କର୍ମଚାରୀଙ୍କୁ ଏସ୍‍ପିଙ୍କ ନିର୍ଯାତନା ଅଭିଯୋଗ

0

ନବରଙ୍ଗପୁର: ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନରେ ନିୟୋଜିତ ଜଣେ ଅର୍ଡରଲିଙ୍କୁ ନବରଙ୍ଗପୁର ଏସ୍‍ପି ବିବେକାନନ୍ଦ ଶର୍ମା ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ସେଠାରେ କାର୍ଯ୍ୟରତ ରବୀନ କୁମାର ଲିମା ନାମକ ଅର୍ଡରଲିଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍‍ପି ଶ୍ରୀ ଶର୍ମା ୫୦ ଥର ଉଠ୍‍ବସ୍‍ କରିବା ସହିତ ୧୦ ରାଉଣ୍ଡ ଦୌଡ଼ିବାକୁ କହିଥିଲେ। ଏସ୍‍ପିଙ୍କ ନିର୍ଦେଶ ପାଳନ କରିବା ପରେ ରବୀନ୍‍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନା ଆଇୟୁସିରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ୍‍ ମେଡିକାଲ୍‍ କଲେଜ୍‍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ରବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍‍ପିଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଉକ୍ତ ଘଟଣାର ତଦନ୍ତ କରାଯିବ ବୋଲି ଡିଆଇଜି କହିଛନ୍ତି।

Leave A Reply