ଦେଶରେ ନିଯୁକ୍ତି ସଂକଟ

ଜନ ବିସ୍ଫୋରଣ ଅନେକ ସମସ୍ୟା ସୃଷ୍ଟି କରେ। ଲୋକସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ିଲେ ସାମାଜିକ, ଆର୍ଥିକ ସମସ୍ୟା ଉତ୍କଟ ହୁଏ। ଭାରତରେ ଜନସଂଖ୍ୟା ଜ୍ୟାମିତିକ ହାରରେ ବୃଦ୍ଧି ପାଉଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମମାନ ବିଶେଷ ସଫଳ ହେଉନାହିଁ। ଲୋକସଂଖ୍ୟା ବଢ଼ିଲେ ଖାଦ୍ୟ, ବାସ ଓ ରୋଜଗାର ସମସ୍ୟା ସୃଷ୍ଟି ହୁଏ। ଉଭୟ ଶିକ୍ଷିତ ଓ ଅଶିକ୍ଷିତ ଯୁବକ ଯୁବତୀମାନେ ନିଯୁକ୍ତି ବଜାରକୁ ଆସନ୍ତି ଓ କର୍ମସଂସ୍ଥାନ ଲୋଡ଼ନ୍ତି। ଭାରତରେ ନିଯୁକ୍ତି ସୁଯୋଗ ଜନସଂଖ୍ୟା ଅନୁପାତରେ ଅତ୍ୟନ୍ତ ସୀମିତ। ଅତଏବ ସବୁ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଏକ ସହଜ କାମ ନୁହେଁ। ମୋଦୀ ସରକାର ପ୍ରଥମ ପାଳିରେ ଦେଶରେ ନିଯୁକ୍ତି ସୁବିଧା କରିବାରେ ବିଫଳ ଥିଲା ବୋଲି ବିରୋଧୀମାନେ ସମାଲୋଚନା କରିଥିଲେ। ତେବେ ବୁଝିବା କଥା ଯେ କର୍ମନିଯୁକ୍ତି ସମସ୍ୟା ଏକ ନିରନ୍ତର ପ୍ରକ୍ରିୟା ଏବଂ ମୋଦୀଙ୍କ ପୂର୍ବରୁ ମଧ୍ୟ ଏହାଥିଲା। ଏବେ ବେକାରୀ ସଂଖ୍ୟା ୪୫ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ମୋଦୀ ସରକାର ଦ୍ବିତୀୟବାର କ୍ଷମତାକୁ ଆସିବାପରେ ଏହି ପ୍ରସଙ୍ଗକୁ ଗୁରୁତ୍ବରସହ ବିଚାର କରୁଛନ୍ତି। ଏହାର କାରଣ ହେଲା ଦେଶର ଯୁବବର୍ଗ ମୋଦୀଙ୍କ ନେତୃତ୍ବ ଓ ତାଙ୍କ ସରକାର ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦ୍ବିତୀୟଥର ପାଇଁ କ୍ଷମତାକୁ ଆଣିଛନ୍ତି। ଦେଶରେ କୃଷି ଓ କୃଷକ ସମସ୍ୟା ମଧ୍ୟ ଗୁରୁତର। ଏହା ସତ୍ତ୍ବେ ନିର୍ବାଚନରେ କୃଷକ ଓ କୃଷିଶ୍ରମିକ ମୋଦୀଙ୍କ ପ୍ରତି ବିପୁଳ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ନୂଆ ସରକାରଙ୍କ ପକ୍ଷରୁ ଶପଥଗ୍ରହଣ ପରଦିନ ତୁରନ୍ତ କୃଷକଙ୍କ କଲ୍ୟାଣ ଓ କୃଷିର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରାଯାଇଛି।
ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ସଂକଟ ପ୍ରତି କେନ୍ଦ୍ର ସରକାର ମଧ୍ୟ ସଚେତନ ଥିବା ତାଙ୍କ କାର୍ଯ୍ୟରୁ ଜଣାପଡ଼ୁଛି। ଏବେ ଦେଶର ବିଭିନ୍ନ ସରକାରୀ କ୍ଷେତ୍ରରେ ଯେଉଁସବୁ କର୍ମଚାରୀ ପଦ ଖାଲି ପଡ଼ିଛି ତାହାର ​‌ମୋଟ ସଂଖ୍ୟା ୪ଲକ୍ଷରୁ ଅଧିକ। ସେଥିମଧ୍ୟରୁ ଆଗାମୀ କେଇ ମାସ ମଧ୍ୟରେ ୭୫ ହଜାର ପଦପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ନିଶ୍ଚିତ ଉତ୍ସାହଜନକ। ତେବେ ​‌େ​‌ବକାରୀ ସଂଖ୍ୟା ଅନୁପାତରେ ସରକାରୀ ଚାକିରି ଅତ୍ୟନ୍ତ ସ୍ବଳ୍ପ। ତେଣୁ ବେସରକାରୀ କ୍ଷେତ୍ର ଓ ଅନ୍ୟାନ୍ୟ ଉଦ୍ୟୋଗରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ହେବ। ଏହାକୁ ନଜରରେ ରଖି ସରକାର ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହାଦ୍ବାରା ଶିକ୍ଷିତ, କୁଶଳୀ ଓ ଅର୍ଦ୍ଧଶିକ୍ଷିତ ନିଯୁକ୍ତି ଆଶାୟୀ କର୍ମସଂସ୍ଥାନର ସୁବିଧା ଅବଶ୍ୟ ପାଇବେ। ସେହିଭଳି କୃଷି ଓ ତତ୍‌ସଂକ୍ରାନ୍ତ କ୍ଷେତ୍ରର ବିକାଶ ଘଟାଇ ଅଧିକ ରୋଜଗାର ସୃଷ୍ଟିର ଉଦ୍ୟମ ମଧ୍ୟ ସରକାର ଜାରି ରଖିଛନ୍ତି।
ନିଯୁକ୍ତି ଓ ରୋଜଗାର ସୃଷ୍ଟି ଯେ କୌଣସି ଦାୟିତ୍ବବାନ ସରକାରର ପ୍ରଥମ ଅଗ୍ରାଧିକାର ବିଷୟ। ମୋଦୀ ସରକାର ଯେ ଏହି ବାସ୍ତବତାକୁ ଉପେକ୍ଷା କରୁଛନ୍ତି, ଏହା କୁହାଯାଇ ନ’ପାରେ। ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ରଣନୀତି ଓ ଯୋଜନା ପ୍ରଣୟନସହ ସରକାରୀ ଇଚ୍ଛାଶକ୍ତିର ଭୂମିକା ବିଶେଷ ମହତ୍ତ୍ବ ରଖେ। ଆଶାକରିବା ସରକାର ଏକ୍ଷେତ୍ରରେ ସୃଷ୍ଟ ଆହ୍ବାନର ମୁକାବିଲା କରିବାରେ ସଫଳ ହେବେ।

Comments are closed.