ନିଶା ଔଷଧ ମାଫିଆ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ତଥା ପଶ୍ଚିମଓଡିଶାରେ କଫସିରଫ ଓ ନିଶା ଔଷଧର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ନିଶା ଔଷଧ ମାଫିଆ ଗୋବିନ୍ଦ ନେଗୀ ଓରଫ ସାନ ନେଗୀକୁ ପୁଲିସ ରବିବାର ଭୁବନେଶ୍ୱରରୁ ଗିରଫ କରିଛି। ପୂର୍ବରୁ ପୁଲିସକୁ ଚକମା ଦେଇ ଫେରାର ମାରିଥିବା ସାନର ଆଉ ଜଣେ ସହଯୋଗୀ ପ୍ରଶାନ୍ତ କ୍ଷେତୀକୁ ମଧ୍ୟ ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି। ଏହାସହିତ ସାନର ଏହି ବେଆଇନ ସାମ୍ରାଜ୍ୟର ଖୋଳତାଡ ପୁଲିସ ଆରମ୍ଭ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଦୀର୍ଘଦିନ ଧରି ପୁଲିସ ଆଖିରେ ଧୁଳିଦେଇ ଜିଲା ବାହାରେ ଲୁଚିଥିବା ସାନ ଧରାପଡିବା ପରେ କଫସିରଫ ଓ ନିଶା ଔଷଧ କାରବାର ବିରୁଦ୍ଧରେ ପୁଲିସ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନା ମୁତାବକ, ବଲାଙ୍ଗୀରର ଯୁବକ ଗୋବିନ୍ଦ ନେଗୀ ଓରଫ ସାନର ନାମ ଖୁବ୍ କମ ଦିନ ଭିତରେ ସହରର ବଡ଼ ବଡ଼ ଧନୀ ବ୍ୟକ୍ତିଙ୍କ ତାଲିକାରେ ଆସିଥିଲା। ତେବେ ଏହି ସମ୍ପତ୍ତି ପଛରେ ସାନ ନେଗୀର ବେଆଇନ କଫସିରଫ ଓ ନିଶା ଔଷଧ ବ୍ୟବସାୟ ରହିଥିଲା । ପ୍ରତ୍ୟେହ ବସରେ ଜିଲା ବାହାରୁ ସହର ଭିତରକୁ କଫସିରଫ ଓ ନିଶା ଔଷଧ ଆସୁଥିବା ବେଳେ ଏଠାରୁ ବିଭିନ୍ନ ସ୍ଥାନକୁ ଯୋଗାଣ କରି ସାନ ନେଗୀ ତାର ବେଆଇନ ସାମ୍ରାଜ୍ୟ ବିସ୍ତାର କରିଥିଲା। ଗତ କିଛି ବର୍ଷ ଭିତରେ ସାନ ନେଗୀ ଏହି କାରବାରକୁ ଶୀର୍ଷରେ ପହଞ୍ଚାଇଥିଲା। ଏହି ସମୟ ଭିତରେ ସହରରେ ବେଆଇନ ନିଶା କାରବାର ବୃଦ୍ଧି ସାଙ୍ଗକୁ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ବିଗତ ବର୍ଷକ ଭିତରେ କଫସିରଫ ନିଶା କାରବାର ଯୋଗୁ ହୋଇଥିବା ଅପରାଧିକ ମାମଲା ଉପରେ ନଜର ପକାଇଲେ ବଲାଙ୍ଗୀରରେ କଫସିରଫ ବ୍ୟବସାୟ କିଭଳି ବେଧଡକ ଚାଲିଥିଲା ତାହା ସ୍ପଷ୍ଟ ହୋଇପାରିବ। କଫସିରଫକୁ ନେଇ ସହରରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଥିଲା। କିନ୍ତୁ ବଲାଙ୍ଗୀରର ଆଇନ ମହାବିଦ୍ୟାଳୟକୁ ଲାଗି ଏକ ପାନଦୋକାନ କରି ରହୁଥିବା ଜଣେ ଯୁବକଙ୍କୁ ଜୀଅନ୍ତା ଜାଳି ଦେବା ପରେ ଏହି କଫସିରଫ କାରବାରକୁ ନେଇ ସହରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ୨୦୧୮ ନଭେମ୍ବର ୨୮ ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ବିଭତ୍ସ ହତ୍ୟା ଘଟଣାରେ ଦୁଇ ଜଣକୁ ପୁଲିସ ଗିରଫ କରିଥିଲା। ଏହାର ମାତ୍ର କିଛି ଦିନ ପରେ ବଲାଙ୍ଗୀର ସହର ବରପାଲିପଡ଼ା ଠାରେ ଏହି କଫସିରଫ୍ ବ୍ୟବସାୟକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ବରପାଲିପଡ଼ାରେ କଫସିରଫ୍ ବିକ୍ରୀକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏହି ଘଟଣାରେ କଫସିରଫ୍ ବ୍ୟବସାୟୀଙ୍କ ପକ୍ଷରୁ ଆସିଥିବା କିଛି ଯୁବକ କାର ଛାଡି ଚାଲିଯାଇଥିଲେ। ଏହି କାରରୁ ହିଁ ସାନ ନେଗୀ ଓ ପ୍ରଶାନ୍ତ କ୍ଷେତୀଙ୍କ କଫସିରଫ ବ୍ୟବସାୟରେ ସଂପୃକ୍ତି ଥିବା ପୁଲିସ ସୂଚନା ପାଇଥିଲା।

