ନିର୍ବାଚନ ବିରୋଧୀ ଆହ୍ବାନର ମୁକାବିଲା

0

ଆମ ଦେଶରେ ନିର୍ବାଚନ ଏକ ବ୍ୟୟବହୁଳ କାର୍ଯ୍ୟରେ ପରିଣତ ହୋଇଛି। ବିଶେଷକରି ନକ୍ସଲପ୍ରବଣ ଅଞ୍ଚଳଗୁଡ଼ିକରେ କେବଳ ନିର୍ବାଚନର ବ୍ୟୟ ବଢ଼ୁନାହିଁ, ମତଦାତାଙ୍କ ଭିତରେ ଭୟ ଓ ଆତଙ୍କ ମଧ୍ୟ ବଢ଼ୁଛି। ଗତ କେଇବର୍ଷ ଧରି ନକ୍ସଲମାନେ ଜନସାଧାରଣଙ୍କୁ ନିର୍ବାଚନରେ ଅଂଶଗ୍ରହଣ ନ କରିବା ପାଇଁ ଆହ୍ବାନ ଦେଇଆସୁଛନ୍ତି ଓ ମତାଉଛନ୍ତି। ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ସହଜ ମନେହେଉ ନାହିଁ। ଆଜି (ସୋମବାର) ଛତିଶଗଡ଼ର ୮ଟି ନକ୍ସଲପ୍ରବଣ ଜିଲାରେ ୧୮ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ତାହା ବଡ଼ ଚିନ୍ତା; କାରଣ ନକ୍ସଲମାନେ ଆଗଭଳି ଏଥର ମଧ୍ୟ ନିର୍ବାଚନକୁ ବିରୋଧ କରୁଛନ୍ତି। ଏଥିପାଇଁ ସେମାନେ ହିଂସାତ୍ମକ ଉପାୟ ଆପଣାଉଛନ୍ତି। ଗତ ପନ୍ଦର ଦିନ ମଧ୍ୟରେ ସେହି ଅଞ୍ଚଳରେ ଛଅରୁ ଅଧିକ ଆକ୍ରମଣ କରିସାରିଛନ୍ତି, ଯେଉଁଥିରୁ ତିନିଟି ବଡ଼ ଧରଣର। ଏଥିରେ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ନିଉଜର ଓଡ଼ିଆ କ୍ୟାମେରାମେନ ଅଚ୍ୟୁତାନନ୍ଦ ସାହୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର କାଁକେର୍ ଜିଲାରେ ନକ୍ସଲଙ୍କ ଦ୍ବାରା ଆଇଇଡି ବିସ୍ଫୋରଣ ଫଳରେ ଜଣେ ବିଏସ୍‌ଏଫ୍ ଯବାନଙ୍କ ପ୍ରାଣହାନି ଘଟିଥିବାବେଳେ ବିଜାପୁର ଜିଲାରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟବେଳେ ଜଣେ ନକ୍ସଲର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ନକ୍ସଲକୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ୮ରେ ଦଂତେୱାଡ଼ା ଜିଲାରେ ଆଇଇଡି ବିସ୍ଫୋରଣ କରି ନକ୍ସଲ ଏକ ବସ୍‌କୁ ଉଡ଼ାଇଦେଇଥିଲେ, ଯେଉଁଥିରେ ଚାରି ଜଣ ସାଧାରଣ ବ୍ୟକ୍ତି ଓ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅକ୍ଟୋବର ୩୦ରେ ସେହି ଅଞ୍ଚଳରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ସମେତ ୪ ଜଣ ଜୀବନ ହରାଇଥିଲେ। ଅକ୍ଟୋବର ୨୭ରେ ବିଜାପୁର ଜିଲାରେ ବିସ୍ଫୋରକ ଦ୍ବାରା ଏକ ବୁଲେଟ୍‌ପ୍ରୁଫ୍‌ ବଙ୍କର୍‌ ଯାନକୁ ଉଡ଼ାଇଦେବା ଫଳରେ ୪ ଜଣ ସିଆର୍‌ପିଏଫ୍ ଯବାନ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।
ଏସବୁ ଘଟନା କହିଦେଉଛି ଯେ ନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀମାନେ କିପରି ନିଜ ଜୀବନକୁ ପାଣି ଛଡ଼ାଇ ସେହି ଅଞ୍ଚଳକୁ ଯାଉଛନ୍ତି। କେବଳ ନିର୍ବାଚନ ପାଇଁ ଯାଇଥିବା କର୍ମଚାରୀ ନୁହନ୍ତି, ସୁରକ୍ଷା କର୍ମୀ ଓ ଖବରଦାତାଙ୍କ ପାଇଁ ମଧ୍ୟ ସେହି ଅଞ୍ଚଳ ବିପଜ୍ଜନକ ପାଲଟିଛି। ନକ୍ସଲଙ୍କ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅବଶ୍ୟ ବେଶ୍ ଯତ୍ନବାନ ଥିବା ଜଣାପଡ଼ୁଛି। ସୋମବାର ନିର୍ବାଚନ ପାଇଁ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଆଇଟିବିପି, ରାଜ୍ୟ ପୁଲିସ ଆଦିଙ୍କୁ ମିଶାଇ ପ୍ରାୟ ଏକ ଲକ୍ଷ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ରାସ୍ତାଗୁଡ଼ିକରେ ବିସ୍ଫୋରକ ସାମଗ୍ରୀ ରଖାଯାଇ ବିସ୍ଫୋରଣ କରାଯାଉଥିବାରୁ ଭୋଟଗ୍ରହଣ କେନ୍ଦ୍ରକୁ ଯାଉଥିବା କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଉଛି। ଏସବୁ ବ୍ୟବସ୍ଥା ଅତି ଜରୁରୀ ମନେହୁଏ। ଯଥେଷ୍ଟ ସୁରକ୍ଷା କର୍ମୀ ରହିଥିଲେ ମତଦାତାମାନେ ମଧ୍ୟ ନିର୍ଭୟରେ ଭୋଟ ଦେବାକୁ ବାହାରିବେ। ଏଥିପାଇଁ ହିଁ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କ ରାଗ ବେଶୀ। ବାରମ୍ବାର ସେମାନଙ୍କ ନିର୍ବାଚନ ବର୍ଜନ ଆହ୍ବାନ ସତ୍ତ୍ବେ ଲୋକେ ବହୁସଂଖ୍ୟାରେ ପ୍ରତିଥର ଭୋଟ ଦେବାକୁ ଆସିଥାନ୍ତି। ବିସ୍ଫୋରଣ ଓ ହିଂସାକାଣ୍ଡକୁ ଲୋକେ ନିର୍ବାଚନ ସମୟରେ ଖାତିର୍ କରିନାହାନ୍ତି।
ଏଥର ମଧ୍ୟ ନକ୍ସଲଙ୍କ ଆହ୍ବାନର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା। ଲୋକେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟଗ୍ରହଣ କେନ୍ଦ୍ରକୁ ଆସିବେ। ପ୍ରକୃତରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହିଂସାକାଣ୍ଡ ଦ୍ବାରା ରୋକିବାର ପ୍ରଚେଷ୍ଟା କେବେ ସଫଳ ହୋଇନାହିଁ। ଏଥର ମଧ୍ୟ ହେବନାହିଁ। ଉଗ୍ରବାଦୀମାନେ ବନ୍ଧୁକ, ବିସ୍ଫୋରକ ନେଇ ଆତଙ୍କର ବାତାବରଣ ସୃଷ୍ଟି କଲେ ମଧ୍ୟ ସେମାନେ ସବୁଥର ପରି ଏଥର ପରାଜିତ ହେବେ। ଏହାର ସଙ୍କେତ କେବଳ ଛତିଶଗଡ଼ ନୁହେଁ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ସମେତ ସମସ୍ତ ମାଓପ୍ରବଣ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯେଉଁ କେତେକ ଅଞ୍ଚଳରେ ଏହା ବଞ୍ଚିରହିଛି, ତାହା କେବଳ କିଛି ଲୋକଙ୍କ ଜିଦ୍‌ ଯୋଗଁୁ; ଏଥିପାଇଁ ଆଉ କୌଣସି ନିର୍ଦିଷ୍ଟ ବିଚାରଧାରା ବା ଆଦର୍ଶ ନାହିଁ। ସାଧାରଣ ଚାଷୀମୂଲିଆଙ୍କ ସ୍ବାର୍ଥରକ୍ଷା ପାଇଁ ଏକଦା ଯେଉଁ ସଂଘର୍ଷ ଆରମ୍ଭ ହୋଇଥିଲା, ତାହା କ୍ରମେ ଏକପ୍ରକାର ଆତଙ୍କବାଦରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆତଙ୍କ ସୃଷ୍ଟିଦ୍ବାରା ଯେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଏହା ବୁଝିବାର ସମୟ ଉପଗତ। ଯେଉଁମାନେ ହିଂସାକୁ ଉସୁକାଇବା ପରି କଥା ନିଜର ରାଜନୈତିକ ଫାଇଦା ପାଇଁ କହୁଛନ୍ତି, ସେମାନେ କେବଳ ହିଂସାକୁ ହିଁ ପ୍ରଶ୍ରୟ ଦେଉଛନ୍ତି। ଏଥିରୁ ସେମାନେ କ୍ଷାନ୍ତ ହୁଅନ୍ତୁ। ଉଗ୍ରବାଦକୁ ଆମୂଳ ଉତ୍ପାଟନ ପାଇଁ ସଙ୍କଳ୍ପ ନେବାର ସମୟ ମଧ୍ୟ ଆସିଛି। ଏଥିପାଇଁ ଦୁଇଟି ରାସ୍ତା: ପ୍ରଥମ, ହିଂସାକାଣ୍ଡ ପ୍ରମତ୍ତ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଦ୍ବିତୀୟ: ନକ୍ସଲପ୍ରବଣ ଅଞ୍ଚଳରେ କ୍ରମାଗତ ବିକାଶ, ଯାହା ସମାଜର ସବାତଳ ମଣିଷଟି ପାଖରେ ମଧ୍ୟ ପହଞ୍ଚୁଥିବ। ଯେଉଁମାନେ ଏପରି ବିକାଶର ବିରୋଧୀ, ସେମାନେ ସମାଜବିରୋଧୀ, ମାନବତାବିରୋଧୀ, ସେଥିରେ ସନ୍ଦେହ ନାହିଁ।

Leave A Reply