କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରାଯିବ

ଭୁବନେଶ୍ୱର: କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ସେମାନେ କିଭିଳି ଭିନ୍ନ ଟ୍ରାଫିକ୍‌ ଛକରେ ଆର୍ଥିକ ସହାୟତା ନ ମାଗନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯିବ। କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବଙ୍କ ଆଲୋଚନା କରାଯିବ। କିନ୍ନରମାନଙ୍କୁ ସମ୍ମାନ ଦିଅନ୍ତୁ ଓ ନିଜ ପରିବାରର ସଦସ୍ୟ ଭଳି ବ୍ୟବହାର କରନ୍ତୁ ବୋଲି ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ପ୍ରକାଶ କରିଛନ୍ତି।
କରୋନା ମହାମାରୀ ସମୟରେ ସାରା ଦେଶରେ ଅର୍ଥନୀତି ଭୁଷୁଡ଼ି ପଡ଼ିଥିବା ବେଳେ ସେଥିରୁ କିନ୍ନରମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ଦେଶରେ ଥିବା ହଜାର ହଜାର କିନ୍ନର ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବା ସହ ସେମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ନିଜର ପେଟ ଚାଖଣ୍ଡକ ପାଇଁ ଟ୍ରାଫିକ୍ ଛକ ଓ ଦୋକାନ ବଜାରରେ କିଛି ଆର୍ଥିକ ସହାୟତା ମାଗୁଛନ୍ତି ଓ ସେଥିରେ ପେଟ ପୋଷୁଛନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ କିନ୍ନରମାନଙ୍କୁ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କିଛି ବି ଆର୍ଥିକ ସହାୟତା ଦେଇପାରୁନାହାଁନ୍ତି ଅଥଚ ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଉଛନ୍ତି। ଏପରିକି ପୋଲିସ୍‌କୁ ସେମାନଙ୍କ ବିରୁଦ୍ଧରେ ମିତ୍ୟା ଅଭିଯୋଗ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ନୂତନ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର କିନ୍ନରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ କିନ୍ନର ସୁଇଟି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। ଏହାସହିତ ସରକାରଙ୍କ ମୌନବ୍ରତ ରହିବା ଓ ଲୋକମାନଙ୍କ ନିର୍ଯ୍ୟାତନା ବିଷୟରେ ଆଲୋକପାତ କରିଥିଲେ।
ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର କହିଥିଲେ ଯେ କଟକ ଓ ଭୁବନେଶ୍ୱରରେ ଥିବା ତୃତୀୟଲିଙ୍ଗୀମାନେ କିପରି ଭାବରେ ଟ୍ରାଫିକ ଛକରେ ବିଭିନ୍ନ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ନ ମାଗି ନିଜେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ନିଜର ଗୁଜୁରାଣ ମେଣ୍ଟାଇପାରିବେ, ସେ ବିଷୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ, ଅଧ୍ୟକ୍ଷ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଆଲୋଚନା କରିଥିଲେ। ଏଥିରେ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଟ୍ରାଫିକ ପୋଲିସ୍ ଉପାୟୁକ୍ତ କିଶୋର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.