କୁଲ୍‍ଫି ବିକୁଛନ୍ତି ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା

0

ଭିୱାନି (ହରିୟାଣା): ଦିନେଶ କୁମାର ହେଉଛନ୍ତି ଭାରତୀୟ କ୍ରୀଡ଼ା ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବକ୍ସର। ୨୦୧୦ ଗ୍ୱାଙ୍ଗ୍‍ଝୌ ଏସୀୟ କ୍ରୀଡ଼ାରେ ଦିନେଶ ଦେଶ ପାଇଁ ରୌପ୍ୟପଦକ ଜିତିଥିଲେ। ଏହି କୃତିତ୍ୱ ପାଇଁ ଭାରତ ସରକାର ତାଙ୍କୁ ୨୦୧୦ରେ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ। ହେଲେ ଦିନେଶ ଆଜି ଭିୱାନୀର ରାସ୍ତାରେ ଠେଲାଗାଡ଼ିରେ କୁଲ୍‍ଫି (ଆଇସ୍‍କ୍ରିମ୍‍) ବିକୁଛନ୍ତି। ଚାକିରି ଖଣ୍ଡିଏ ନ ପାଇବାରୁ ବାଧ୍ୟହୋଇ ସେ ଏହି ପେସା ଆପଣାଇଛନ୍ତି। ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତୁଥିବା ତାଙ୍କ ରାଜ୍ୟର କ୍ରୀଡ଼ାବିତ୍‍ଙ୍କୁ କୋଟିକୋଟି ଟଙ୍କା ପୁରସ୍କାର ଦେଉଥିବା ହରିୟାଣା ସରକାରଙ୍କ ନଜର ମଧ୍ୟ ଦିନେଶଙ୍କ ଉପରେ ପଡ଼ିନାହିଁ।
ଦିନେଶ ବକ୍ସିଂ କରୁଥିବା ବେଳେ ତାଙ୍କ ତାଲିମ, କ୍ରୀଡ଼ା ସରଞ୍ଜାମ କିଣିବା ଓ ବିଦେଶ ଗସ୍ତ ପାଇଁ ତାଙ୍କ ବାପା କେଇ ଲକ୍ଷ ଟଙ୍କା କରଜ କରିଥିଲେ। ଲକ୍ଷ୍ୟ ଥିଲା ଦିନେଶ ଚାକିରି କରିବା ପରେ ଋଣ ସୁଝିଦେବେ। ତେବେ ଚାକିରି ତ ମିଳିଲା ନାହିଁ; ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ଦିନେଶ ଗୁରୁତର ଆହତହୋଇ ହସ୍‍ପିଟାଲରେ ପଡ଼ିଲେ। ତାଙ୍କ ଚିକିତ୍ସା ପାଇଁ ବାପା ଆଉ କିଛି ଲକ୍ଷ ଟଙ୍କା କରଜ କଲେ। ଦୁର୍ଘଟଣା ଯୋଗୁଁ ଦିନେଶ ଆଉ ବକ୍ସିଂ କରିପାରିଲେ ନାହିଁ। ତେଣୁ ପିତା କରିଥିବା କରଜ ସୁଝିବା ପାଇଁ ବାଧ୍ୟହୋଇ ଦିନେଶ କୁଲ୍‍ଫି ବିକୁଛନ୍ତି। ଅତ୍ୟନ୍ତ କ୍ଷୋଭର ସହ ଦିନେଶ କୁହନ୍ତି, ୧୭ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ୍‍ ପଦକ ଜିତିବା ପରେ ମଧ୍ୟ ମୋ ଉପରେ ସରକାରଙ୍କ ଦୃଷ୍ଟିପଡ଼ିଲା ନାହିଁ। ମୋତେ ତ ବଞ୍ଚିବାକୁ ପଡ଼ିବ। ବାପା କରିଥିବା କରଜ ସୁଝିବାକୁ ପଡ଼ିବ। କୁଲ୍‍ଫି ବିକିବାରେ କିଛି ଲାଜ ନାହିଁ। ଯଦି ବା ସରକାର ଚାକିରିଟିଏ ଦିଅନ୍ତି; ତେବେ ଛୋଟପିଲାଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟସ୍ତରର ବକ୍ସର କରିବାକୁ ଲକ୍ଷ୍ୟ ଅଛି। ବକ୍ସିଂରୁ ବହୁତ କିଛି ପାଇଛି ଏବଂ ଏହାକୁ କିଛି ଫେରାଇଦେବାକୁ ଚାହେଁ। ଦିନେଶଙ୍କ ପ୍ରଶିକ୍ଷକ ବିଷ୍ଣୁ ଭଗବାନଙ୍କ ସହ ବହୁତ କ୍ରୀଡ଼ାବିତ୍‍ ଦିନେଶଙ୍କୁ ଶୀଘ୍ର ଚାକିରି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ହରିୟାଣା ସରକାରଙ୍କ କ୍ରୀଡ଼ାନୀତି ଅନ୍ତର୍ଗତ ଏସୀୟ ରୌପ୍ୟପଦକ ବିଜେତା କ୍ରୀଡ଼ାବିତ୍‍ ନିଯୁକ୍ତି ପାଇବାକୁ ହକ୍‍ଦାର।

Leave A Reply