ନବୀନ ଓ ବିଜେଡି

0

ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳ ଗଠନ ନୂଆ କଥା କିମ୍ବା ଅସାଧ୍ୟ କାମ ନୁହେଁ। ରାଜନୈତିକ ପାଣିପାଗକୁ ଦେଖି ଏ ଦେଶରେ ଯେଉଁ ଧୂରୀଣ ନେତାମାନେ ଆଞ୍ଚଳିକ ଦଳର ମଂଜି ବୁଣି ସଫଳତାର ଫସଲ ଅମଳ କରିଛନ୍ତି ସେମାନଙ୍କ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ଜାତୀୟ ସ୍ତରର ଦଳଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ ହ୍ରାସ କରିବା ଏବଂ ନିଜ ଦଳକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇରଖି ପ୍ରାସଙ୍ଗିକ ରହିବା। ଓଡ଼ିଶାରେ ଆଞ୍ଚଳିକ ଦଳର ଉଦ୍‌ଭବ ନୂଆ ନ’ହେଲେ ମଧ୍ୟ ବିଜେଡି ବ୍ୟତୀତ ଆଉ କୌଣସି ଦଳ ସେପରି ପ୍ରଭାବଶାଳୀ ଓ ସଫଳ ହୋଇପାରିନାହିଁ। ବିଜୁବାବୁଙ୍କ ଉତ୍କଳ କଂଗ୍ରେସ ଯେଉଁ ସଫଳତା ପାଇବାରେ ବିଫଳ ହୋଇଥିଲା ତାଙ୍କ କନିଷ୍ଠ ପୁତ୍ର ନବୀନବାବୁଙ୍କ ନେତୃତ୍ବରେ ଗଠିତ ବିଜୁ ଜନତା ଦଳ (ବିଜେଡି) ସେଥିରେ ଚମତ୍କାରିତା ଆଣିଛି। ପ୍ରସଙ୍ଗକ୍ରମେ ଏହି ଦଳ ଏବେ ୨୨ବର୍ଷରେ ପଦାର୍ପଣ କରିବା ସହ ରାଜ୍ୟରେ କ୍ରମାଗତ ୧୮ବର୍ଷ ଧରି କ୍ଷମତାରେ ରହିଛି। ଦେଶରେ ଏହା ପ୍ରମାଣିତ ହୋଇଛି ଯେ ଯେଉଁ ପ୍ରଦେଶରେ ଆଞ୍ଚଳିକ ଦଳ ସବୁ ସଫଳ ହୋଇଛନ୍ତି ଏବଂ ରାଜନୈତିକସ୍ତରରେ ପ୍ରାସଙ୍ଗିକ ରହିଛନ୍ତି ସେଠାରେ ଜାତୀୟସ୍ତରର ଦଳଙ୍କ ବିଫଳତା ସେମାନଙ୍କୁ ଏହି ସୁଯୋଗ ଦେଇଛି। ଜାତୀୟ ସ୍ତରରେ ରାଜନୈତିକ ମୂଲଚାଲ ଜରିଆରେ ଆଞ୍ଚଳିକ ଦଳ ରାଜ୍ୟର ସ୍ବାର୍ଥରକ୍ଷା କରିବାର ସୁଯୋଗ ମଧ୍ୟ ପାଉଛନ୍ତି। ବିଜେପିକୁ ସାଥି କରି ବିଜେଡି କଂଗ୍ରେସକୁ ରାଜ୍ୟର କ୍ଷମତାବଳୟରୁ ଅପସାରିତ କରିବା ପରେ ରଣନୀତି ବଦଳାଇ ପଦ୍ମଦଳର ସାଙ୍ଗ ଛାଡ଼ିଥିଲା। ଏଥିରେ ବିଜେପି ମଧ୍ୟ ଆଉ ଏକ ଜାତୀୟ ଦଳ ଭାବେ ଶକ୍ତ ଧକ୍କା ରାଜ୍ୟରେ ପାଇଲା। ରାଜନୀତିରେ ସୁଯୋଗ ଓ ସଠିକ ଗୋଟିଚାଳନା ବିଶେଷ ମହତ୍ବ ରଖେ। ନବୀନବାବୁଙ୍କ ବିଜେଡି ତାହାର ଉପଯୋଗ କରି ଏଯାଏ ନିଜକୁ ଓଡ଼ିଶାରେ କେବଳ ଅପ୍ରତିଦ୍ବନ୍ଦ୍ବୀ ରଖି ନାହିଁ ଥରକୁ ଥର ପ୍ରତି ନିର୍ବାଚନରେ ନିଜର ଶକ୍ତି ବଢ଼ାଇ କ୍ଷମତାରେ ରହିଆସୁଛି। କେହିକେହି କହିପାରନ୍ତି ବିକଳ୍ପର ଅଭାବ ଯୋଗୁଁ କପାଳିଆ ନବୀନବାବୁଙ୍କୁ ଏହି ସଫଳତା ମିଳୁଛି; ତାହା ସମ୍ପୂର୍ଣ୍ଣ ଠିକ୍‌ ନ’ହେଲେ ମଧ୍ୟ ଦଳକୁ ସେ ରାଜ୍ୟରେ ଯେ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ କରିପାରିଛନ୍ତି ତାହାକୁ ଅସ୍ବୀକାର କରିହେବ ନାହିଁ। ଏହାପଛରେ ତାଙ୍କର ନିର୍ମଳ ଭାବମୂର୍ତ୍ତି, ସାଂଗଠନିକ ଦକ୍ଷତା ଓ ସଫଳ ରଣନୀତି ରହିଛି ସେ କଥାଟିକୁ ଅନ୍ତତଃ ସ୍ବୀକାର କରିବାକୁ ପଡ଼ିବ।
ଏବେ ଦଳ ୨୨ବର୍ଷରେ ପଦାର୍ପଣ କରିଛି। ପ୍ରତ୍ୟେକ ଆଞ୍ଚଳିକ ଦଳ ଭଳି ବିଜେଡି ମଧ୍ୟ ବ୍ୟକ୍ତିକୈନ୍ଦ୍ରୀକ ଓ ବ୍ୟକ୍ତିତ୍ବ ଆଧାରିତ। ନବୀନବାବୁ ତାଙ୍କ ନେତୃତ୍ବରେ ଏହି ଦଳକୁ କେବଳ ଆଗକୁ ବଢ଼ାଇ ନାହାନ୍ତି ଏକ ଆଞ୍ଚଳିକ ଶକ୍ତି ଭାବେ ଜାତୀୟ ରାଜନୀତିରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ବିଜେଡିର ଏହି ବିଜୟଯାତ୍ରା ଆଉ କେତେକାଳ ଚାଲିବ ? ନବୀନବାବୁ ଆଉ ଏହାକୁ କେତେକାଳ ନେତୃତ୍ବ ଦେଇ ଆସିବେ। ଏ କଥା ସତ ଯେ ସବୁ ନେତାଙ୍କର ନେତୃତ୍ବ ନେବାର ଏକ ସମୟ ଥାଏ ଏବଂ ବୟାସାଧିକ୍ୟ ଏବଂ ଅନ୍ୟାନ୍ୟ କାରଣରୁ ନେତାଙ୍କୁ ହଟି ନୂଆ ନେତୃତ୍ବକୁ ଆଗକୁ ଆଣିବାକୁ ପଡ଼େ। ନବୀନବାବୁ ସେ ସମୟରେ ପହଞ୍ଚିଲେଣି ବୋଲି ଆମେ କହୁନୁ; କିନ୍ତୁ ମନେହେଉଛି ଏହି ବିଜେଡି ଆନ୍ଦୋଳନକୁ ଆଗେଇ ନେବା ପାଇଁ ଅବଶ୍ୟ ସେ ନୂଆ ନେତା ମନେମନେ ଖୋଜୁଥିବେ। ଏଥିରେ ତାଙ୍କୁ ପରାମର୍ଶ ଦେବା ଅନାବଶ୍ୟକ କାରଣ ଦଳ ତାଙ୍କର ଓ ସେ ହିଁ ସର୍ବେସର୍ବା। ବିଜେଡିର ଆଉ ଏକ ବିଶେଷତ୍ବ ହେଲା ପ୍ରତିଷ୍ଠା କାଳରୁ ଏହା ପରାଜୟ ଦେଖିନାହିଁ କିମ୍ବା ଜଟିଳ ରାଜନୈତିକ ସଂକଟର ସମ୍ମୁଖୀନ ହୋଇନାହିଁ। ସବୁକଥା ମୋଟାମୋଟି ଠିକ୍‌ଠାକ୍‌ ଚାଲିଛି। ହେଲେ ଗଣତନ୍ତ୍ରରେ ବିଜୟଧାରା ଅନନ୍ତ ସମୟ ପାଇଁ ଚାଲେନା। ନବୀନଙ୍କଠାରୁ ଏକାଦିକ୍ରମେ ଅଧିକକାଳ ଶାସନ କରିଥିବା ନେତା ଓ ଦଳଙ୍କୁ ଭୋଟର