ଜନ୍ମବେଦୀରେ ଦାରୁବ୍ରହ୍ମ; ଆଜି ମିଳିବ ଆଡ଼ପ ଅବଢ଼ା

0

ଜନ୍ମବେଦୀରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତମୟ ହୋଇଛି। ଆଡ଼ପମଣ୍ଡପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ କରାଯିବ। ଭକ୍ତମାନେ ଆଡ଼ପ ଅବଢା ପାଇବେ। ସୋମବାର ଧାଡିପହଣ୍ଡିରେ ଶ୍ରୀଜୀଉଙ୍କୁ ଜନ୍ମବେଦୀକୁ ବିଜେ କରାଯାଇଛି। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ଭକ୍ତ ଓ ସେବକଙ୍କ ମେଳରେ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି ପରଂବ୍ରହ୍ମ। ରଥଉପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯାଇଥିଲା। ଆଡ଼ପପହଣ୍ଡି ପାଇଁ ଦଇତାପତି ପ୍ରଭୁଙ୍କୁ ପ୍ରସ୍ତୁତ କରିଥିଲେ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଜେ କରିଥିଲେ। ଏହାପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଆଡ଼ପମଣ୍ଡପକୁ ନିଆଯାଇଥିଲା। ଝୁଲି ଝୁଲି ରଥରୁ ତଳକୁ ଓହ୍ଲାଇଥିଲେ ବଳିଆରଭୁଜ ଶ୍ରୀବଳଭଦ୍ର। ଦେବୀ ସୁଭଦ୍ରାଙ୍କୁ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। କାଳିଆଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଦେଖିବାକୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଘଣ୍ଟ, ଘଣ୍ଟା, ବୀରକାହାଳି ଏବଂ ମୃଦଙ୍ଗ ତାଳରେ ତାଳ ମିଳାଇ ମହାପ୍ରଭୁ ଜନ୍ମବେଦୀକୁ ଯାତ୍ରା କରିଥିଲେ। ଅପରାହ୍ଣ ୫ଟା ୪୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୮ଟା ୪୫ରେ ସରିଥିଲା।
ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ସୁରକ୍ଷା) ପ୍ରଫୁଲ ଚନ୍ଦ୍ର ମିଶ୍ର, ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ଏବଂ ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରଥ ଚତୁଃପାର୍ଶ୍ବରେ ବାରିକେଡ କରାଯିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ମଙ୍ଗଳବାର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମୁଖସିଂହାର (ବନକଲାଗି) କରାଯିବ। ଏଥିପାଇଁ ରାତି ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ବୁଧବାର ହେରାପଞ୍ଚମୀ, ଗୁରୁବାର ରଥ ଦକ୍ଷିଣମୋଡ, ଶନିବାର ସନ୍ଧ୍ୟାଦର୍ଶନ ଏବଂ ରବିବାର ବାହୁଡାଯାତ୍ରା ଅନୁଷ୍ଠିତ ହେବ।

Leave A Reply