ତହସିଲ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

ବଲାଙ୍ଗିର: ଖରା ଛୁଟି ପରେ ଏବେ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି। ଶିକ୍ଷାନୁଷ୍ଠାନ ମାନଙ୍କରେ ନୂତନକରି ଛାତ୍ରଛାତ୍ରୀମାନେ ପ୍ରବେଶ କରୁଥିବା ବେଳେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ଫର୍ମଗୁଡିକ ଭର୍ତ୍ତି କରୁଛନ୍ତି ଅଶାୟୀ ପ୍ରାର୍ଥୀ। କିନ୍ତୁ ପଶ୍ଚିମ ଓଡିଶାର ବିଭିନ୍ନ ତହସିଲ ଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ସବୁ ଅଚଳ ହୋଇପଡିଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଯୋରଦାର ହେଉଛି। ଯାହା ଫଳରେ ଓକିଲମାନେ କାର୍ଯ୍ୟବନ୍ଦ ସହ କୋର୍ଟ କଚେରୀ ଅଚଳ କରିଦେଇଛନ୍ତି। କିନ୍ତୁ ଏହାର ଶିକାର ଛାତ୍ରଛାତ୍ରୀ ଓ ନିଯୁକ୍ତି ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନେ ହେଉଛନ୍ତି। ଯାହା ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଳି ହୋଇଯାଇଛି ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଡ.ବିପିନ କୁଶଲିଆ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯଥାଶୀଘ୍ର ଏହି କାର୍ଯ୍ୟାଳୟ ଗୁଡିକ ଖୋଲାଯାଉ ବୋଲି ଦାବି କରିଛନ୍ତି।
ଗତ ଜୁନ ୧୭ ତାରିଖ ଠାରୁ ବଲାଙ୍ଗିର ବାର କାଉନସିଲ ଏବଂ ବଲାଙ୍ଗିର ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ କାର୍ଯ୍ୟାଳୟ ଗୁଡିକ ବନ୍ଦ ରଖି ଆନ୍ଦୋଳନ ଜାରି ରଖିଛନ୍ତି। ଏହା ଆସନ୍ତା ଜୁନ ୩୦ ଯାଏଁ ବଢିଥିବା ଜଣାପଡିଛି। କିନ୍ତୁ ଛାତ୍ର ଛାତ୍ରୀମାନେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ତଥା ଆୟ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଏଫିଡେଭିଟ୍‍ କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳରେ ଆସି ଫେରି ଯାଉଥିବା ପରିଲକ୍ଷିତ ହେଉଛି। ଗରିବ ଶ୍ରେଣୀର ଲୋକମାନେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଯେପରି ମେଡିକାଲ ସହାୟତା, ରେସନ କାର୍ଡ, ଆବାସ ଯୋଜନା, କାଳିଆ ଯୋଜନା ଠାରୁ ବଞ୍ଚିତ ହେଉଛନ୍ତି। ଜେଲରେ ବିଚାରଧିନ କଏଦୀ ମାନଙ୍କ ଫଇସଲା କୋର୍ଟ ବନ୍ଦ ହୋଇଥିବାରୁ ଜେଲରେ ସଢୁଛନ୍ତି। ବଲାଙ୍ଗିର ସହିତ ପଶ୍ଚିମ ଓଡିଶାର ସମସ୍ତ ବିକାଶ ଯୋଜନା ଏବଂ ଜନ କଲ୍ୟାଣକାରୀ ଯୋଜନାରୁ ସାଧାରଣ ଜନତା ବଞ୍ଚିତ ହେଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସମ୍ବଲପୁର,ବଲାଙ୍ଗିର ଏବଂ କଳାହାଣ୍ଡି ବାର କାଉନସିଲ୍‍ ମାସ ମାସ ଧରି ଉକ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ଦ୍ୱାରା ଜନସାଧାରଣ ଜନ କଲ୍ୟାଣକାରୀ ଯୋଜନା ଏବଂ ବିକାଶରୁ ବଞ୍ଚିତ ରହୁଛନ୍ତି। ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚ ଖୋଲିବା ପାଇଁଞ୍ଚେଯୋଶବନ୍ତ ସିଂ ଏବଂ ପାଲ କମିଶନ ରିପୋର୍ଟ ଉପଯୁକ୍ତ ବୋଲି କହିଛନ୍ତି। କାହିଁକି ନା ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚ ଥିଲା ଏବଂ ବଲାଙ୍ଗିର ସିଭିଲ କୋର୍ଟର ଜିଲା ଜଜ୍‍ ବର୍ତ୍ତମାନ ସୁଦ୍ଧା ସେହି ହାଇକୋର୍ଟ ବେଞ୍ଚର ରେଜିଷ୍ଟ୍ରାର ଭାବେ କାମ କରୁଛନ୍ତି। ଉକ୍ତ କାର୍ଯ୍ୟାଳୟ ଗୁଡିକୁ ଜନସାଧାରଣଙ୍କ ହିତରେ ସୂଚାରୁ ରୂପେ ଖୋଲି ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନା ବଲାଙ୍ଗିର ଠାରେ ଖୋଲିବା ପାଇଁ ଡ.କୁଶଲିଆ ଦାବି କରିଛନ୍ତି। ଯ ଦ୍ୱାରା ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବୌଦ୍ଧ, ଫୁଲବାଣୀ, ସୋନପୁର ବରଗଡ ଜିଲାର ଜନସାଧାରଣ ହାଇକୋର୍ଟରେ କାମ ପାଇଁ ହଜାର ହଜାର ଟଙ୍କା ଅର୍ଥ ଖର୍ଚ୍ଚ କରିବାକୁ ପଡିବନି। ଗାଡି ଭଡା ଖର୍ଚ୍ଚ ସହ ୩୫୦ କି.ମି. ଦୂର କଟକ ହାଇକୋର୍ଟ କାମ ପାଇଁ ଯିବାକୁ ପଡୁଥିବା ସମସ୍ତ ଅସୁବିଧାରୁ ରିହାତି ମିଳିପାରିବ ବୋଲି ତାଙ୍କ ଦାବିପତ୍ରରେ ଜଣାଇଛନ୍ତି।

Comments are closed.