ତାଳଚେର ଉପକଣ୍ଠରେ ୪୦ହାତୀ

0

ତାଳଚେର: ତାଳଚେର ଉପକଣ୍ଠର ସନ୍ଥପଡ଼ା ସ୍ଥିତ ଥର୍ମାଲ୍‍ ଆଶପଣ୍ଡ ଏବଂ କଙ୍କିଳି ପଞ୍ଚାୟତର ହରିହର ଗ୍ରାମରେ ବୁଧବାର ରାତିରେ ୪୦ ବଣୁଆ ହାତୀ ପଶିଆସିବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହିତ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।
ଗତ ୧୭ ତାରିଖଠାରୁ ଚାଇଁପାଳ ଓ ସନ୍ଥପଡ଼ା ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ପଶି ଆସିଥିଲା ବେଳେ ବହୁ ଘରଦ୍ୱାର ଭାଙ୍ଗିବା ସହିତ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରି ମାରିଦେଇଥିଲେ। ସେହିପରି ଗୋଟିଏ ମଇଁଷିକୁ ମାରିଦେଇଥିବାବେଳେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଏହି ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଆଜକୁ ସାତ ଦିନ ହେଲା ଭୟଭୀତ ଅବସ୍ଥାରେ ରହିଥିଲା ବେଳେ ଗତକାଲି ରାତିରେ ପୁଣି ୨୦ଟି ହାତୀ ପଶି ଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ହରିହରପୁର ଗ୍ରାମକୁ ଗତ ରାତିରେ ୧୦ଟି ବଣୁଆ ହାତୀ ପଶି ଆସିବା ଫଳରେ ଆଜି ଦିନ ତମାମ ଅନେକ ଚାଷଜମିର ଧାନ ଫସଲକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଏ ନେଇ ଗ୍ରାମବାସୀ ଭୟଭୀତ ହେବା ସହିତ ସଂଧ୍ୟା ବେଳୁ ଘରର ତାଟି କବାଟ ପକାଇ ଦେଇଛନ୍ତି।
ସନ୍ଥପଡ଼ା ପଞ୍ଚାୟତର ଝାଡ଼ିଅମ୍ବା-ଟୋଲକଲୁଣ୍ଡି ରାସ୍ତା ନିକଟରେ ଥିବା ଥର୍ମାଲ୍‍ ଆଶପଣ୍ଡରେ ସାତ ଦିନ ହେଲା ହାତୀପଲ ରହି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଯୋଗୁଁ ଲୋକମାନେ ମଧ୍ୟ ଅନୁରୂପ ଭାବେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ପଞ୍ଚାୟତର ଅଧିବାସୀମାନେ ହାତୀପଲ ରହିଥିବା ଯୋଗୁଁ ରାତିରେ କେହି ଭୟରେ ଶୋଇପାରୁ ନାହାନ୍ତି। ଗ୍ରାମର ଯୁବକ ଏବଂ ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ହାତୀମାନେ ସ୍ଥାନ ଛାଡ଼ି ଯାଉନାହାନ୍ତି।
ରାତି ହେଲେ ହାତୀମାନେ ଆଶପଣ୍ଡ ଭିତରୁ ବାହାରି ବିଭିନ୍ନ ଧାନ ଫସଲ ଜମିକୁ ଯାଇ ଫସଲ ନଷ୍ଟ କରିବା ସହ ବିଭିନ୍ନ ଗଛଡାଳକୁ ଭାଙ୍ଗି ପକାଉଛନ୍ତି। ତୁରନ୍ତ ହାତୀମାନଙ୍କୁ ଘଉଡାଇବାର ବ୍ୟବସ୍ଥା କରିବା ସହ ଧାନ ଫସଲ ନଷ୍ଟ କରିଥିବା ଯୋଗୁଁ ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ଦୁଇଦିନ ତଳେ ବନ ବିଭାଗ କର୍ମଚାରୀମାନେ ୧୧ଟି ହାତୀ ନଦୀ ଆରପଟକୁ ଘଉଡାଇ ଦେଇଥିଲେ ସୁଦ୍ଧା ଏହି ହାତୀ ପଲ ପୁଣି ଅନ୍ୟ ହାତୀପଲଙ୍କୁ ଧରି ଗତରାତିରେ ଥର୍ମାଲ୍‍ ଆଶପଣ୍ଡ ନିକଟରେ ରହିଛନ୍ତି। ଫଳରେ ୪୦ରୁ ଊର୍ଦ୍ଧ୍ବ ବଣୁଆ ହାତୀପଲ ତାଳଚେର ଉପକଣ୍ଠରେ ଘୂରି ବୁଲୁଛନ୍ତି। ଗୋଟିଏ ପଟେ ଅନୁଗୋଳ ସାତକୋଶିଆ ଅଞ୍ଚଳରେ ବାଘୁଣୀ ଲୋକଙ୍କୁ ମାରୁଥିଲା ବେଳେ ତାଳଚେର ଅଞ୍ଚଳରେ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେଲାଣି। ସ୍ଥାନୀୟ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏହି ହାତୀ ଘଉଡାଇବା ନେଇ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି।

Leave A Reply