କୋର୍ଟ ମାଲଖାନାରୁ ନେଇଗଲେ ୫ ବସ୍ତା ଗଞ୍ଜେଇ

0

ଫୁୁଲବାଣୀ: ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଡକାୟତଦଳ। ସ୍ଥାନୀୟ ଜିଲା କୋର୍ଟ ମାଲଖାନାର ଦୁଇଟି ଝରକା ଭାଙ୍ଗି ଡକାୟତ ଦଳ ଚୋରି କରି ନେଇଛନ୍ତି ୫ ବସ୍ତା ଗଞ୍ଜେଇ। ଡକାୟତ ଦଳ ସେଠାରେ ଛାଡି ଯାଇଥିବା ହାତ ଗ୍ଲୋବସ୍‍, ଟେଷ୍ଟର, ଶାବଳ, ଆରି ପ୍ରଭୃତି ଜିନିଷ ଜବତ କରି ଟାଉନ୍‍ ପୁଲିସ ତଦନ୍ତ କରୁଛି। ଡକାୟତ ଦଳକୁ ପ୍ରତିରୋଧ କରିଥିବା ଦୁଇଜଣ ରାତ୍ର ଜଗୁଆଳୀଙ୍କୁ ଗୁଳି କରି ମାରିଦେବାକୁ ଚେତାବନୀ ଦେବାରୁ ସେମାନେ ପ୍ରାଣ ବିକଳରେ ସେଠାରୁ ଚାଲିଯାଇ ନିକଟରେ ଥିବା ଟାଉନ ଥାନାରେ ସୂଚନା ଦେଇଥିଲେ। ଟାଉନ ପୁଲିସ ପହଞ୍ଚିିବା ବେଳକୁ ଡକାୟତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଥାନାଠାରୁ ମାତ୍ର ଶହେ ମିଟର ଦୂର ସହରର କେନ୍ଦ୍ରସ୍ଥଳରେ କୋର୍ଟର ଝରକା ଗ୍ରୀଲ୍‍ ଭାଙ୍ଗି ଏପରି ଡକାୟତି କରିବା ଘଟଣା ଆଶ୍ଚର୍ଯ୍ୟ କରିଛି।
ପୁଲିସ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ତିନିରୁ ଚାରୋଟି ମଟରସାଇକଲରେ ସାତ ଆଠ ଜଣ ଡକାୟତ ଜିଲା କୋର୍ଟ ପଛ ପଟରୁ ପାଚେରୀ ଡେଇଁ ପ୍ରବେଶ କରିବା ପରେ କୋର୍ଟ ମାଲଖାନାର ଦୁଇଟି
ଝରକା ଭାଙ୍ଗିଥିଲେ। ଶବ୍ଦ ଶୁଣି ରାତ୍ର ଜଗୁଆଳି ଶ୍ରୀକୃଷ୍ଣ ପ୍ରଧାନ ଓ କାହ୍ନୁ ନାୟକ ଡକାୟତଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ଏବଂ ଟେକାପଥର ମାଡ କରିଥିଲେ। ଡକାୟତମାନେ ପାଲଟା ଟେକାପଥର ମାରିବା ସହିତ ମାରିବାକୁ ଧମକ ଦେଇଥିଲେ। ଏପରିକି ସେମାନଙ୍କ ସହିତ କୁଆଡେ ଧସ୍ତାଧସ୍ତି ହୋଇଥିଲା। ପରେ ଗୁଳି କରି ମାରିଦେବାକୁ ଧମକ ଦେବାକୁ ଜୀବନ ବିକଳରେ ଜଗୁଆଳି ଦ୍ୱୟ ଘଟଣାସ୍ଥଳ ଛାଡି ଟାଉନ ଥାନାକୁ ସୂଚନା ଦେଇଥିଲେ। ପୁଲିସ ସୂଚନା ପାଇ ଆସିବା ବେଳକୁ ଡକାୟତ ଦଳ କୋର୍ଟ ମାଲଖାନାରୁ ଗଞ୍ଜେଇ ନେଇ ଚମ୍ପଟ ମାରିଥିଲେ। ପାଞ୍ଚବସ୍ତା ଗଞ୍ଜେଇ ଚୋରି କରି ନେଇଥିବା ଅସମର୍ଥିତ ସୁତ୍ରରୁ ଜଣାପଡିଛି। ଅନ୍ୟ ଗୋଟିଏ ବସ୍ତା ଗଞ୍ଜେଇ କରୋନେସନ ପଡିଆ ନିକଟସ୍ଥ ଗଛ ପାଖରୁ ସକାଳେ ତଦନ୍ତ ବେଳେ ପୁଲିସ ପାଇଛି। ଡକାୟତ ଦଳ ନେଇ ଯାଇଥିବା ୫ ବସ୍ତା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ହେବ। ଆଜି ସକାଳେ ଟାଉନ ପୁଲିସ ସଦଳବଳ ପହଞ୍ଚି ତଦନ୍ତ କରିଥିଲା। ସଦର ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସନ୍ଧାନୀ କୁକୁର ସହ ତଦନ୍ତ କରିଥିଲେ। ଦୀର୍ଘ ତିନି କିଲୋମିଟର ବାଟ ସନ୍ଧାନୀ କୁକୁର ଧାଇଁବା ପରେ ଏଫସିଆଇ ଛକରେ ଥିବା କନ୍ଧମାଳ ଢାବାରେ ପଶିଥିଲା। ସେଠାରେ ତଦନ୍ତ କରି ଫେରିଥିଲା ପୁଲିସ ଟିମ୍‍। ଅପରାହ୍ନରେ କୋର୍ଟ ତରଫରୁ ଆନୁଷ୍ଠାନିକ ଭାବେ ଏତଲା ଦିଆଯାଇଛି।

Leave A Reply