ଡମ୍ଫର ଧକ୍କାରେ ଯୁବକର ମୃତ୍ୟୁ: ଉତ୍ତେଜନା ଓ ରାସ୍ତାରୋକ

0

କେନ୍ଦୁଝର/ବାଂଶପାଳ : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ନଂ ଜୁଡିଆଘାଟୀ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଗୁରୁବାର ଅପରାହ୍ନରେ ଡମ୍ଫର ଧକ୍କାରେ ଜଣେ ଯୁବକର ମୃତ୍ୟୁ ହେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଶୁଆକାଟୀ ଓଏମ୍‍ସି ଗନ୍ଧମାର୍ଦ୍ଦନ ଲୌହ ଖଣିରୁ ଲୁହାପଥର ଲୋଡିଂ କରି କେନ୍ଦୁଝର ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ ୪୯ରୁ ଜାତୀୟ ରାଜପଥ ୨୦ ର ବାଇପାସକୁ ସଂଯୋଗ କରୁଥିବା ରାସ୍ତାକୁ ଦୃତଗତିରେ ଯାଉଥିବା ଓଆର୍‍୦୯-ଇ-୪୦୪୯ ନମ୍ବର ବିଶିଷ୍ଟ ଡମ୍ଫର କେନ୍ଦୁଝରରୁ ଶୁଆକାଟୀକୁ ଏକ ମୋଟରସାଇକେଲ ଯୋଗେ ଯାଉଥିବା ଲିପୁନ ଖୁଣ୍ଟିଆ(୨୧)କୁ ଅପରାହ୍ନ ପ୍ରାୟ ୪ଟା ସମୟରେ ଡମ୍ଫରଟି ଧକ୍କା ଦେବା ସହ ଉପରେ ମାଡି ଚାଲିଯାଇଥିଲା। ଦୂର୍ଘଟଣା ଘଟାଇବା ପରେ ଡମ୍ଫରଟି ଫେରାର୍‍ ହୋଇଯିବାକୁ ସକ୍ଷମ ହୋଇଥିଲା। ଡମ୍ଫର ଧକ୍କାରେ ମୋଟରସାଇକେଲ ଆରୋହୀ ଲିପୁନର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଏବଂ ଏହି ରାସ୍ତା ଦେଇ ଭାରୀଯାନ ଚଳାଚଳ ବନ୍ଦ କରିବା ଦାବିରେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରୀ ରହିଛି। ମୃତକଙ୍କ ଘର ନୟାକୋଟ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଶ୍ରୀଧର ଖୁଣ୍ଟିଆ ଏବଂ ମୃତ ଯୁବକ ଶୁଆକାଟୀଠାରେ ରହୁଥିବା ଜଣାପଡିଛି। ଶୁଆକାଟୀରୁ କେନ୍ଦୁଝର ମଧ୍ୟରେ ଆଇରନ ବୋଝେଇ ଟ୍ରକଗୁଡିକ ବେପରୁଆ ଭାବେ ଚଳାଚଳ କରୁଥିବାରୁ ଅନେକ ସମୟରେ ଦୂର୍ଘଟଣା ଘଟିବାରେ ଲାଗିଛି। ଏସଂପର୍କରେ ସ୍ଥାନୀୟ ଲୋକେ ପୂର୍ବରୁ ଅନେକବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହି ରାସ୍ତା ଦେଇ ଭାରୀଯାନ ଚଳାଚଳ ବନ୍ଦ କରାଯାଇନଥିବାରୁ ଏଭଳି ଦୂର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୂର୍ଘଟଣା ସଂପର୍କରେ ଖବରପାଇ ସଦର ଏସ୍‍ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ସମେତ ଟାଉନ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ରାସ୍ତା ଅବରୋଧରୁ ହଟିନଥିବା ଜଣାପଡିଛି। ତେବେ ଦୂର୍ଘଟଣା ଘଟାଇସାରି ଫେରାର୍‍ ହୋଇଯାଇଥିବା ଡମ୍ଫରଟି କେନ୍ଦୁଝର ଡିଏନ୍‍ ହାଇସ୍କୁଲ ପଛପାଖରେ ଲୁଚାଇ ରଖାଯାଇଥିବା ସଂପର୍କରେ ଖବରପାଇ ଟାଉନ ଥାନା ପୋଲିସ ଡମ୍ଫରଟିକୁ ଜବତ କରିଥିବାବେଳେ ଡ୍ରାଇଭରଙ୍କ ଘର ଗୋପିନାଥପୁର ହର୍ଷପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

Leave A Reply