କରାଳ କରୋନା : ଅସହାୟ ମଣିଷ

ପ୍ରକୃତିର କ୍ଷୁଦ୍ରତମ ଏକ ଭୂତାଣୁ ‘କରୋନା’ର ‘ଯୁଦ୍ଧଂ ଦେହି’ ଆହ୍ୱାନ ଆଗରେ ଆମର ଆଧୁନିକ ଚିକିତ୍ସା ବିଜ୍ଞାନ ଯେ କେତେ ଅସହାୟ, ତାହା ଆଜି ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏହି ଯୁଦ୍ଧରେ ସଂକଳ୍ପର ସହ ସାମିଲ୍‌ ହେବାକୁ ଉଦ୍‌ବୋଧନ ଦେଇଛନ୍ତି। ତାଙ୍କ ମତରେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ହାତଗଣତି କିଛି ଦେଶ ମଧ୍ୟରେ ହୋଇଥିଲା। ଅଥଚ କରୋନାର ପ୍ରଚଣ୍ଡ ଆକ୍ରମଣରେ ଆହତ ଓ ଭୟଗ୍ରସ୍ତ ହୋଇଛନ୍ତି ବିଶ୍ୱର ଶତାଧିକ ଦେଶ। ସମଗ୍ର ବିଶ୍ୱ ଆଜି ମିଳିତ ହୋଇ ଲଢ଼ୁଛି ଏହା ବିରୋଧରେ। ତଥାପି ସୃଷ୍ଟିର ତଥାକଥିତ ଏହି ଅକିଞ୍ଚନ ଜୀବସତ୍ତା ଜାରି ରଖିଛି ତା’ର ପ୍ରଚଣ୍ଡ ପ୍ରହାର। ସେହି ଆକ୍ରମଣରେ ପ୍ରତିଦିନ ଜୀବନ ଦେଉଛନ୍ତି ବିଶ୍ୱର ହଜାରହଜାର ମଣିଷ।
ମଣିଷ ନିଜ ମେଧା ଓ ବିଜ୍ଞାନ ବଳରେ ନିଜକୁ ସୃଷ୍ଟିର ଶ୍ରେଷ୍ଠ ଓ ଶକ୍ତିମାନ୍‌ ମନେ କରେ; କିନ୍ତୁ ବିଶ୍ୱବ୍ୟାପି କରୋନାର କରାଳ ମୃତ୍ୟୁଲୀଳା ଦେଖିଲେ ଜଣା ପଡ଼ୁଛି ତାହା ପ୍ରକୃତରେ କେତେ ହାସ୍ୟାସ୍ପଦ କଥା। ପ୍ରକୃତିର କୋଳରେ ଆମ ଅଦୃଶ୍ୟରେ ଭାସମାନ ଅଗଣିତ କ୍ଷୁଦ୍ରାତିକ୍ଷୁଦ୍ର ଜୀବକଣିକା ଯେ ଆତ୍ମ ଦାମ୍ଭିକ ମାନବଜାତିଠୁ ଅଧିକ ବୁଦ୍ଧିମାନ ଓ ଶକ୍ତିମାନ ହୋଇପାରନ୍ତି, ଏଭଳି ମହାମାରି ଏକ ପ୍ରମାଣ। ଅତୀତରେ ଏହାର ଭୁରିଭୁରି ଦୃଷ୍ଟାନ୍ତ ରହିଛି। ବସନ୍ତ ରୋଗର ଭୂତାଣୁ ଅଶୀଦଶକ ପର୍ଯ୍ୟନ୍ତ ବାରମ୍ବାର ମହାମାରୀ ସୃଷ୍ଟି କରି ସାରା ବିଶ୍ୱରେ କଳା ମୃତ୍ୟୁର ଆତଙ୍କ ଖେଳାଇଥିଲା। ବସନ୍ତ ଟିକାର ଉଦ୍ଭାବନ ଓ ପ୍ରୟୋଗ କରି ମଣିଷ ତାକୁ ଧରା ପୃଷ୍ଠରୁ ନିର୍ମୂଳ କଲା। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ୧୯୮୦ ମସିହାରେ ଏହା ବିଧିବଦ୍ଧ ଘୋଷଣା କଲା। ଏହି ସଫଳତା ପରେ ଆମର ଚିକିତ୍ସା ବିଜ୍ଞାନୀମାନେ ସ୍ୱପ୍ନ ଦେଖିଲେ ଆଗାମୀ ଦିନରେ ବାକି ସବୁ ମହାମାରୀର ମୂଳୋତ୍ପାଟନ ମଧ୍ୟ ଆଧୁନିକ ଚିକିତ୍ସା ଓ ଟିକା ମାଧ୍ୟମରେ ଅଚିରେ ସମ୍ଭବ। ମାତ୍ର ଖୁବ୍‌ ଶୀଘ୍ର ଏହି ଚିନ୍ତାଧାରାକୁ ଭୁଲ୍ ସାବ୍ୟସ୍ତ କଲା ଭୂତାଣୁର ପାଲଟା ଆକ୍ରମଣ। ଅର୍ଥାତ ଠିକ୍‌ ବର୍ଷକ ପରେ ୧୯୮୧ ମସିହାରେ ବିଶ୍ୱରେ ପ୍ରକଟ ହେଲା ଏକ ନୂଆ ଭୂତାଣୁ- ଏଚ୍ଆଇଭି ବା ଏଡସ୍‌। ପ୍ରଥମ କରି ସାନଫ୍ରାନ୍ସିସ୍କୋର ଅପ୍ରାକୃତିକ ଯୌନକ୍ରିୟା ଅଭ୍ୟସ୍ତ ବହୁ ଲୋକଙ୍କ ଶରୀରରେ ଏହି ଭୂତାଣୁକୁ ଚିହ୍ନଟ କରାଗଲା। ସେତେବେଳେ ବୈଜ୍ଞାନିକ ଉପକଳ୍ପନା କରାଗଲା, ଏହା ହୁଏତ ବିଶ୍ୱରୁ ମୂଳୋତ୍ପାଟିତ ପରାଜିତ ବସନ୍ତ ଭୂତାଣୁର ପରିବର୍ତ୍ତିତ ସଂସ୍କରଣ। ମଣିଷ ଉପରେ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଧିକ ମାରାତ୍ମକ ରୋଗ ସୃଷ୍ଟିକାରୀ ଶକ୍ତି ଧାରଣ କରି ଧରାପୃଷ୍ଠରେ ପୁନଃଅବତରଣ କରିଛି। ତା’ସାଥିରେ ଆସିଛନ୍ତି ନୂଆ ହେପାଟାଇଟିସ ବି ଏବଂ ସି ଭୂତାଣୁ। ପରେପରେ ସମରସଜ୍ଜା କରିଛନ୍ତି ସାଥୀ ସହୋଦର ନୂଆନୂଆ ଅଣୁ ଜୀବସତ୍ତା- ବାର୍ଡ-ଫ୍ଲୁ, ସ୍ୱାଇନ୍‌-ଫ୍ଲୁ ସାର୍ସ, ମାର୍ସ, ନିପା, ଜିକା ଇତ୍ୟାଦି ତୁହାକୁ ତୁହା ଭୂତାଣୁ ପଲଟଣ। ମଣିଷ ଜାତି ଉପରେ ଅଜଣା ଅଶୁଣା ନୂଆନୂଆ ରୋଗ ବିତ୍ପାତ ସୃଷ୍ଟି କରି ରଚିଛନ୍ତି ମୃତ୍ୟୁର ତାଣ୍ଡବ। ଏ ସମସ୍ତଙ୍କ ଲକ୍ଷ୍ୟ ଏକ ମିଳିତ ‘ଯୁଦ୍ଧଂ ଦେହି’ ଡାକରା ଦେଇ ବିଶ୍ୱରୁ ମଣିଷର ସତ୍ତା ଲୋପ କରିବା।
ଏମାନଙ୍କ ଯୋଜନାବଦ୍ଧ ବୈଜ୍ଞାନିକ ତଥା ଜୈବିକ ରଣନୀତି ମଧ୍ୟ ଚମତ୍କାର। ଅଧିକାଂଶ ପ୍ରଥମେ ପଶୁ, ପକ୍ଷୀ ଓ ମଣିଷଙ୍କ ଦେହରେ ସଂକ୍ରମଣ କରନ୍ତି, କିନ୍ତୁ ସେମାନଙ୍କ ଶରୀରରେ ତତ୍କାଳ କ୍ଷତି ନକରି କେବଳ ଯୁଦ୍ଧଶିବିର ସ୍ଥାପନ କରି ବଂଶବୃଦ୍ଧି କରନ୍ତି। କି ପ୍ରକାର ଉତ୍କଟ ଜୈବିକ ଅସ୍ତ୍ର