କାଶ୍ମୀର ‘ସତ୍ୟ’ ଓ ତଥ୍ୟ

0

ଆମ ଦେଶରେ କ୍ଷମତା ରାଜନୀତିର ଖେଳରେ କେତେବେଳେ କେଉଁ ସ୍ଥିତି ଉପୁଜିବ, ତାହା କଳନା କରିବା କଷ୍ଟ। ବୁଧବାର ଜାମ୍ମୁକାଶ୍ମୀରରେ ହୋଇଥିବା ରାଜନୈତିକ ନାଟକକୁ ଦେଖିଲେ ଏହାର ସତ୍ୟତା ଉପଲବ୍ଧି କରିହୁଏ। ଯେଉଁମାନେ ଦୀର୍ଘଦିନ ଧରି ନିଲମ୍ବିତ ଅବସ୍ଥାରେ ରଖାଯାଇଥିବା ବିଧାନସଭାକୁ ଭଙ୍ଗ କରିବାକୁ ଅନୁରୋଧ କରିଆସୁଥିଲେ, ସେହି ତିନିଟି ରାଜନୈତିକ ଦଳ ପିଡିପି, ନେସନାଲ କନଫରେନ୍ସ (ଏନ୍‌ସି) ଓ କଂଗ୍ରେସ ଏକାଠି ହୋଇ ଯେତେବେଳେ ସରକାର ଗଢ଼ିବାକୁ ରାଜଭବନକୁ ବାର୍ତ୍ତା ପଠାଇଲେ, ରାଜ୍ୟପାଳ ଠିକ୍ ତା’ପରେପରେ ବିଧାନସଭାକୁ ଭାଙ୍ଗିଦେଲେ। ଫଳରେ ଆହୁରି ଦୁଇବର୍ଷ କାର୍ଯ୍ୟକାଳ ବାକି ଥିବା ବିଧାନସଭା ପାଇଁ ନିର୍ବାଚନ ଅବଶ୍ୟମ୍ଭାବୀ ହୋଇପଡ଼ିଛି। ଏହି ଅତି ସମ୍ବେଦନଶୀଳ ରାଜ୍ୟରେ ଯେତେଶୀଘ୍ର ନିର୍ବାଚନ ହେବ, ସେତିକି ଭଲ; କାରଣ ଏଥିରେ ଯେତିକି ବିଳମ୍ବ ହେବ, ସେତିକି ରାଜନୈତିକ ହଟଚମଟ ସୃଷ୍ଟି ହେବାର ଅବକାଶ ରହିବ। ରାଜନୈତିକ ଅସ୍ଥିରତା ସୃଷ୍ଟି ହେଲେ ସେଠାକାର ସ୍ଥିତି ମଧ୍ୟ ଅଣାୟତ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ସୂଚନାଯୋଗ୍ୟ, ପାଞ୍ଚମାସ ତଳେ ପିଡିପି ନେତୃତ୍ବାଧୀନ ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ମେହେବୁବା ମୁଫ୍‌ତି ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲେ ଓ ଜୁନ ୧୯ରୁ ରାଜ୍ୟପାଳ ଶାସନ କାର୍ଯ୍ୟକାରୀ ହୋଇଥିଲା, ଯାହାର ଅବଧି ଡିସେମ୍ବର ୧୯ରେ ଶେଷ ହେବ।
ରାଜ୍ୟପାଳ ସତ୍ୟପାଲ ମଲିକ ଯେଉଁଭଳି ତରବରିଆ ଭାବେ ବିଧାନସଭା ଭଙ୍ଗ କରିଛନ୍ତି, ସେଥିନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ସେ ତାଙ୍କର ଏହି ପଦକ୍ଷେପକୁ ଯଥାର୍ଥ ଦର୍ଶାଇବାକୁ ଯେଉଁ କାରଣମାନ ଦେଖାଇଛନ୍ତି, ତାହା ମଧ୍ୟ ଯଥେଷ୍ଟ ମନେହେଉନାହିଁ। ପିଡିପି ନେତ୍ରୀ ମେହେବୁବା ମୁଫ୍‌ତିଙ୍କ ପକ୍ଷରୁ ସରକାର ଗଠନ ନେଇ ଯେଉଁ ଫ୍ୟାକ୍ସ ରାଜଭବନକୁ ପଠାଯାଇଥିଲା, ତାହା ସେଠାରେ ଗ୍ରହଣ କରାଯାଇପାରିନଥିଲା। ଏହାର କାରଣ ଭାବେ ରାଜ୍ୟପାଳ କହିଛନ୍ତି ଯେ ଇଦ୍‌ ଯୋଗୁଁ ତାଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିଲା। ତାଙ୍କୁ ଖାଦ୍ୟ ପରଷିବା ପାଇଁ ବି କୌଣସି ଲୋକ ନଥିଲେ ବୋଲି ସେ ସଫେଇ ଦେଇଛନ୍ତି। ତେବେ ବିଳମ୍ବିତ ରାତିରେ ବିଧାନସଭା ଭଙ୍ଗ କରିବା ପାଇଁ କେମିତି ସବୁକିଛି ସୁବ୍ୟବସ୍ଥା ହୋଇଗଲା? ଅନ୍ୟପକ୍ଷରେ, ବିଧାୟକମାନଙ୍କୁ ଆତଙ୍କବାଦୀଙ୍କ ପକ୍ଷରୁ ଧମକଚମକ ଦିଆଯାଉଥିଲା, ଏପରିକି ସରକାର ଗଠନ ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଉଥିଲା; ତେଣୁ ବିଧାନସଭା ଭଙ୍ଗ କଲେ ବୋଲି ରାଜ୍ୟପାଳ କହିଛନ୍ତି। ହୁଏତ ଏହାକୁ ଏକ ଯଥାର୍ଥ କାରଣ ଭାବେ ସ୍ବୀକାର କରାଯାଇପାରି ଥାଆନ୍ତା, ଯଦି ସେ ତରବରିଆ ଭାବେ ବିଧାନସଭା ଭଙ୍ଗ କରିନଥା’ନ୍ତେ। କେବଳ ସେତିକି ନୁହେଁ, ସରକାର ଗଠନ ପାଇଁ ଘୋଡ଼ାବେପାର ହେଉଛି ବୋଲି ସେ ଖୋଲାଖୋଲି କହିଛନ୍ତି, ଯାହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଅବଶ୍ୟ ଏପରି ସମୟରେ ଆମ ଦେଶର ନେତୃବୃନ୍ଦ ନୀତିନୈତିକତାସବୁ ଚୁଲିକୁ ଠେଲିଦିଅନ୍ତି, ସେକଥା ଅଛପା ନୁହେଁ। ତଥାପି ରାଜ୍ୟପାଳ ଯେତେବେଳେ ଏକଥା କହୁଛନ୍ତି, ଏହା ଅନୁସନ୍ଧାନସାପେକ୍ଷ।
ସେ ଯାହାହେଉ, ପରସ୍ପରକୁ ନିଜର ବଡ଼ ପ୍ରତିଦ୍ବନ୍ଦ୍ବୀ ଭାବେ ଦେଖିଆସୁଥିବା ପିଡିପି ଓ ଏନ୍‌ସି ସରକାର ଗଢ଼ିବା ପାଇଁ ଏକାଠି ହେବାର ବାଧ୍ୟବାଧକତା ମୂଳରେ କେବଳ କ୍ଷମତା ହାତେଇବା ଉଦ୍ଦେଶ୍ୟ ଥିଲା, ସେଥି‌େ​‌ର ସନ୍ଦେହ ନାହିଁ, କିନ୍ତୁ ବିଜେପି ମଧ୍ୟ ଏ ଦୃଷ୍ଟିରୁ ଆଦୌ କମ୍ ରାଜନୀତି କରିନାହିଁ। ତିନିଟି ଦଳ ସରକାର ଗଠନ ପାଇଁ ଦାବି କରିବା ଖବର ପାଇବା ପରେ ବିଜେପି ପିପୁଲ୍ସ କନଫରେନ୍ସର ପ୍ରତିଷ୍ଠାତା ତଥା ବିଚ୍ଛିନ୍ନତାବାଦୀ ଅବଦୁଲ ଗନି ଲୋନଙ୍କ ପୁତ୍ର ସଜ୍ଜାଦ ଲୋନଙ୍କୁ ସମର୍ଥନ ଦେବା ସହ ରାଜ୍ୟପାଳଙ୍କ ନିକଟରେ ଅନୁରୂପ ଦାବି କରିବା ପାଇଁ ପ୍ରବର୍ତ୍ତାଇଥିଲା। ତେଣୁ ସରକାର ଗଠନ ଉଦ୍ୟମ ଫସର ଫାଟିବା ପଛରେ ବିଜେପିର ଚାଲ୍ ରହିଛି ବୋଲି ଯାହା କୁହାଯାଉଛି, ତାହା ସତ୍ୟ ହୋଇଥାଇପାରେ।
