କ୍ୟାମ୍ପ କୋର୍ଟକୁ ଓକିଲ ସଂଘର ବିରୋଧ

0

କେନ୍ଦୁଝରଗଡ଼/କେନ୍ଦୁଝର : ହାଇକୋର୍ଟର ଜନୈକ କର୍ତ୍ତବ୍ୟରତ ଓକିଲଙ୍କୁ ପୁଲିସର ମାଡ ପ୍ରତିବଦରେ ଅଗଷ୍ଟ ୨୯ ତାରିଖରୁ ଦୀର୍ଘ ୨ମାସବ୍ୟାପୀ ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଆଇନସେବାରୁ ବଞ୍ଚିତ ହୋଇ ଗିରଫ ବିଚାରାଧିନ ବନ୍ଦୀଙ୍କୁ ଜାମିନ ପ୍ରଦାନ ଲକ୍ଷ୍ୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସୋମବାର ଠାରୁ ରାଜ୍ୟର ସମସ୍ତ କାରାଗାରରେ କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ଷମ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। କେନ୍ଦୁଝର ଜିଲା କୋର୍ଟ ପକ୍ଷରୁ ଜିଲା କାରାଗାରରେ
କ୍ୟାମ୍ପ କୋର୍ଟ ପାଇଁ ବିଚାରପତିଗଣ ବାହାରିବା ସମୟରେ ଜିଲା ଓକିଲ ସଂଘର ଅସ୍ଥାୟୀ ଚେୟାରମ୍ୟାନ ସଙ୍ଗିତା ସିଂହଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଜିଲା କୋର୍ଟ ମୁଖ୍ୟ ଫାଟକକୁ ତାଲା ପକାଇ ଅବରୋଧ ପୂର୍ବକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ କାରାଗାରରେ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପ କୋର୍ଟ ହୋଇପାରିନାହିଁ। ଓକିଲଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୁଶ୍ରୀ ସିଂହ କହିଛନ୍ତି। ଓକିଲଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମକୁ ବିରୋଧ କରି ଜିଲା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ଆଇନ ସାମ୍ମୁଖ୍ୟ ଉପଦେଷ୍ଟା ଅସୀମ ଅମିତାଭ ଦାସ, ବିଜୁ ଜନତା ଦଳ ରାଜ୍ୟ ଆଇନ ସାମ୍ମୁଖ୍ୟ ଅଧ୍ୟକ୍ଷ ମିଲନ କାନୁନଗୋ ଓ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ପରିଡା, ପ୍ରଦୀପ୍ତ କୁମାର ମିଶ୍ର, ବିରଜା ମିଶ୍ର, ଗିଜରିଜା ମିଶ୍ର, ରକ୍ଷାକର ପତି, ବଳଭଦ୍ର ନନ୍ଦ, ଚିନ୍ମୟ କୁମାର ସାହୁ, ପ୍ରଶାନ୍ତ ପଣ୍ଡାଙ୍କ ସମେତ ଶତାଧିକ ଓକିଲ ଆନ୍ଦୋଳନରେ ସାମିଲ ହୋଇ କାରାଗାରରେ କ୍ୟାମ୍ପ କୋର୍ଟକୁ ଦୃଢ଼ ବିରୋଧ କରିଥିଲେ।

Leave A Reply