ଛତିଶଗଡ଼ରେ ଧାନ କୁଇଣ୍ଟାଲ ୨୫୦୦

0


 ରାୟପୁର/ଗୁଆହାଟୀ : ମଧ୍ୟପ୍ରଦେଶ ପରେ ଛତିଶଗଡ଼ରେ କୃଷିଋଣ ଛାଡ କରାଯାଇଛି। ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସୋମବାର ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ଏକ କ୍ୟାବିନେଟ ବୈଠକ ଡକାଇ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ। ୨୦୧୮ ନଭେମ୍ବର ୩୦ ସୁଦ୍ଧା କୋଅପରେଟିଭ ବ୍ୟାଙ୍କ ଏବଂ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କରୁ ୧୬.୬୫ ଲକ୍ଷ କୃଷକଙ୍କୁ ପ୍ରଦାନ କରାଯାଇଥିବା ୬,୧୦୦ କୋଟି ଟଙ୍କାର ସ୍ୱଳ୍ପ ଅବଧି ବିଶିଷ୍ଟ କୃଷି ଋଣ ଛାଡ଼ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଉପଯୁକ୍ତ ଅନୁଧ୍ୟାନ ପରେ ବାଣିଜ୍ୟିକ ବ୍ୟାଙ୍କଗୁଡିକରୁ କୃଷକମାନେ ନେଇଥିବା କୃଷି ଋଣ ମଧ୍ୟ ଛାଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
  ଅନ୍ୟପଟେ ଦଳର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପୂର୍ବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୱିଣ୍ଟାଲ ପିଛା ୨,୫୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା ଥିବା ବେଳେ ରାଜ୍ୟ ସରକାର ଏହାକୁ ୨୫୦୦ଟଙ୍କାକୁ ବୃଦ୍ଧି କରିଥିବା ଖାଦ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି। କେନ୍ଦ୍ର ସରକାର ଧାନର ଏମଏସପି ୧୭୫୦ଟଙ୍କା ରଖିଥିବାବେଳେ ରାଜ୍ୟ ସରକାର ଅଧିକ ୭୫୦ଟଙ୍କା ବୋନସ (ପ୍ରୋତ୍ସାହନ) ରାଶି ଆକାରରେ କୃଷକମାନଙ୍କୁ ଦେବେ। ଏମଏସପି ବୃଦ୍ଧି ଘୋଷଣା ଦ୍ବାରା ଧାନ ସଂଗ୍ରହ ପରିମାଣ ୫୫ଲକ୍ଷ ଟନକୁ ବୃଦ୍ଧି ପାଇବା ଅନୁମାନ କରାଯାଇଛି। ଏହି ଏମଏସପିର ଫାଇଦା ନେବା ଲାଗି ପଡୋଶୀ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜ୍ୟର କୃଷକମାନେ ଛତିଶଗଡରେ ଧାନ ବିକ୍ରି କରିବା ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨୧.୬୦ ଲକ୍ଷ ଟନ ଧାନ ସଂଗ୍ରହ କରିଥିବାବେଳେ ଏହା
ଦ୍ରୁତମାତ୍ରାରେ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୨୦୧୩ରେ ବସ୍ତର ଜିଲା ଅନ୍ତର୍ଗତ ଝିରାମ ଉପତ୍ୟକାରେ ମାଓ ଆକ୍ରମଣରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ୨୯ ଜଣ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ କରିବାକୁ ମଧ୍ୟ ସ୍ଥିର ହୋଇଛି।
ଅନ୍ୟପକ୍ଷରେ ଆସାମର ବିଜେପି ସରକାର ମଧ୍ୟ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟର ୮ ଲକ୍ଷ ଚାଷୀଙ୍କ ଋଣଛାଡ଼ କରାଯିବ। ଏଥିପାଇଁ ରାଜ୍ୟ ରାଜସ୍ବରୁ ଅତିରିକ୍ତ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ସୂଚନା ଦେଇଛନ୍ତି।
ସୋମବାର ରାତିରେ ଆସାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଞ୍ଜାବ ସରକାର କୃଷିଋଣ ଛାଡ଼ କରି ସାରିଛନ୍ତି।
ଆସାମ ସରକାରଙ୍କ ଯୋଜନା ଅନୁଯାୟୀ, ଜଣେ କୃଷକ ନେଇଥିବା କୃଷି ଋଣର ୨୫ ପ୍ରତିଶତ ଛାଡ଼ କରାଯିବ, ଯାହାକି ୨୫୦୦୦ ଟଙ୍କାରୁ ଅଧିକ ହେବ ନାହିଁ । କୃଷକମାନେ କିଶାନ କ୍ରେଡିଟ୍ କାର୍ଡ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ନେଇଥିବା ଋଣକୁ ହିଁ ଛାଡ଼ କରାଯିବ। ଏହାବ୍ୟତୀତ ଆସାମ ସରକାର ୧୯ ଲକ୍ଷ ଚାଷୀଙ୍କୁ କୃଷିଋଣ ସୁଧ ଉପରେ ସହାୟତା ଦେବାକୁ ନିଷ୍ପତ୍ତି କରିଛନ୍ତି। କୃଷକମାନଙ୍କୁ ଆସନ୍ତା ଆର୍ଥିକ ବର୍ଷରୁ ଶୂନ ପ୍ରତିଶତ ସୁଧହାରରେ କୃଷିଋଣ ଯୋଗାଇ ଦିଆଯିବ। ତେବେ ଯେଉଁ ଚାଷୀମାନେ କିଶାନ କ୍ରେଡିଟ୍‌ କାର୍ଡ (କେସିସି) ଜରିଆରେ ଋଣ ନେବେ ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ସରକାର ନାଁଗାଓଁ ଝୋଟକଳ ପୁନରୁଥାନ ଲାଗି ନେସନାଲ କୋପରେଟିଭ୍‌ ଡେଭଲପ୍‌ମେଣ୍ଟ କ​‌େ​‌ର୍ପାରେସନ୍‌ (ଏନସିଡିସି)ଠାରୁ ୩୨.୭୨ କୋଟି ଟଙ୍କା ମଞ୍ଜୁର କରିଛି।
ଏହାବ୍ୟତୀତ ଆସାମ ସରକାର ରାଜ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପେନ୍‌ସନ୍‌ ମାସିକ ୨୦ ହଜାରରୁ ୨୧ ହଜାରକୁ ବୃଦ୍ଧି କରିଛନ୍ତି।

Leave A Reply