ଦେଶ ବାହୁଡ଼ିବାକୁ ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି; କେବଳ ସଂଯୁକ୍ତ ଆରବ ଏମିରେଟ୍ସରୁ ପଞ୍ଜିକରଣ କଲେଣି ୩୨ ହଜାର

ନୂଆଦିଲ୍ଲୀ: ଘର ବାହୁଡ଼ା ଲାଗି ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି । କରୋନା ଯୋଗୁଁ ବିଦେଶରେ କାମଧନ୍ଦାର ଅଭାବ ଓ ସେଠାରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ ପ୍ରବାସୀ ଭାରତୀୟମାନେ ଏବେ ଦେଶମୁହାଁ । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଭାରତୀୟଙ୍କ ସଂଖ୍ୟା ଢ଼େର ବେଶୀ । ସାଉଦି ଆରବ, କୁଏତ, ଇରାକ୍, ଇରାନ ଆଦି ଦେଶରେ ବହୁ ଭାରତୀୟ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଛନ୍ତି । ତୈଳ ସମୃଦ୍ଧ ଏହି ଧନୀ ଦେଶଗୁଡ଼ିକ ମଧ୍ୟ କରୋନା ସଙ୍କଟରୁ ବର୍ତି ପାରି ନାହାନ୍ତି । ତେଣୁ କିଛି ସ୍ଥାନରେ ଛଟେଇ ଚାଲିଛି ତ କିଛି ସ୍ଥାନରେ ଅସ୍ଥାୟୀ ଭାବରେ କାର୍ଯ୍ୟ ବନ୍ଦ ରହିଛି । ଏଥିପାଇଁ ବହୁ ଭାରତୀୟ ଦେଶକୁ ଫେରି ଆସିବାକୁ ଚାହୁଁଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ଦୂତାବାସରେ ପ୍ରାୟ ୩୨ ହଜାର ଲୋକ ଭାରତ ଫେରିବାକୁ ପଞ୍ଜିକରଣ କରିଥିବା ସୂଚନା ମିଳିଛି ।

ବୁଧବାର ରାତିରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ଘରକୁ ଫେରିବାକୁ ଚାହୁଁଥିବା ଲୋକମାନେ ପଞ୍ଜିକରଣ କରିବାକୁ କହିଥିଲା। ଏହାପରେ ହଜାର ହଜାର ଲୋକ ତୁରନ୍ତ ୱେବସାଇଟରେ ଆବେଦନ କରିଥିଲେ । ଯେଉଁଥିପାଇଁ ଦୂତାବାସ ୱେବସାଇଟ କିଛି ସମୟ ପାଇଁ ହ୍ୟାଙ୍ଗ ହୋଇ ଯାଇଥିଲା । ଏହା ସତ୍ବେ ଓେବସାଇଟକୁ ମରାମତି କରାଯାଇଥିଲା । ଦୂତାବାସ ପକ୍ଷରୁ ପ୍ରଥମ ପଞ୍ଜିକରଣ କରିଥିବା ଲୋକଙ୍କୁ ପ୍ରଥମେ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଛି ଏବଂ ଏଥିରେ ବୟସ୍କ ନାଗରିକ ଓ ମହିଳାଙ୍କୁ ପ୍ରାଥମିକତା ଦିଆଯାଇଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଘରବାହୁଡ଼ା ପାଇଁ ବ୍ୟଗ୍ର ଅଛନ୍ତି; ହେଲେ ଲକ୍ଡ଼ାଉନର ନିୟମକୁ ମଧ୍ୟ ପାଳନ କରିବା ଆବଶ୍ୟକ । ତେବେ କେବେ ଘରବାହୁଡ଼ା ଆରମ୍ଭ ହେବ ତାହା ଏବେଠାରୁ ସ୍ପଷ୍ଟ ଭାବରେ କୁହାଯାଇ ପାରିବ ନାହିଁ । ଯେତେବେଳେ ଭାରତ ସରକାର ବିମାନସେବାକୁ ମଞ୍ଜୁରୀ ଦେବେ ସେତେବେଳେ ଲୋକମାନଙ୍କୁ ଘର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦୂତାବାସ ସୂଚନା ଦେଇଛି । .

Comments are closed.