ତେଲ ତାତି: କେନ୍ଦ୍ର ଉପରେ ଦୋଷ ଲଦିଲା ରାଜ୍ୟ

0

ଭୁବନେଶ୍ୱର: ଓଡ଼ିଶାରେ ଡିଜେଲ ଦର ପେଟ୍ରୋଲକୁ ଟପିଯାଇଥିବାବେଳେ ଏହାର କାରଣକୁ ନେଇ ଏବେ ବିଜେଡ଼ି ଓ ବିଜେପି ମୁହାଁମୁହି ସ୍ଥିତିକୁ ଆସିଛନ୍ତି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହରା କହିଛନ୍ତି ଡିଜେଲର ମୂଳ ଦର ବୃଦ୍ଧି କାରଣରୁ ପେଟ୍ରୋଲଠାରୁ ଡ଼ିଜେଲ ଦର ଅଧିକ ହୋଇଛି। କେନ୍ଦ୍ର ସରକାର ଡ଼ିଜେଲର ମୂଳ ଦର କ’ଣ ପାଇଁ ୫ଟଙ୍କା ବୃଦ୍ଧି କରିଛନ୍ତି ତାହାର ସ୍ପଷ୍ଟୀକରଣ ରଖିବା ଦରକାର। ଅନ୍ୟପକ୍ଷରେ ବିଜେପି କହିଛି ରାଜ୍ୟ ସରକାର ଭାଟ କମାଇଲେ ଡିଜେଲ ଦର ହ୍ରାସ ପାଇବ।
ପେଟ୍ରୋଲକୁ ଡ଼ିଜେଲ ଦର ଟପିଯିବା ଘଟଣା ନେଇ ସାମ୍ବାଦିକମାନେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ କହିଥିଲେ ଯେ ପେଟ୍ରୋଲ ଓ ଡ଼ିଜେଲ ଉପରୁ ଦର କମାଇବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏ ପର୍ଯ୍ୟନ୍ତ କୌଣସି ଦିନ ଟଙ୍କାଟିଏ ବି କମିନି। ବାସ୍ତବ ତଥ୍ୟ ପେଟ୍ରୋଲିୟମ ମନ୍ତ୍ରୀଙ୍କ ପାଖରେ ରହିଛି। କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ତେଲର ମୂଳ ଦର କମ୍ପାନୀର ମର୍ଜି ଉପରେ ଛାଡ଼ିଦେଇଛି। ଡିଜେଲର ମୂଳ ଦର ଅଧିକ ନେବା ଦ୍ୱାରା ସ୍ୱାଭାବିକ ଭାବେ ଦର ବଢ଼ିବ। ଏଥିନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି।
ଏନଡ଼ିଏ ସରକାର କେନ୍ଦ୍ରରେ ଦାୟିତ୍ୱ ନେବା ପରଠୁ ୨୦୧୪ ମସିହାରୁ ଏ ପର୍ଯ୍ୟନ୍ତ ୩୩୦ପ୍ରତିଶତ ଟିକସ ବଢ଼ାଇଲେଣି। ହେଲେ ସବୁ ରାଜ୍ୟ ମିଶି ଏ ପର୍ଯ୍ୟନ୍ତ ମାତ୍ର ୩୦ପ୍ରତିଶତ ବଢ଼ାଇଛନ୍ତି। କେନ୍ଦ୍ର ପେଟ୍ରୋଲ ଓ ଡ଼ିଜେଲକୁ କାମଧେନୁ ଭାବି ରୋଜଗାର କରୁଛନ୍ତି ବୋଲି ସେ କହିଥିଲେ। ଶ୍ରୀ ବେହେରା ଏ ସଂକ୍ରାନ୍ତରେ ଏକ ତଥ୍ୟ ରଖି କହିଛନ୍ତି ଯେ ଗତ ୫ତାରିଖରେ ପେଟ୍ରୋଲର ମୂଳ ଦର ୪୩ଟଙ୍କା୧୨ ପଇସା