ତେଜସ୍ବୀ ତପୀ

ଏକଦା ମହର୍ଷି ଅତ୍ରି ଆପଣା ଆଶ୍ରମରୁ ବାହାରି ପ୍ରବଜ୍ୟାରେ ଯାଉଥାନ୍ତି। ଯେଉଁଠାରେ ସନ୍ଧ୍ୟାହୁଏ ସେହିଠାରେ ଅବସ୍ଥାନ କରୁଥାନ୍ତି। କେବେ କେମିତି ସଦ୍‌ଗୃହସ୍ଥ ବୋଲି ହୃଦ୍‌ବୋଧ ହେବା ପରେ ତାଙ୍କ ଗୃହରେ ରାତ୍ରିଯାପନ କରୁଥାନ୍ତି। ଥରେ ଯାତ୍ରା କାଳରେ ଏକ ଗ୍ରାମ ମଧ୍ୟ ଦେଇ ଯାଉଥାନ୍ତି। ସେହି ଗ୍ରାମ ପାରିହେଲେ ଆଗକୁ ପଡ଼ିବ ଅଗନାଅଗନି ବନସ୍ତ। ଜଙ୍ଗଲ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ତଥା ଦୁର୍ଗମ ଥିଲା। ସନ୍ଧ୍ୟା ହୋଇଆସୁଥାଏ। ଏପରି ସମୟରେ ଜଙ୍ଗଲରାସ୍ତା ଦେଇ ଗଲେ ହିଂସ୍ରଜନ୍ତୁଙ୍କ ଶିକାର ହେବା ତଥା ଜଙ୍ଗଲରେ ବାଟ ଭୁଲିବା ସ୍ବାଭାବିକ ଥିଲା। ତେଣୁ ଅତ୍ରି ଜଣେ ସଦ୍‌ଗୃହସ୍ଥଙ୍କ ଗୃହରେ ରାତ୍ରିଯାପନ ନିମନ୍ତେ ଭାବିଥିଲେ। ସଦ୍‌ ଗୃହସ୍ଥଙ୍କ ଅନୁସନ୍ଧାନରେ ଥିବାବେଳେ ଅତି ଧର୍ମପରାୟଣ କୁହାଯାଉଥିବା, ଗୈରିକ ବସନଧାରୀ ଜଣେ ବ୍ୟକ୍ତି ବହୁତ ଖୁସି ହୋଇ, ଅତି ଆଦରରେ ନିଜ ଗୃହକୁ ନିମନ୍ତ୍ରଣ କରିଥିଲେ। ଅତ୍ରି ଜାଣିପାରିଥିଲେ ଯେ ଗୃହର ସମସ୍ତ ସଦସ୍ୟ ଶୁୁଦ୍ଧପୂତ ଜୀବନଯାପନ କରୁଛନ୍ତି। ସେମାନଙ୍କର କୌଣସି ଦୋଷ-ଦୁର୍ଗୁଣ ନାହିଁ। ତେଣୁ ଗୃହକର୍ତ୍ତାଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ। ଅନସୂୟା ନାମ୍ନୀ ସର୍ବଲକ୍ଷଣ ଯୁକ୍ତ କନ୍ୟା ଥିବାର ଜାଣି ତାଙ୍କୁ ନେଇ ସଂସାର ଧର୍ମ ପାଳନ ଉଦ୍ଦେଶ୍ୟରେ ଅତ୍ରି ଗୃହକର୍ତ୍ତାଙ୍କୁ ପ୍ରାର୍ଥନା କରି କହିଥିଲେ- ‘ଦେହି ମେ ସୁଖଦାଂ କନ୍ୟା’- ଆପଣଙ୍କ କନ୍ୟା, ମୋତେ ଦିଅନ୍ତୁ।
