ଦିଲ୍ଲୀର କିରାଡ଼ୀ ଫର୍ନିଚର ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୮ ଦମକଳ ଗାଡ଼ି ମୁତୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କିରାଡ଼ୀ ଅଞ୍ଚଳରେ ଥିବା ଏକ ଫର୍ନିଚର ମାର୍କେଟରେ ମଙ୍ଗଳବାର ପୂର୍ବାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଏହି ଗୋଦାମ ପ୍ରାୟ ୩୦୦ ବର୍ଗ ମିଟର ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଆଖପାଖ ଦୋକାନକୁ ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଗୋଦାମ ସମେତ ମାର୍କେଟରେ ବହୁ ପରିମାଣରେ କାଠ ନିର୍ମିତ ଆସବାବପତ୍ର ରହିଥିବାରୁ ଅନ୍ୟ ଦୋକାନଗୁଡ଼ିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଖରବ ପାଇ ତୁରନ୍ତ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ କେହି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ରେ ଥିବା ଏକ ମଣ୍ଡି ଏବଂ ଲଗେଜ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଅଧିକ ଆହତ ହୋଇଥିଲେ।

Comments are closed.