ପାକିସ୍ତାନ: ମନ୍ଦିରରେ ହିନ୍ଦୁ ପିଲାଙ୍କୁ ପଢାନ୍ତି ମୁସଲମାନ ଶିକ୍ଷୟିତ୍ରୀ, ସଲାମର ପ୍ରତିନମସ୍କାରରେ କହନ୍ତି ଜୟ ଶ୍ରୀରାମ

0

କରାଚି : ସାମ୍ପ୍ରଦାୟିକ ସଦଭାବନା ଏବଂ ଶାନ୍ତିର ଦୂତ ସାଜିଛନ୍ତି ପାକିସ୍ତାନର ଜଣେ ମୁସଲମାନ ଶିକ୍ଷୟିତ୍ରୀ। କରାଚିର ଏକ ହିନ୍ଦୁ ମନ୍ଦିରରେ ଚାଲୁଥିବା ସ୍କୁଲରେ ସେ ହିନ୍ଦୁ ପିଲାଙ୍କୁ ପାଠ ପଢାଉଛନ୍ତି। ଏହି ମୁସଲମାନ ଶିକ୍ଷୟିତ୍ରୀଙ୍କ ନାମ ଅନୁମ ଆଗା। ସେ ହିଜାବ ପିନ୍ଧି ପିଲାଙ୍କୁ ପାଠ ପଢାନ୍ତି। ଶ୍ରେଣୀକୁ ପ୍ରବେଶ କରିବା ମାତ୍ରେ ସେ ପିଲାଙ୍କୁ ସଲାମ କରନ୍ତି। ପିଲାମାନେ ଏହାର ପ୍ରତିନମସ୍କାରରେ ଜୟ ଶ୍ରୀରାମ କହନ୍ତି। ପ୍ରତିକୂଳ ପରିସ୍ଥିତିରେ ନେ ନିଜ କର୍ତ୍ତବ୍ୟରୁ ହଟି ଯାଇନାହାନ୍ତି। ଏହି ମନ୍ଦିରକୁ ଦଖଲକୁ ନେବା ପାଇଁ ଅନେକ ଜମି ମାଫିଆ ତାଙ୍କୁ ବାରମ୍ବାର ଧମକ ଦେଇ ଚାଲିଛନ୍ତି। ଏହା ପରେ ବି ସେ ସେଠାକୁ ଯାଇ ପାଠ ପଢାଉଛନ୍ତି।

ମନ୍ଦିର ଆଖପାଖରେ ୮୦ରୁ ୯୦ ହିନ୍ଦୁ ପରିବାର ବାସ କରୁଛନ୍ତି। ସ୍କୁଲ ପରେ ଅନ୍ୟ ସମୟରେ ଅନୁମ ପିଲାଙ୍କ ଘରକୁ ଯାଇ ଭଲମନ୍ଦ ବୁଝନ୍ତି। ଅନୁମ କହନ୍ତି ଯେତେବେଳେ ମୁଁ ଲୋକଙ୍କୁ ମନ୍ଦିରରେ ଚାଲୁଥିବା ସ୍କୁଲ ବିଷୟରେ କହେ, ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। କିନ୍ତୁ ଆମ ପାଖରେ ସ୍କୁଲ ଚଲାଇବା ପାଇଁ ଅନ୍ୟ କୌଣସି ସ୍ଥାନ ନାହିଁ। ମନ୍ଦିରର ପିଲାଙ୍କୁ ପାଠ ପଢାଯାଉଥିବା ସ୍ଥାନରେ ଦେବାଦେବୀଙ୍କ ମୂର୍ତ୍ତି ରହିଛି। ମୂର୍ତ୍ତି ପୂଜା ମୁସଲମାନଙ୍କ ଧର୍ମ ବିରୋଧୀ ହୋଇଥିଲେ ବି ସେ ଏହାକୁ ଭୃକ୍ଷେପ କରିନାହାନ୍ତି।

ଅପରପକ୍ଷରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ନେତା ଶିବା ଧରଣୀ କହିଛନ୍ତି ଯେ ୪ ବର୍ଷ ମଧ୍ୟରେ ଦୁଇଟି ଅଘଟଣ ଘଟିଛି। ଦୁଇ ଥର ହିନ୍ଦୁ ଲୋକଙ୍କ ଘର ଜାଳି ଦିଆଯାଇଛି। ସେମାନଙ୍କୁ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ଧମକ ଦିଆଯାଉଛି। ନିକଟରେ ସ୍ଥାନୀୟ ପ୍ରଶାସନ ହିନ୍ଦୁଙ୍କ ଘରର ବିଦ୍ୟୁତ୍‍ ଏବଂ ପାଣି ସଂଯୋଗ କାଟି ଦେଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୯୬୦ ଦଶକରେ କେତେକ ଯାଯାବର ଶ୍ରେଣୀୟ ହିନ୍ଦୁ ଲୋକ ଆସି କରାଚିରେ ଅବସ୍ଥାନ କରିଥିଲେ। ସେବେଠାରୁ ଏଠାରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହୁଛି। କିଛି ଦିନ ତଳେ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଏକ ମସଜିଦ୍‍ ନିର୍ମାଣ କରିବାକୁ କେତେକ ମୁସଲମାନ ପ୍ରସ୍ତାବ ଦେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାନବାଧକାର କର୍ମୀ ଆରିଫ ହବିବ ଏଥିରେ ହସ୍ତକ୍ଷେପ କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ମନ୍ଦିର ପାଖରେ ରହୁଥିବା ମୁସଲମାନମାନେ ସେଠାରେ ହିନ୍ଦୁ ରୁହନ୍ତୁ ବୋଲି ଚାହାନ୍ତି ନାହିଁ। ତେଣୁ ଏଠାକୁ ଭୂମି ମାଫିଆମାନେ ଆସି ମନ୍ଦିରକୁ ଦଖଲ ନେବାକୁ ଚେଷ୍ଟା ଚଲାଇଛନ୍ତି ବୋଲି ଆରିଫ କହିଛନ୍ତି। ଆରିଫ ହିନ୍ଦୁ ପିଲାଙ୍କୁ ପାଠ ପଢାଇବା ପାଇଁ ଅନୁମକୁ ଏଠାକୁ ଆଣିଥିଲେ। ଅନୁମ ଏବଂ ଆରିଫ ସେଠାକାର ହିନ୍ଦୁଙ୍କ ପାଇଁ ଦେବଦୂତ ସାଜିଛନ୍ତି।

Leave A Reply