ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହେଲେ ସ୍ଥିତି ଅସମ୍ଭାଳ

0

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଦିନକୁ ଦିନ ଜଟିଳ ରୂପ ନେଉଛି। ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଛି। କିନ୍ତୁ ମହାନଦୀର ବାସ୍ତବ ସମସ୍ୟା ଦୂର କରିବା ସହିତ ହ୍ରାସ ପାଉଥିବା ଏହାର ଜଳଧାରଣ କ୍ଷମତା ବୃଦ୍ଧି କରିବା ପାଇଁ କେହି ଚିନ୍ତିତ ନୁହନ୍ତି। ତେଣୁ ଉଭୟ ରାଜ୍ୟ ସରକାର ମହାନଦୀର ଜୈବ ବିବିଧତା ବଜାୟ ରଖିବା ପାଇଁ ଆପୋସ ଆଲୋଚନା ମାଧ୍ୟମରେ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଛି।ଆଜି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଜଣାଶୁଣା ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଥିଲେ ଯେ ମହାନଦୀ ଆଜି ଅନେକ ସମସ୍ୟା ଦେଇ ଗତିକରୁଛି। ଏହାର ଜଳ ଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ପରିବେଶ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡୁଛି। ଏହାର ଅବବାହିକାରେ ଥିବା ଜଙ୍ଗଲ ଧ୍ୱଂସ ହେବା ସହ ନଦୀ ଅବବାହିକାରେ ଶିଳ୍ପାୟନ ଏହାକୁ ଅଧିକ ଜଟିଳତା ଆଡ଼କୁ ଟାଣି ନେଉଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ବିବାଦ ଏବେ ଟ୍ରାଇବୁନାଲରେ ପହଞ୍ଚିଛି। କିନ୍ତୁ ଦେଶରେ ଅନେକ ନଦୀ ଜଳ ବିବାଦ ରହିଛି ଯାହା ବର୍ଷ ବର୍ଷ ପର୍ଯ୍ୟନ୍ତ ଟ୍ରାଇବୁନାଲ ଦ୍ୱାରା ସମାଧାନ ହୋଇ ପାରୁନାହିଁ। କିନ୍ତୁ ଜଳ ଆବଣ୍ଟନ ଠାରୁ ବଡ଼ ସମସ୍ୟା ହେଉଛି ଏହାକୁ ଧ୍ୱଂସ ମୁଖରୁ ରକ୍ଷା କରିବା। ବର୍ତ୍ତମାନ ମହାନଦୀ ପାଇଁ ଅନ୍ୟତମ ସମସ୍ୟା ହେଉଛି କୋଇଲା ଚାଳିତ ଶିଳ୍ପାନୁଷ୍ଠାନର ପ୍ରଭାବ। ଛତିଶଗଡ଼ ସରକାର ମହାନଦୀ ଅବବାହିକାରେ କୋଇଲା ଚାଳିତ ତାପଜ ବିଦ୍ୟୁତ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରିବା ନଦୀର ସୁସ୍ଥ ଜୀବନ ପାଇଁ ବିପଦ ସୃଷ୍ଟି କରିବ। ତେଣୁ ସବୁଜ ଶକ୍ତି ଶିଳ୍ପ ପ୍ରତିଷ୍ଠା କରିବା ଜରୁରୀ। ମହାନଦୀ ପାଣିକୁ ସରକାର ବେପରୁଆ ଭାବେ ଶିଳ୍ପ ସଂସ୍ଥା ହାତକୁ ଟେକି ଦେବା ଆଦୌ ଶୁଭଙ୍କର ନୁହେଁ।