ବିଭିନ୍ନ ରାଜ୍ୟରେ ଇତିହାସର ଅଳିଆଗଦାକୁ ଫିଙ୍ଗି ଦେଇଥିବାର ନଜିର୍‌ ରହିଛି। ଏହି ପ୍ରତ୍ୟାଖ୍ୟାନ ପଛରେ ରହିଛି ଭୋଟରଙ୍କ ଅନାସ୍ଥାଭାବ। ଲୋକେ ଭଲ ଶାସନ ଓ ରାଜନୈତିକ ସ୍ଥିରତା ଚାହାନ୍ତି ଏବଂ ତା’ମାଧ୍ୟମରେ ସୁଖଶାନ୍ତି, ସମୃଦ୍ଧି ଓ ବିକାଶ ଲୋଡ଼ନ୍ତି। ସମାନ୍ତରାଳ ଭାବେ ସେମାନେ ମଧ୍ୟ ବିକଳ୍ପ ଉପରେ ନଜର ରଖିଥାନ୍ତି। ଶାସନ ଓ ଶାସକ ଅହଙ୍କାରୀ ହେଲେ, ଲୋକଙ୍କ ଆଶା ଆକାଙ୍‌କ୍ଷା ପୂରଣ ନ’ହେଲେ ଲୋ​‌େ​‌କ ପରୀକ୍ଷିତ ଦଳକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥାନ୍ତି। ଲମ୍ବା ଶାସନରେ ସରକାରୀସ୍ତରରେ ଦୁର୍ନୀତି ବଢ଼େ ଓ ଅନେକ ତ୍ରୁଟି ବିଚ୍ୟୁତି ମଧ୍ୟ ଘଟେ। ଶାସକ ଦଳର ଲୋକପ୍ରତିନିଧି ଅହଙ୍କାରୀ ହୁଅନ୍ତି ଏବଂ ଅଧିକାରୀଙ୍କ ମର୍ଜି ବଢ଼େ। ଏସବୁ କଥା ପ୍ରତି ନବୀନବାବୁଙ୍କୁ ସତର୍କ ଦୃଷଟି ଦେବାକୁ ପଡ଼ିବ।
ରାଜନୀତିରେ ସୁଯୋଗ, ଅନୁକୂଳ ଅବସ୍ଥା ଚିରସ୍ଥାୟୀ ନୁହେଁ। ଲୋକେ ବିକଳ୍ପ ଲୋଡ଼ନ୍ତି ଓ ସୁଯୋଗ ମିଳିଲେ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି। ବିଜେଡି ଏବେ ଅପ୍ରତିଦ୍ବନ୍ଦ୍ବୀ ଅବସ୍ଥାରେ ନାହିଁ କହିଲେ ଭୁଲ ହେବ। ବିରୋଧୀ କଂଗ୍ରେସ, ବିଜେପି ନିଜନିଜ ଶକ୍ତି ଓ ସଂଗଠନ ବଳରେ ମଇଦାନକୁ ଓହ୍ଲାଉଛନ୍ତି। ସେମାନେ ବିଜେଡିର ଦୋଷଦୁର୍ବଳତା ଓ ତ୍ରୁଟିକୁ ପଦାରେ ପକାଇବାକୁ ଚେଷ୍ଟିତ। ସେମାନେ ଯେ ଭରସାଯୋଗ୍ୟ ନୁହଁନ୍ତି ଏ କଥା ଭାବିବା ମୂର୍ଖତା। ​‌େ​‌ତଣୁ କେବଳ କେନ୍ଦ୍ର ବିରୋଧୀ, ଶସ୍ତା ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ଏବଂ ଶସ୍ତା ଲୋକପ୍ରିୟତାରେ ବିଜେଡି ଆନ୍ଦୋଳନକୁ ଆଉ ଅଧିକ କାଳ ଚଳେଇ ରଖିବା ସହଜ ମନେହୁଏନା। ନବୀନବାବୁଙ୍କ ପାଇଁ ୨୦୧୯ ଏକ ଭିନ୍ନ ପରୀକ୍ଷାର ବର୍ଷ ହୋଇପାରେ। ସେ ନିଜକୁ କିପରି ରାଜ୍ୟ ରାଜନୀତିରେ ଅପରାଜେୟ, ଅପ୍ରତିଦ୍ବନ୍ଦ୍ବୀ ରଖିବେ ଓ ନିଜ ଦଳକୁ ଅପରିହାର୍ଯ୍ୟ ଏବଂ ସମୟୋପଯୋଗୀ କରିବେ ଏହା ତାଙ୍କ ରଣନୀତି ଉପରେ ନିର୍ଭରକରେ।

Leave A Reply