଇ ହେଉଥିବା ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ପ୍ରଶାସନ ଲୋକଙ୍କ ନିକଟରେ ବିଶ୍ୱାସଭାଜନ ହେବା ଉଚିତ।
ବୁଧବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ୱାଟ୍‍ ଆପ୍‍ ଭଳି ତ୍ୱରିତ ବାର୍ତ୍ତା ପ୍ରେରଣ ଆପ୍‍ର ଦୂରୁପଯୋଗ ରୋକିବା ଲାଗି ନିର୍ଦେଶ ଦେଇଥିଲେ। ଏ ନେଇ ହ୍ୱାଟ୍ସ ଆପ୍‍ ସଂସ୍ଥାକୁ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ କରିବାକୁ ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମଗୁଡିକର ଅପବ୍ୟବହାର, ଦୂରୁପଯୋଗ ପାଇଁ ସେମାନେ ହିଁ ଉତ୍ତରଦାୟୀ ରହିବା ଉଚିତ। ଏହି ଉତ୍ତରଦାୟିତ୍ୱରୁ ସେମାନେ ଦୂରେଇପାରିବେ ନାହିଁ ବୋଲି ରବିଶଙ୍କର କହିଥିଲେ। ସେହିପରି ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ ଯେ ସଂଘବଦ୍ଧ ଭାବେ କାହାକୁ ପିଟିପିଟି ମାରିଦେବା ଏକ ଅପରାଧ। ଏହା ପଛରେ ଯାହାବି କାରଣ ଥାଉ ନା କାହିଁକି ପିଲା ଚୋରି ଅବା ଗୋରୁ ଚୋରି ଏହାକୁ ଅପରାଧ ବିବେଚନା ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏହା ଏକ ଆଇନଶୃଙ୍ଖଳା ବିଷୟ ହୋଇଥିବାରୁ ରାଜ୍ୟ ସରକାରଗୁଡିକ ଏ ଦିଗରେ ପଦକ୍ଷେପ ନେବା ଉଚିତ୍‍ ବୋଲି ସୁପ୍ରିମକୋର୍ଟ କହିଥିଲେ

Leave A Reply