କୋହଲିଙ୍କୁ ୧୨୦+ ଟାର୍ଗେଟ ଦେଲେ ସୋଏବ

0

ଇସଲାମାବାଦ: ବିରାଟ କୋହଲି ଶନିବାର ପୁଣେରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଦିନିକିଆରେ ଶତକ ଅର୍ଜନ କରିଛନ୍ତି। କ୍ରମାଗତ ୩ଟି ଦିନିକିଆରେ କ୍ରମାଗତ ଶତକ ହାସଲକରି ପ୍ରଥମ ଭାରତୀୟ କ୍ରିକେଟରଭାବେ କୋହଲି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତାର ଭାରତୀୟ ଅଧିନାୟକ କୋହଲିଙ୍କ ପାଇଁ ନୂତନ ଟାର୍ଗେଟ ଧାର୍ଯ୍ୟ କରିଛନ୍ତି। ସୋଏବ କହିଛନ୍ତି ଯେ କୋହଲିଙ୍କ ଫର୍ମ ଓ ବୟସକୁ ଅନୁଧ୍ୟାନ କଲେ, ସେ (କୋହଲି) ଆନ୍ତର୍ଜାତିକ ସର୍କିଟରେ (ଟେଷ୍ଟ+ଦିନିକିଆ) ୧୨୦ରୁ ଅଧିକ ଶତକ ଅର୍ଜନ କରିପାରିବେ। ପୂର୍ବରୁ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ଓ ଏକମାତ୍ର ବ୍ୟାଟସମ୍ୟାନଭାବେ ୧୦୦ଟି ଶତକ (ଟେଷ୍ଟରେ ୫୧ ଓ ଦିନିକିଆରେ ୪୯) ହାସଲ କରିସାରିଛନ୍ତି। ସଚିନଙ୍କ ତୁଳନାରେ କୋହଲି ଅଳ୍ପ ସମୟ ମଧ୍ୟରେ ଏପର୍ଯ୍ୟନ୍ତ ୬୨ଟି ଶତକ (୨୪+୩୮) ହାସଲ କରିସାରିଲେଣି। ସାମାଜିକ ଗଣମାଧ୍ୟମରେ କୋହଲିଙ୍କୁ ଉଚ୍ଚପ୍ରଶଂସା କରିବା ସହ ସୋଏବ ତାଙ୍କ ସମ୍ମୁଖରେ ୧୨୦+ ଟାର୍ଗେଟ ଧାର୍ଯ୍ୟ କରିଛନ୍ତି। ଏଥିସହିତ କୋହଲି ଏହି ନୂତନ ଟାର୍ଗେଟକୁ ଅନାୟାସରେ ହାସଲ କରିପାରିବେ ବୋଲି ସୋଏବ ଆଶାବ୍ୟକ୍ତ କରିଛନ୍ତି।

Leave A Reply