ପରିବେଶ ପ୍ରଦୂଷଣକାରୀଙ୍କ ନାମରେ ହେବ ଅପରାଧିକ ମାମଲା

0

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ। ଏଥିସହିତ ସେମାନଙ୍କ ନାମକୁ ବିଭିନ୍ନ ଗଣମାଧ୍ୟମରେ ସାର୍ବଜନୀନ କରାଯିବ। କେନ୍ଦ୍ର ସରକାର ଖୁବ ଶୀଘ୍ର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବେ।
ବିଶେଷକରି ପ୍ରଦୂଷଣ ଦ୍ୱାରା ଅଣନିଃଶ୍ୱାସୀ ହୋଇପଡ଼ୁଥିବା ରାଜଧାନୀ ଦିଲ୍ଲୀକୁ ଦୃଷ୍ଟିରେ ରଖି ଏହି ନିୟମ କାର୍ଯ୍ୟକାରୀ କରାଯିବ।
ସୂଚନାଯୋଗ୍ୟ, ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଉଦ୍‍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଗାଡ଼ି ମୋଟର ବ୍ୟବହାରୀଙ୍କ ବ୍ୟତୀତ ଦିଲ୍ଲୀର ପ୍ରମୁଖ ପରିବେଶ ପ୍ରଦୂଷଣକାରୀଙ୍କ ମଧ୍ୟରେ ପିଡବ୍ଲ୍ୟୁଡି, ଦିଲ୍ଲୀ ମେଟ୍ରୋ, ଏନ୍‍ଏଚଏଆଇ, ପୌର ପରିଷଦ, ସରକାରୀ ନିର୍ମାଣକାରୀ ସଂସ୍ଥା ସାମିଲ୍‍ ଅଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଅଭିଯୋଗ ଆସିବା ମାତ୍ରେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ‘ସମୀର ଆପ’୍‍ ଜରିଆରେ ନୋଟିସ ଦିଆଯିବ। ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ଦିଗରେ ସେମାନେ ପଦକ୍ଷେପ ନ ନେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ। ସେମାନଙ୍କ ନାମକୁ ଖବରକାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶ କରାଯିବ। ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କୁ ବାଦ୍‍ ଦିଆଯିବ ନାହିଁ।

Leave A Reply