କଫସିରଫର ଅବାଧ କାରବାର ଯୋଗୁ ଦିନଦ୍ୱିପହରରେ ଏହି ନିଶା ନେଉଥିବା ଯୁବକ ମାନଙ୍କ ଉତ୍ପାତ ବଢିଚାଲିଥିଲା। କିଛି ମାସ ତଳେ ଏହି ନିଶାଖୋର ଯୁବକ ମାନେ ବଲାଙ୍ଗୀର ତେଲିଗୋଠପଡାର ଏକ ଘରକୁ ପଥର ମାଡ଼ କରିବା ସହିତ ଘରେ ଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ସହରରେ ଏହି ନିଶାଖୋର ଯୁବକ ମାନଙ୍କର ଶୀକାର ହୋଇଥିଲେ ସମାଜ ଖବରକାଗଜର ବଲାଙ୍ଗୀର ପ୍ରସାର ନିର୍ବାହୀ ପ୍ରତାପ ମହାପାତ୍ର। ରାତ୍ରିରେ ସେ ରେଳଷ୍ଟେସନରୁ ଫେରିବା ବାଟରେ ତିନି ଜଣ ନିଶାଖୋର ଯୁବକ ତାଙ୍କୁ ଆକ୍ରମଣ କରି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ। ଏହି ଘଟଣା ପରେ ସହରରେ କଫସିରଫ ବ୍ୟବସାୟ ସମୂଳେ ଉପାଡିବା ପାଇଁ ବିଭିନ୍ନ ସାମାଜିକ, ରାଜନୈତିକ, ଯୁବ ସଙ୍ଗଠନ ମାନଙ୍କ ପକ୍ଷରୁ ଦାବି ଆରମ୍ଭ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ବଲାଙ୍ଗିର ଏସି କେ. ସିଭା ସୁବ୍ରମଣୀ କିଛି ସ୍ୱତନ୍ତ୍ର ଟିମ ତିଆରି କରି ତଦନ୍ତ ଆରମ୍ଭ କରିଥିଲେ। କିଛି ମାସ ଭିତରେ ଉକ୍ତ ଟିମ ସହର ତଥା ଆଖପାଖ ଅଞ୍ଚଳରେ ଥିବା ଅନେକ କଫସିରଫ ବ୍ୟବସାୟ ଉପରେ ଚଢାଉ କରି ବହୁ କଫସିରଫ ବେପାରୀକୁ ଗିରଫ କରିଥିଲା। କିନ୍ତୁ ଏହି ବେଆଇନ କାରବାରର ମାଫିଆ ସାନ ନେଗୀ ଫେରାର ମାରିଥିଲା। ଦୀର୍ଘ ଦିନ ଧରି ସାନ ନେଗୀ ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲା। ଗତ କିଛି ଦିନ ପୂର୍ବରୁ ସାନର ଘନିଷ୍ଠ ପ୍ରଶାନ୍ତ କ୍ଷେତୀକୁ ପୁଲିସ ଗିରଫ କରିଥିବା ବେଳେ ଜଣେ ସୁରକ୍ଷା ଅଧିକାରୀକୁ ସେ ଆକ୍ରମଣ କରି ଫେରାର ମାରିଥିଲା। ପ୍ରଶାନ୍ତକୁ ପୁଲିସ ଗତ କିଛି ଦିନ ହେଲା ଧରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ରବିବାର ଉଭୟ ସାନ ଓ ପ୍ରଶାନ୍ତକୁ ପୁଲିସ ଟିମ ଭୁବନେଶ୍ୱରରୁ ଗିରଫ କରିଥିବା ବଲାଙ୍ଗୀର ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।

 

Comments are closed.