ଗୁଜୁରାଟର ୭ ଜଣ ଝିଅ ଭିକ ମାଗୁଥିବା ଅବସ୍ଥାରେ ପୁଲିସ ଦ୍ୱାରା ଅଟକ

0

ସମ୍ବଲପୁର: ଗୁଜୁରାଟ ଭଳି ଏକ ବିକଶିତ ରାଜ୍ୟର ୭ ଜଣ ଯୁବତୀ ସମ୍ବଲପୁର ଠାରେ ଭିକ ମାଗୁଥିବାର ଏକ ଅଭାବନୀୟ ଦୃଶ୍ୟ ଶନିବାର ଦେଖିବାକୁ ମିଳିଛି। ସୁଚନାନୁଯାୟୀ, ସମ୍ବଲପୁରର ଧନୁପାଲୀ ରୁ ମାନେଶ୍ୱର ଯାଇଥିବା ଜାତୀୟ ରାଜପଥର ନକ୍ସାପାଲି ଗ୍ରାମ ନିକଟରେ ୭ ଜଣ ଯୁବତୀ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ଠାରୁ ଭିକ ମାଗୁଥିଲେ। ଆଧୁନିକ ବସ୍ତ୍ର ଯଥା ଜିନ୍ସ, ଟି – ସାର୍ଟ, ଜୋତା, ବେଲ୍ଟ, ହାତରେ ଘଡି ଆଦି ପରିଧାନ କରିଥିବା ଏହି ଯୁବତୀ ମାନଙ୍କ ଉପରେ ଯାତ୍ରୀ ମାନଙ୍କର ସନ୍ଦେହ ହେବାରୁ କେହି ପୁଲିସକୁ ଖବର ଦେଇଥିଲା।ଧନୁପାଲୀ ପୁଲିସ ଥାନାଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ମାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ପଚରାଉଚୁରା କରିବା ସମୟରେ ଯୁବତୀ ମାନେ ଗୁଜରାଟ ରାଜ୍ୟର ଅହମଦାବାଦ ଜିଲାର ଅମରାଇୱାଡି ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ଭୋକ ଉପାସରୁ ବଞ୍ଚିବା ଏବଂ ନିଜର ଦୈନନ୍ଦିନ ଖର୍ଚ୍ଚ ଉଠାଇବାରେ ଅସମର୍ଥ ହେବାରୁ ରାଜ୍ୟରୁ ଏଠାକୁ ଆସି ଭିକ୍ଷାବୃତ୍ତି କରୁଥିବା ପୁଲିସକୁ କହିଛନ୍ତି। ସେହି ଅଞ୍ଚଳରେ ରୋଜଗାର ନ ଥିବାରୁ ବହୁ ପରିବାର ନିଜ ଗୁଜୁରାଣ ମେଣ୍ଟାଇବା ଓ ଭୋକଉପାସରେ ରହିବା ଅପେକ୍ଷା ଭିକ ମାଗିବା ଶ୍ରେୟ ମନେ କରି ବିଭିନ୍ନ ଅଞ୍ଚଳକୁ ପଳାଇ ଯାଉଛନ୍ତି । ଏହି ଯୁବତୀମାନଙ୍କର ବାପାମାଆମାନେ ମଧ୍ୟ ଅନ୍ୟ ଦଳରେ ଭାଗ ହୋଇ ଭିକ ମାଗୁଥିବା ଯୁବତୀ ମାନେ ପୁଲିସକୁ ଜଣାଇଛନ୍ତି। ଏହି ଯୁବତୀଙ୍କ ନିକଟରୁ ସେମାନଙ୍କର ଆଧାର କାର୍ଡ ମଧ୍ୟ ପୁଲିସକୁ ମିଳିଛି। ତେବେ ଯୁବତୀ ମାନଙ୍କର ବେଶଭୂଷାକୁ ଦେଖି ପୁଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଛି। ଯୁବତୀମାନଙ୍କୁ ସୁଧାର ଗୃହକୁ ପଠାଇଦେଇଛି।

ସୂଚନାଯୋଗ୍ୟ ଯେ, ଓଡିଶାର ହଜାର ହଜାର ଗରିବ ପରିବାର ଗୁଜୁରାଟ ର ସୁରତ, ଅହମଦାବାଦ, ଭଦୋଦରା ଆଦି ସ୍ଥାନରେ ରୋଜଗାର ପାଇଁ ଯାଇଥାନ୍ତି। ତେବେ ଏଭଳି ପରିସ୍ଥିତିରେ ଗୁଜୁରାଟର ଯୁବତୀ ମାନେ ସମ୍ବଲପୁର କୁ ଆସି ଭିକ ମାଗିବା ସହରବାସୀ ଙ୍କୁ ଚକିତ କରି ରଖିଦେଇଛି।

Leave A Reply