ଢେଙ୍କାନାଳରେ ନକଲି ମଦ କାରଖାନା ଠାବ

0

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାଇକଦହିଖୋର ଗାଁରେ ଏକ ନକଲି ମଦ କାରଖାନା ଠାବ ହୋଇଛି। ମଦ କାରଖାନାରୁ ବିପୁଳ ପରିମାଣର ମଦ ଜବତ ହୋଇଥିବାବେଳେ ଜଣେ କର୍ମଚାରୀକୁ ଗିରଫ କରାଯାଇଛି। ଗିରଫ କର୍ମଚାରୀଙ୍କୁ ଅବକାରୀ କର୍ମଚାରୀମାନେ ପଚରାଉଚୁରା ଚଳାଇଛନ୍ତି। କଟକ ଅବକାରୀ ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡର କର୍ମଚାରୀମାନେ ଗୁଇନ୍ଦା ସୂଚନା ଆଧାରରେ ନକଲି କାରଖାନାକୁ ଠାବ କରିଥିବା ଜଣାପଡିଛି। ତେବେ ଢେଙ୍କାନାଳ ଅବକାରୀ ବିଭାଗ ଏବଂ ପୁଲିସ ଏ ନେଇ ସୁରାକ ନପାଇବା ଚର୍ଚ୍ଚାର ବିଷୟ ହୋଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ପଞ୍ଚାୟତ ପାଇକଦହିଖୋର ଗାଁରେ ଦୀର୍ଘଦିନ ଧରି ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା। ନାମୀଦାମୀ ବିଦେଶୀ ମଦର ବ୍ରାଣ୍ଡ୍‍ରେ ନକଲି କେମିକାଲ ଓ ସେଣ୍ଟ ମିଶାଯାଇ ମଦ ପ୍ରସ୍ତୁତ ହେଉଥିଲା। ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶକ୍ରମେ କଟକ ଅବକାରୀ ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡ କର୍ମଚାରୀମାନେ ଚଢ଼ଉ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କଟକ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ୍‍ ଡଃ ଶାନ୍ତନୁ ଦାସ, ଇନିସ୍‍ପେକ୍ଟର ଶରତ ଚନ୍ଦ୍ର ଭଞ୍ଜଙ୍କ ନେତୃତ୍ୱରେ ସ୍କ୍ୱାର୍ଡ କର୍ମଚାରୀମାନେ ଶୁକ୍ରବାର ଅପରାହ୍ଣ ସାଢେ ୪ଟାରେ ପାଇକଦହିଖୋର ଗାଁରେ ଥିବା ନକଲି କାରଖାନା ଉପରେ ଚଢଉ କରିଥିଲେ। ଚଢଉ ସମୟରେ କେତେକ କର୍ମଚାରୀ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। କାରଖାନାରୁ ଅବକାରୀ କର୍ମଚାରୀମାନେ ୧୦୩.୨୦୦ ଲିଟର ବିଦେଶୀ ମଦ ଜବତ କରିଛନ୍ତି। ଜବତ ହୋଇଥିବା ମଦ ନକଲି ମଦ ବୋଲି ଜଣାପଡିଛି। ମଦ କମ୍ପାନୀ କର୍ମଚାରୀ ସରବନ୍‍ ସିଂ(୩୫)କୁ ମଦ କାରଖାନାରୁ ଗିରଫ କରାଯାଇଛି। ତାଙ୍କ ଘର ବିହାର ରାଜ୍ୟ ଆରା ଅଞ୍ଚଳରେ ବୋଲି ଜଣାପଡିଛି। ଏଥି ସହ ଲେବୁଲ୍‍, କେତେକ ଖାଲିବୋତଲ, କେମିକାଲ, ସେଣ୍ଟ୍‍, ଠିପି, ପ୍ୟାକେଟ୍‍ ଆଦିକୁ ଜବତ କରାଯାଇଛି।
ଏ ନେଇ ଡେପୁଟି ସୁପରିଟେଣ୍ଡେଣ୍ଟ ଡଃ ଦାସ କୁହନ୍ତି, ଢେଙ୍କାନାଳ ପାଇକଦହିଖୋରରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଚାଲିଥିବା ଗୁଇନ୍ଦା ସୂଚନା ଆଧାରରେ ଚଢ଼ଉ କରାଯାଇଥିଲା। ସେଠାରୁ ନକଲି ମଦ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କେତେଦିନ ଧରି ଏହି କାରଖାନା ଚାଲିଥିଲା, ଏହାର ଅସଲ ମାଲିକ କିଏ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଢେଙ୍କାନାଳ ଅବକାରୀ ବିଭାଗ ଏବଂ ପୁଲିସ କର୍ତ୍ତୃପକ୍ଷ ନକଲି ମଦ କାରଖାନା ସମ୍ପର୍କରେ ସୁରାକ ପାଇପାରି ନଥିବାବେଳେ କଟକ ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡର କର୍ମଚାରୀମାନଙ୍କ ଦ୍ୱାରା କାରଖାନା ଠାବ ହୋଇଥିବାରୁ ଢେଙ୍କାନାଳ ଅବକାରୀ ବିଭାଗର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏଠାରେ କେତେକ ସ୍ଥାନୀୟ କର୍ମଚାରୀ ଦୀର୍ଘଦିନ ଧରି ରହିବା ଯୋଗୁଁ ଚୋରା ମଦ କାରବାର ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ହେଉଛି।

Leave A Reply