ଚମ୍ପୁଆରେ ୧୬ ଘରିଆ ହାତୀପଲଙ୍କ ଉତ୍ପାତ

0

ଚମ୍ପୁଆ: ଚମ୍ପୁଆରେଞ୍ଜକୁ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ହାତୀପଲ ଲେଉଟିଛନ୍ତି। ମୟୁରଭଞ୍ଜର ଆଦିପୁର ଅଞ୍ଚଳରୁ ଏହି ୧୬ଘରିଆ ହାତୀପଲ ଏବେ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ହୋଇଛନ୍ତି। ଏହି ହାତୀପଲ ମୟୁରଭଞ୍ଜ ଆଦିପୁରରୁ ବୈତରଣୀ ନଦୀ ପାର ହୋଇ ରେଙ୍ଗାଳବେଡା, ରରୁଅାଁଗୋଡା, ହୃଦରାମପୁର, ବାଙ୍କିଆ, ବନିକା ଦେଇ କାଟୁଳିକନା ଗ୍ରାମରେ ଅବସ୍ଥାନ କରୁଛନ୍ତି। ହାତୀପଲ ଆସିଲା ବେଳେ ବନିକା ଗ୍ରାମର ଚିନ୍ତାମଣି ମହାନ୍ତଙ୍କ ଘରଭାଙ୍ଗି ଧାନ ଏବଂ ଚାଉଳ ଆଦି ଖାଇଥିବା ସୂଚନା ମିଳିଛି। ଖବରପାଇ ବନବିଭାଗ ପକ୍ଷରୁ ହାତୀପଲ ଉପରେ ନଜର ରଖାଯାଇଛି। ହାତୀପଲ ଯେପରି ଜଙ୍ଗଲ ମଧ୍ୟରୁ ବାହାରି ଗାଁ ଆଡକୁ ନ ଆସନ୍ତି ସେଥିପ୍ରତି ବନବିଭାଗ ସଜାଗ ରହିଥିବା ସ୍ଥାନୀୟ ରେଞ୍ଜ ଅଧିକାରୀ ଘନଶ୍ୟାମ ବାରିକ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, କିଛିଦିନ ହେବ ବନବିଭାଗ ହାତୀ ଘଉଡାଇବା ପାଇଁ ନିୟୋଜିତ ପାଞ୍ଚଟି ହାତୀ ସ୍କ୍ୱାର୍ଡର ବହୁ ପିଲାଙ୍କୁ ସ୍ଥାନରୁ ଅନ୍ତର କରାଯାଇଥିଲା। ଏହାଛଡା ହାତୀ ଘଉଡେଇବା ପାଇଁ ବାଣ, ବାଜା, ଟର୍ଚ୍ଚ ଲାଇଟ୍‍ ଆଦିର ଆବଶ୍ୟକତା ଠାରୁ ବହୁତ କମ୍‍ ଯୋଗାଣ ରହିଥିଲା। ତୁରନ୍ତ ହାତୀ ଘଉଡେଇବା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବାକୁ ଦାବି ହୋଇଛି।

Leave A Reply