ଥିବାବେଳେ ଗତ ୧୬ତାରିଖ ସୁଦ୍ଧା ୪୪ଟଙ୍କା ୪୩ପଇସାକୁ ବୃଦ୍ଧି ପାଇଛି। ଗତ ୧୧ଦିନ ଭିତରେ ପେଟ୍ରୋଲର ମୂଳ ଦର ଲିଟର ପିଛା ୧ଟଙ୍କା ୪ପଇସା ବଢ଼ିଛି। କିନ୍ତୁ ଡିଜେଲ ଦର ଏହି ସମୟ ଭିତରେ ୨ଟଙ୍କା ୩୩ପଇସା ବଢ଼ି ଲିଟର ପିଛା ୪୪ଟଙ୍କା ୧୬ପଇସାରୁ ବଢ଼ି ୪୩ଟଙ୍କା ୮ପଇସାରେ ପହଞ୍ଚିଛି।
ଏହା ପରେ ଗତ ୧୭ରୁ ୨୨ତାରିଖ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧ଟଙ୍କା ୮ପଇସା କମି ୪୪ଟଙ୍କା ୧୬ ପଇସାରୁ ୪୩ଟଙ୍କା ୮ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପିଛା ମାତ୍ର ୬୫ପଇସା ହ୍ରାସ ପାଇଛି। ଏହି ସମୟ ଭିତରେ ଡ଼ିଜେଲ ଲିଟର ପିଛା ଦର ୪୮ଟଙ୍କା ୪୬ପଇସାରୁ ୪୮ଟଙ୍କା ୨୧ପଇସାକୁ କମିଛି। ତେଣୁ ଡ଼ିଜେଲର ମୂଳ ଦର ବୃଦ୍ଧି ଯୋଗୁଁ ଏହାର ରିଟେଲ ବିକ୍ରି ମୂଲ୍ୟ ଭୁବନେଶ୍ୱରରେ ୨୨ତାରିଖ ସୁଦ୍ଧା ଲିଟର ପିଛା ୮୦ଟଙ୍କା ୪୫ପଇସାରେ ପହଞ୍ଚିଛି। କିନ୍ତୁ ଏହି ସମୟରେ ପେଟ୍ରୋଲ ଲିଟର ପିଛା ଦାମ ଡ଼ିଜେଲଠାରୁ କମ୍‍ ୮୦ଟଙ୍କା ୩୨ପଇସା ରହିଛି।
ଶ୍ରୀ ବେହେରା କହିଥିଲେ ଯେ ୨୦୧୪ ଏପ୍ରିଲ ୨ରେ ପେଟ୍ରୋଲର ମୂଳ ଦର ୪୮ଟଙ୍କା ୮୯ପଇସା ଥିବାବେଳେ ଡିଜେଲର ଦର ଥିଲା ୪୪ଟଙ୍କା ୭୨ପଇସା। ୨୦୧୮ ଅକ୍ଟୋବର ୨୨ରେ ପେଟ୍ରୋଲର ମୂଳ ଦର ୪୩ଟଙ୍କା ୮ପଇସା ଥିବାବେଳେ ଡ଼ିଜେଲର ମୂଳ ଦର ୪୮ଟଙ୍କା ୨୧ପଇସାରେ ପହଞ୍ଚିଛି।
ଓଡ଼ିଶାରେ ପେଟ୍ରୋଲଠାରୁ ଡିଜେଲ ମୂଲ୍ୟ ଟପିବା ଘଟଣାରେ ରାଜ୍ୟ ସରକାର କେନ୍ଦ୍ର ଉପରକୁ ଦୋଷ ଠେଲିଥିବାବେଳେ ବିଜେପି ଏହାର ପାଲଟା ଜବାବ ଦେଇଛି। ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରୁ ଭାଟ କମାଇବାକୁ ଦଳ ଦାବି କରିଛି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ତେଲ ଦର କମ୍‍ ଥିବାବେଳେ ଓଡ଼ିଶାରେ କାହିଁକି ଅଧିକ ରହୁଛି, ସେ ବିଷୟରେ ଓଡ଼ିଶା ସରକାର ତର୍ଜମା କରିବା ଦରକାର।

Leave A Reply