ବିଗତ କିଛି କାଳଧରି ବିଜେପି କାଶ୍ମୀର ଜନାଦେଶକୁ ବିଭାଜିତ କରିବାକୁ ପ୍ରୟାସ କରିଆସିଛି। ବାଜପେୟୀଙ୍କ ଯୁଗରେ ପିଡିପିକୁ ନେସନାଲ କନଫରେନ୍ସର ବିକଳ୍ପ ରୂପେ ରଖାଯାଇଥିଲା। ଏହାଦ୍ବାରା ପ୍ରାୟ ସ୍ଥିର ହୋଇଯାଇଥିଲା ଯେ ନେସନାଲ କନଫରେନ୍ସ ବା ପିଡିପି, କେହି ସହଜରେ ଜାମ୍ମୁ କ୍ଷେତ୍ରରେ ସହଯୋଗୀଙ୍କ ଅଂଶଗ୍ରହଣ ବିନା ସରକାର ଗଢ଼ିପାରିବେ ନାହିଁ। ୨୦୦୨ରେ ପିଡିପି କଂଗ୍ରେସ ସହଯୋଗରେ ସରକାର ଗଠନ କରିଥିଲା। ସେହିପରି ୨୦୦୮ରେ ଉମର ଅବଦୁଲ୍ଲା କଂଗ୍ରେସ ସମର୍ଥନରେ ସରକାର ଗଢ଼ିଥିଲେ ଓ ଏହି ଉଭୟ କାର୍ଯ୍ୟକାଳରେ କଂଗ୍ରେସର ବେଶୀ ବିଧାୟକ ଜାମ୍ମୁରୁ ହିଁ ରହିଥିଲେ। ୨୦୧୪ରେ ମେହେବୁବା ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲେ। ମଜାକଥା ହେଲା, ବର୍ତ୍ତମାନ ସଜ୍ଜାଦ ଲୋନଙ୍କ ନେତୃତ୍ବାଧୀନ ଦଳକୁ ସରକାର ଗଠନର ଆଉ ଏକ ଅଂଶୀଦାର ଭାବେ ପ୍ରସ୍ତୁତ କରାଯାଉଛି, ଯେପରିକି ତୃତୀୟ ପକ୍ଷ ଭାବେ ଭୋଟ ବିଭାଜନ ହୋଇପାରିବ। ବିଜେପିର ଏହି ରଣନୀତିକୁ ଅବଶ୍ୟ ନେସନାଲ କନଫରେନ୍ସ ଓ ପିଡିପି ବୁଝିପାରିଥିବେ; ତେଣୁ ସେମାନେ ମେଣ୍ଟ କରିବା କଥା ଚିନ୍ତା କରିଥିବେ।
ଯେଉଁ ରାଜ୍ୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରାଯାଉଛି, ସେଠାରେ ନିର୍ବାଚନ ଆଚରଣ ବିଧି ଲାଗୁ କରିବାକୁ ନିକଟରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ। ଏହିପରି କରାଯିବାରେ ତେଲଙ୍ଗାନା ପ୍ରଥମ ରାଜ୍ୟ। ତେବେ ଜାମ୍ମୁକାଶ୍ମୀରରେ କାମଚଳା ସରକାର ନଥିବାରୁ ଆୟୋଗ କି ପଦକ୍ଷେପ ନେବେ, ତାହା ଦେଖିବା କଥା। ସେ ଯାହାହେଉ, ବର୍ତ୍ତମାନ ସ୍ଥିତିରେ ଜାମ୍ମୁକାଶ୍ମୀରରେ ଯେତେଶୀଘ୍ର ସମ୍ଭବ ନିର୍ବାଚନ କରାଯିବା ହିଁ ସର୍ବୋତ୍ତମ ପନ୍ଥା ହେବ।

Leave A Reply