ନିକଟରେ ଅନୁଷ୍ଠିତ ଅଧ୍ୟୟନ ଅନୁସାରେ ପୂର୍ବାପେକ୍ଷା ମହାନଦୀର ଜଳଧାରଣ କ୍ଷମତା ୧୦% ହ୍ରାସ ପାଇଛି ଏବଂ କ୍ରମଶଃ ଏହା ବୃଦ୍ଧି ପାଇବ। ସବୁଜବଳୟ ଅବକ୍ଷୟ ଫଳରେ ନଦୀ ଅବବାହିକାରେ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ନଦୀ ଜଳ ସମୁଦ୍ରକୁ ଚାଲିଯାଇ ନଷ୍ଟ ହେଉଥିବା ନେଇ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତାହା ବିଭ୍ରାନ୍ତିକର। କାରଣ ପ୍ରାକୃତିକ ସଂରଚନା ଅନୁସାରେ ନଦୀ ଜଳ ସମୁଦ୍ରରେ ମିଶିବା ଜରୁରୀ। ନଦୀର ମଧୁର ଜଳ ସମୁଦ୍ରକୁ ପ୍ରବାହିତ ନହେଲେ ସମୁଦ୍ର ଉପତ୍ୟକାରେ ଉଷ୍ମତା ବୃଦ୍ଧି ପାଇବ ଯାହା ଝଡ଼ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଜନ୍ମ ଦେବ। ଭବିଷ୍ୟତରେ ସରକାର ଯଦି ଶିଳ୍ପ ସଂସ୍ଥା ସ୍ଥାପନ ପାଇଁ ପଦକ୍ଷେପ ନେବେ, ତା ହେଲେ ଏହା ତାପମାତ୍ରା ଅସନ୍ତୁଳକୁ ପ୍ରୋତ୍ସାହିତ କରିବ। ଅପରପକ୍ଷେ ଦୁଇ ରାଜ୍ୟର ସରକାର ଏବଂ କେନ୍ଦ୍ର ସରକାର ମହାନଦୀର ଜୈବ ବିବିଧତା ରକ୍ଷା ପାଇଁ ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ଏହାର ପ୍ରକୃତ ତଥ୍ୟ ହାସଲ ପାଇଁ ସର୍ବେକ୍ଷଣ କରାଯିବା ଜରୁରୀ। ସେହିପରି ଏହା କୂଳରେ ବସବାସ କରୁଥିବା ଆଦିମ ଅଧିବାସୀ କିପରି ବନ ସଂରକ୍ଷଣରେ ସାମିଲ୍‍ ହେବେ ସେନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ହେନରିକ୍‍ ବୋଲ୍‍ ଷ୍ଟିଫଙ୍ଗ୍‍ ଇଣ୍ଡିଆର ମୁଖ୍ୟ ମାରିଅନ୍‍ ରେଜିନା ମୁଲେର୍‍ କହିଥିଲେ, ମହାନଦୀ ଜଳ ପ୍ରବାହ ଏବଂ ଏହା ଉପରେ ପଡୁଥିବା କୁପ୍ରଭାବକୁ ନେଇ ହୋଇଥିବା ଅଧ୍ୟୟନରୁ ଅନେକ ଚକିତ କରିବା ଭଳି ତଥ୍ୟ ହସ୍ତଗତ ହୋଇଛି। କ୍ରମଶଃ ଏହାର ଜୀବନଧାରା ବିପଦ ମୁହଁକୁ ଚାଲି ଯାଉଛି। ତେଣୁ ସୁଚିନ୍ତିତ ଯୋଜନା ଦ୍ୱାରା ଏହାର ପ୍ରତିକାର କରିବା ଜରୁରୀ। ବରିଷ୍ଠ ପରିବେଶବିତ ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ର କହିଥିଲେ, ଦୀର୍ଘବର୍ଷ ଧରି ମହାନଦୀକୁ ଲଣ୍ଠନ କରାଯାଉଛି। ନଦୀ ଜଳ ଉପରେ ସାଧାରଣ ଲୋକ, କୃଷକ ଓ ମତ୍ସ୍ୟଜୀବୀଙ୍କର ଅଧିକାର ହ୍ରାସ ପାଉଛି। ଶିଳ୍ପ ପାଇଁ ଏଥିରୁ ବିପୁଳ ଜଳ ଟାଣି ନିଆଯାଉଥିବା ବେଳେ ଏହାର ଭରଣା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। କାର୍ଯ୍ୟକ୍ରମ ସଂଯୋଜିକା ସାଦିଆ ସୋହେଲ ଧନ୍ୟବାଦ୍‍ ଅର୍ପଣ କରିଥିଲେ। ଏହି ଅବସରରେ ମହାନଦୀକୁ ନେଇ ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ ହୋଇଥିଲା।

Leave A Reply