ଠିକାଦାରଙ୍କ ଠାରୁ ଏପିଏସ୍‍ ବାବଦରେ ନିଆଯିବ ବ୍ୟାଙ୍କ ଗ୍ୟାରେଣ୍ଟି

0

କଟକ: ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ୨୦୧୩ ମସିହାରେ ଥିବା ପୂର୍ତ୍ତ ବିଭାଗ ନିୟମ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଯୋଗୁ ରାଜ୍ୟର ପ୍ରାୟ ୫୦ହଜାର ଠିକାଦାର ଉପକୃତ ହେବେ। ଠିକାଦାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ ମୂଲ୍ୟ ଠାରୁ ସର୍ବନିମ୍ନ ୧୦ରୁ ୧୫ପ୍ରତିଶତ କମ ଦରରେ ଟେଣ୍ଡର ହାତୋଉଥିବା ଠିକାଦାରମାନଙ୍କୁ ପୂର୍ବରୁ ଆଡିସନାଲ ପରଫରମାନ୍ସ ସିକ୍ୟୁରିଟି(ଏପିଏସ) ବାବଦରେ ଟିଡିଆର/ଏଫଡି ଜମା କରିବା ପାଇଁ ପଡୁଥିଲା; କିନ୍ତୁ ଏହି ବ୍ୟବସ୍ଥାରେ ହେଉଥିବା ଜମା ଟଙ୍କା କୌଣସି କାମରେ ଆସୁନଥିଲା।
ଅନ୍ୟପକ୍ଷରେ ସରକାରଙ୍କ ଏହି ବ୍ୟବସ୍ଥା ଫଳରେ ଜାଲ୍‌ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। କିଛି ଠିକାଦାର ଜାଲ ଟିଡିଆର ଦେଇ କାମ ହାତେଉଥିଲେ। ଫଳରେ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଥିଲା। ତେବେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ବଲାଙ୍ଗିର ଜିଲାର ବନସଲ ଇନ୍‌ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଜଗଦୀପ ବନସାଲ ହାଇକୋର୍ଟରେ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକଙ୍କ ଜରିଆରେ ଏକ ମାମଲା ଦାୟର କରିଥିଲେ। ତେବେ ପୂର୍ବରୁ ଥିବା ବିଧି ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପ୍ରାର୍ଥନା କରିବା ସହ ଏହି ମାମଲାରେ ପୂର୍ତ୍ତ ବିଭାଗ ସଚିବ, ୱାର୍ଲ୍ଡ ବ୍ୟାଙ୍କ ପ୍ରୋଜେକ୍ଟ ଚିଫ ଇଂଜିନିୟର, ବରଗଡ଼ ଜିଲା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିଥିଲେ। ଗତ ମାର୍ଚ୍ଚରେ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ନିୟମରେ ପରିବର୍ତ୍ତନ କରିବା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପିଏସ ବାବଦରେ ନିଆଯାଉଥିବା ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର)/ଏଫଡି(ଫିକ୍ସ ଡିପୋଜିଟ) ନିଆନଯାଇ ଆବେଦନକାରୀଙ୍କ ଠାରୁ ବ୍ୟାଙ୍କ ଗ୍ୟାରେଣ୍ଟି ଗ୍ରହଣ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
ତେବେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ପାଇବା ପରେ ପୂର୍ବରୁ ଥିବା ନିୟମାବଳୀରେ ପରିବର୍ତ୍ତନ ଆଣି ସାନି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଠିକାଦାରମାନଙ୍କୁ ଏଏସପି ବାବଦରେ ଏବେ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡିବ। ଠିକା କାମ ପାଇବାର ୭ଦିନ ମଧ୍ୟରେ ଏହି ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡିବ। ତେବେ ଟିଡିଆର/ଏଫଡି ବ୍ୟବସ୍ଥା ହଟିଥିବାବେଳେ ଜାଲକୁ ନେଇ ସରକାରଙ୍କ ପାଇଁ ଆଉ କୌଣସି ମୁଣ୍ଡ ବ୍ୟଥା ରହିବନାହିଁ।

Leave A Reply