ଧଳା ସୁନାରେ କଳା କନା

0

ଭବାନୀପାଟଣା: ଚଳିତ ବର୍ଷ କଳାହାଣ୍ଡି ଜିଲାରେ ଅନୁକୁଳ ପାଗ ଯୋଗୁଁ କପା ଚାଷ ଭଲ ହେବ ବୋଲି ଚାଷୀ ଆଶାବାଦୀ ଥିଲେ। ତେବେ ଠିକ ଫୁଲ ଓ ଫଳ ଧରିବା ବେଳକୁ ପତ୍ର ଡିଅାଁ ପୋକ ବା ଦହିଆପୋକ ଯୋଗୁଁ କପା ଚାଷ ସବୁ ନଷ୍ଟ ହେବାକୁ ବସିଛି। ବହୁ ସ୍ଥାନରେ କପା କଢ଼ ନଷ୍ଟ ହୋଇଗଲାଣି। ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ୫୭,୭୧୧ ହେକ୍ଟର ଚାଷ ଜମିରେ କପା ଚାଷ କରାଯାଇଥିଲା। ବିଭାଗୀୟ ପ୍ରତିଶ୍ରୁତି ଓ ବେଶ ଦିପଇସା ରୋଜଗାର ଆଶାରେ ଚାଷୀମାନେ ମଧ୍ୟ ଏହି ଅର୍ଥକାରୀ ଫସଲ ଚାଷ କରିବା ପାଇଁ ବ୍ୟାଙ୍କ ଋଣ ଓ ସାହୁକାରଠାରୁ ଧାର କରଜ କରି ଚାଷ କରିଥିଲେ। ହେଲେ ପ୍ରଥମେ ବନ୍ୟା ଯୋଗୁଁ କପା ଗଛମୁଳେ ପାଣି ଜମି ଅଧିକାଂଶ କପା ନଷ୍ଟ ହୋଇଯାଇଥିବା ବେଳେ ଏବେ ଏବେ ଠିକ ଫୁଲ ଓ ଫଳ ଧରିବା ବେଳକୁ ପତ୍ର ଡିଅାଁ ପୋକ ବା ଦହିଆପୋକ ଯୋଗୁଁ କପା ଚାଷ ସବୁ ନଷ୍ଟ ହେବାକୁ ବସିଛି। ଗତ ବର୍ଷ ବନ୍ୟା ବାତ୍ୟା ଯୋଗୁଁ ନଷ୍ଟ ହୋଇଥିବା ଫସଲ ବାବଦକୁ ବୀମା ରାଶି ଚାଷୀ ପାଇ ନ ଥିବାବେଳେ ଚଳିତ ବର୍ଷ ଚକଡା ପୋକ ଚାଷକୁ ନଷ୍ଟ କରିଦେଇ ସାରିଲାଣି। ଏପରି ପରିସ୍ଥିତିରେ କପା ଚାଷରେ ରୋଗ ପୋକ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସରକାର ଜାତୀୟ ଖାଦ୍ୟ ଯୋଗାଣ ନିଗମ ଯୋଜନାରେ କପା ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ସାର ଓ ବିହନ ଯୋଗାଇଦେବାକୁ ଚାଷୀଙ୍କୁ କହି କପା ଚାଷ କରିବାକୁ କହିଥିଲେ। ହେଲେ ଠିକ କପା ଚାଷରେ ରୋଗ ପୋକ ଲାଗିଲା ବେଳକୁ ବିଭାଗ ହାତ ଟେକିଦେଉ ଥିବାରୁ ଚାଷୀ ବାଧ୍ୟ ହୋଇ ବଜାରରୁ ଚଢା ଦରରେ ସାର କିଣି କପା ଚାଷରେ ପ୍ରୟୋଗ କରୁଛି। ଚାଷୀ ନିଜ ଭାଗ୍ୟକୁ ଆଦରି ଦାଦନ ଯିବା ପାଇଁ ସଜବାଜ ହେଉଛି। ତୁରନ୍ତ ରାଜ୍ୟ ସରକାର ଓ କୃଷି ବିଭାଗ ଯୁଦ୍ଧକାଳିନ ଭିତ୍ତିରେ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ କଳାହାଣ୍ଡିର ଚାଷୀ ସର୍ବସ୍ୱାନ୍ତ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave A Reply