ସେ ସମୟରେ ପ୍ରାୟତଃ ବର ହିଁ ନିଜ ପାଇଁ ସୁକନ୍ୟା ଅନ୍ବେଷଣ କରୁଥିଲେ, କନ୍ୟା ପକ୍ଷ ବର ତଲାସରେ ଯାଉ ନଥିଲେ। ଆହୁରି ମଧ୍ୟ ପୁରୁଷଙ୍କ ଅପେକ୍ଷା ନାରୀ ଅଧିକ ଗରିମାମୟ ବିବେଚିତ ହେଉଥିଲେ। ଗୃହସ୍ଥ ଅତ୍ରିଙ୍କଠାରୁ ଏହା ଶୁଣି ନିଜ ପତ୍ନୀଙ୍କ ସହିତ ଆଲୋଚନା କଲେ। ଅତ୍ରିଙ୍କ ବଂଶ ପରିଚୟ ସମ୍ପର୍କରେ ପଚାରି ବୁଝିଲେ। ତାଙ୍କୁ ଉପଯୁକ୍ତ ତଥା ଯୋଗ୍ୟ ବର ଭାବେ ବିବେଚନା କରି ଅଗ୍ନିକୁ ସାକ୍ଷୀ ରଖି ସେହିଠାରେ ତାଙ୍କର ବିବାହସଂପନ୍ନ ହୋଇଥିଲା ଓ କନ୍ୟାକୁ ଅତ୍ରିଙ୍କ ସହ ବିଦାୟ ଦେବାକୁ ମନସ୍ଥ କରିଥିଲେ ଗୃହସ୍ଥ। ଅତ୍ରିଙ୍କ ନିକଟରେ କିଛି ହିଁ ନଥିଲା- ଏହି କାରଣରୁ ପ୍ରାଥମିକ ଅବସ୍ଥାରେ ଚଳିବା ତଥା ଗୃହସ୍ଥ ଧର୍ମ ସଞ୍ଚାଳନ ନିମନ୍ତେ ପ୍ରାରମ୍ଭିକ ସହଯୋଗ ଭାବରେ ଅନ୍ନ, ବସ୍ତ୍ର, ଗୋ ଦାନ, ଧନ ଇତ୍ୟାଦି ଦେଇଥିଲେ। ଏହା ସ୍ବଳ୍ପ ଥିଲା, କିନ୍ତୁ ଆବଶ୍ୟକତା ପୂରଣ ପାଇଁ ପର୍ୟ୍ୟାପ୍ତ ଥିଲା। ଏହାକୁ ଧରି ଅତ୍ରି ତାଙ୍କ ଆଶ୍ରମକୁ ଯାତ୍ରା କରିଥିଲେ। ଆଶ୍ରମରେ ଦୁହେଁ ସୁଖରେ କାଳାତିପାତ କରିଥିଲେ। ସେହି ଅତ୍ରି ଓ ଅନସୂୟାଙ୍କ ଔରସରୁ ଜଣେ ତେଜସ୍ବୀ ସନ୍ତାନ ଜନ୍ମ ହୋଇଥିଲେ। ତାଙ୍କର ନାମ ଥିଲା ଦତ୍ତାତ୍ରେୟ।
ଗୃହସ୍ଥାଶ୍ରମ ସାଧନା କ୍ଷେତ୍ରରେ କେବେ ବି ବାଧକ ହୋଇ ନଥାଏ। ସାଧନା ପାଇଁ ଏକାଗ୍ରତା, ନିଷ୍ଠା ଲୋଡ଼ା ହୋଇଥାଏ। ପ୍ରାଚୀନ କାଳରେ ଅନେକ ମୁନିଋଷି ଗୃହସ୍ଥାଶ୍ରମ ଆଚରଣ କରି ନିଜର ତେଜସ୍ବିତା ଦେଖାଇ ଯାଇଛନ୍ତି। ଏପରିକି ଗୁରୁକୁଳରେ ମଧ୍ୟ ଅନେକ ଋଷି ସପତ୍ନୀକ ବାସ କରି ସାଧନାରେ ସିଦ୍ଧି ଲାଭରେ ସକ୍ଷମ ହୋଇଥିଲେ।

Comments are closed.