‘ତିତ୍‌ଲି’ ମାଡ଼: ୧୫୪ ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ

0

ଭୁବନେଶ୍ୱର:ତିତ୍‍ଲି ପ୍ରଭାବିତ ଜିଲାଗୁଡ଼ିକରେ ୧୫୪ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଅନ୍ୟ ଜିଲାରୁ ୫୪ଜଣ ଡାକ୍ତରଙ୍କୁ ଅଣାଯାଇ ଅବସ୍ଥାପିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୯,୦୧୫ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ନିରାପଦ ପ୍ରସବ ଲାଗି ୨୭୨ ଜଣ ଗର୍ଭବତୀଙ୍କୁ ମା’ଗୃହ ଓ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୮୬ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ୧୯୩ଟି ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର (ଏମ୍‍ଆର୍‍ସି)ରେ ମୁତୟନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ତତ୍କାଳ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣର ଜୀବନ ରକ୍ଷାକାରୀ ଔଷଧ ଗଚ୍ଛିତ ରଖା ଯାଇଥିଲା। ଜଳ ବିଶୋଧନ ପାଇଁ ଆବଶ୍ୟକ ହେଉଥିବା ହାଲୋଜେନ ବଟିକା, ଆଣ୍ଟିିବାୟୋଟିକ୍ସ,ପାରାସିଟାମଲ, ଆଣ୍ଟାସିଡ, ସାପକାମୁଡା ଇଞ୍ଜେକସନ, ବ୍ଲିଚିଂପାଉଡର ଏବଂ ଓଆରଏସ ପ୍ୟାକେଟକୁ ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇବା ବ୍ୟବସ୍ଥା ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ୨୫କିଲୋ ଓଜନର ୫୪୫୦ ପାକେଟ ବ୍ଲିଚିଙ୍ଗ ପାଉଡର ପ୍ରଭାବିତ ଅଂଳକୁ ପଠାଯାଇଥିବା ବେଳେ ୧୨,୩୦,୦୦୦ପ୍ୟାକେଟ ଓଆରଏସ୍‍, ୮୫,୮୦୩୨ ହାଲୋଜେନ ବଟିକା, ୨୫୦୦ ସାପକାମୁଡା ଇଞ୍ଜେକସନ ଓ ୮୦,୦୦୦ ସାଲାଇନ ପ୍ରଭାବିତ ଜିଲାଗୁଡ଼ିକୁ ପଠାଯାଇଥିବା ବିଭାଗୀୟ ଅଧିକାରୀମାନେ ଅବଗତ କରିଛନ୍ତି। କୌଣସି ସ୍ଥାନରେ ଯେଭଳି ମହାମାରୀ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପରିମାଣ ଔଷଧ ଓ ଇଞ୍ଜେକସନ ଯୋଗାଇ ଦିଆଯାଇଛି।
ନିୟମିତ ଭାବେ ପାନୀୟଜଳ ଉତ୍ସ ଗୁଡିକୁ ବିଶୋଧନ କରାଯାଉଛି। ୮୯,୨୮୨ ହଜାର ଖୋଲା ପାନୀୟ ଜଳଉତ୍ସ ବିଶୋଧନ କରାଯାଇଥିବାବେଳେ ୪୦୩୫ ରୁ ଅଧିକ ଗ୍ରାମରେ ସଫେଇ କାର୍ଯ୍ୟ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳର ଗାଁ ଗୁଡିକୁ ସଫା କରିବା ଲାଗି ଗାଁ କଲ୍ୟାଣ ସମିତି ଗୁଡିକର ସହଯୋଗ ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା। ପ୍ରଭାବିତ ଜିଲାରେ ଚାଲୁଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟର ନିୟମିତ ଅନୁଧ୍ୟାନ ଲାଗି ରାଜ୍ୟସ୍ତରରେ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।
ସଚିବାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେର୍ଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ଏମ୍‍.ଡି ଅର୍ଚ୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା, ଡାଃ ମିର୍ଜା ନଇମ୍‍ ବେଗ୍‍, ସ୍ୱାସ୍ଥ୍ୟସେବା ନିର୍ଦେର୍ଶକ ଡାଃ ହରପ୍ରସାଦ ପଟ୍ଟନାୟକ ଏବଂ ଜନସ୍ୱାସ୍ଥ୍ୟ ନିର୍ଦେର୍ଶକ ଡାଃ ସ୍ୱପ୍ନେଶ୍ୱର ଗଡ଼ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଧର୍ମେନ୍ଦ୍ରଙ୍କୁ ସୂର୍ଯ୍ୟଙ୍କ ଚିଠି
୩.୭୨ଲକ୍ଷ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‍ ଦିଅ
ଭୁବନେଶ୍ୱର,୨୨ା୧୦(ନି.ପ୍ର):ତିତ୍‍ଲି ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ୩.୭୨ ଲକ୍ଷରୁ ଅଧିକ ପ୍ରପୀଡ଼ିତଙ୍କୁ ମାଗଣାରେ ଏଲ୍‍ପିଜି ଗ୍ୟାସ୍‍ ଯୋଗାଇ ଦେବା ଲାଗି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୋମବାର କେନ୍ଦ୍ର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଦର୍ଶାଇଛନ୍ତି ଯେ ତିତ୍‍ଲି ବାତ୍ୟା ଓ ବନ୍ୟା ପରିସ୍ଥିତି ଯୋଗୁଁ ଏହି ତିନୋଟି ଜିଲା ସହିତ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଫସଲ ଜମି ସହିତ ବାସଗୃହ ଭାଙ୍ଗିରୁଜି ଯାଇଛି। ଆର୍ଥିକ ଅନଟନରୁ ମେରୁଦଣ୍ଡ ସଳଖି ପାରୁ ନାହାନ୍ତି। ସେମାନଙ୍କୁ ତତ୍‍କ୍ଷଣାତ୍‍ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟ ପକ୍ଷରୁ ଯଦି ଗଜପତି ଜିଲାର ୫୦ହଜାର ୯୯୦, ଗଞ୍ଜାମର ୨ଲକ୍ଷ ୩୯ହଜାର ୬୮୩ ଏବଂ ରାୟଗଡାର ୮୧ହଜାର ୯୭୯ ହିତାଧିକାରୀଙ୍କୁ ମାଗଣାରେ ଏଲ୍‍ପିଜି ଗ୍ୟାସ୍‍ ସୁବିଧା ଯୋଗାଇ ଦିଆଯାଇ ପାରନ୍ତା ତେବେ ସେମାନଙ୍କ ଦୁଃଖ ଲାଘବ ହୋଇପାରନ୍ତା।
ଶ୍ରୀ ପାତ୍ର କହିଛନ୍ତି ଯେ କନ୍ଧମାଳ ଜିଲାରେ ମଧ୍ୟ ଅନୁରୂପ ଭାବେ କ୍ଷୟକ୍ଷତି ହୋଇଛି। ତେବେ ସେଠାରେ ହିତାଧିକାରୀଙ୍କୁ ସଂଖ୍ୟା ତାଲିକା ମିଳିବା ପରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମାଗଣା ଗ୍ୟାସ୍‍ ଯୋଗାଇ ଦେବାକୁ ଅନୁରୋଧ କରାଯିବ। କେନ୍ଦ୍ର ସରକାର ଏଦିଗରେ ନିଶ୍ଚିତ ଭାବେ ସହାୟତାର ହାତ ବଢ଼ାଇବେ ବୋଲି ଶ୍ରୀ ପାତ୍ର ଆଶାବ୍ୟକ୍ତ କରିଛନ୍ତି।

Leave A Reply