ମାନବକୁ ସହଜରେ ନିପାତ କରିବା ଦରକାର ସେଇଠି ନିର୍ଣ୍ଣୟ କରନ୍ତି। ଏହାପରେ ନିଜ କୋଷ ମଧ୍ୟରେ ଜୈବିକ ଅସ୍ତ୍ର ଉତ୍ପାଦନ ଉଦ୍ଦେଶ୍ୟରେ ଆରମ୍ଭ କରନ୍ତି ମାରାତ୍ମକ କାୟା ପରିବର୍ତ୍ତନ (ଜେନେଟିକ୍‌ ରିକମ୍ବିନେସନ୍‌)ର କାର୍ଯ୍ୟକ୍ରମ। ଏଥିପାଇଁ ପକ୍ଷୀ, ପଶୁ ଓ ମଣିଷ ଦେହରେ ଥିବା ଭିନ୍ନଭିନ୍ନ ଭୂତାଣୁ ପରସ୍ପର ଶରୀର ଶିବିରକୁ ସଂକ୍ରମଣ କରି ନିଜନିଜ ମଧ୍ୟରେ ଜୀବସୂତ୍ର ଆଦାନ ପ୍ରଦାନ ପ୍ରକ୍ରିୟାରତ ହୁଅନ୍ତି। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେଲାପରେ ଏକ ନୂତନ ଭୂତାଣୁ ପ୍ରଜାତି ଉତ୍ପନ୍ନ ହୁଏ। ଏହାକୁ ନୋଭେଲ ଭାଇରସ୍‌ କୁହାଯାଏ। ଏହି ପ୍ରକ୍ରିୟାକୁ ‘ଆଣ୍ଟିଜେନିକ ସିଫ୍ଟ’ କୁହାଯାଏ। ଭୂତାଣୁକୋଷରେ ଏ ସମସ୍ତ ପରିବର୍ତ୍ତନ ପ୍ରକ୍ରିୟା ଏଭଳି ବୈଜ୍ଞାନିକ ପ୍ରକ୍ରିୟା ଓ ବିଧିବଦ୍ଧ ଭାବରେ ଘଟେ ଯେ ତାହାର ବୈଜ୍ଞାନିକ ନିରୀକ୍ଷଣ କଲେ ଭୂତାଣୁର ବୌଦ୍ଧିକ ଉତ୍କର୍ଷରେ ଆଶ୍ଚର୍ଯ୍ୟଚକିତ ହେବାକୁ ପଡ଼େ। ଯେହେତୁ ଏହି ନୋଭେଲ୍‌ ଭାଇରସ୍‌ ଦୁନିଆରେ ନୂଆ ଆବିର୍ଭୂତ ହୁଏ, ତା’ ପାଇଁ ଆମର କୌଣସି ଫଳପ୍ରଦ ଚିକିତ୍ସା ବା ପ୍ରତିଷେଧ ଟିକା ନଥାଏ। ମଣିଷ ଦେହରେ ମଧ୍ୟ ତା’ ବିରୋଧରେ ପ୍ରାକୃତିକ ପ୍ରତିରୋଧ ଶକ୍ତି ନଥାଏ। ଫଳରେ ଅସହାୟ ମଣିଷ ପାଇଁ ମୃତ୍ୟୁକୁ ଅପେକ୍ଷା କରିବା ଛଡ଼ା ଆଉ କିଛି ଉପାୟ ନଥାଏ। କୋଭିଡ୍-୧୯ ଏଭଳି ଏକ ସଂପୂର୍ଣ୍ଣ ନୂଆ ମାରାତ୍ମକ ନୋଭେଲ ଭୂତାଣୁ। ଏହା ପାଇଁ ଆମ ଚିକିତ୍ସା ବିଜ୍ଞାନରେ ନା ଅଛି ଔଷଧ ନା ଅଛି ପ୍ରତିଷେଧକ ଟିକା। ଅଛି କେବଳ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବାର ସୂତ୍ର। ତା’ ହେଲା, ରୋଗୀ ବା ସନ୍ଦିଗ୍ଧକୁ ସବୁପ୍ରକାର ସାମାଜିକ ମିଳାମିଶାଠୁ ପୃଥକ କରି ରଖିବାର ଏବଂ ହାତଧୋଇ, ମୁହଁରେ ମାସ୍କ ପିନ୍ଧି ସଂକ୍ରମଣ ହେବାର ବାଟକୁ ଅବରୋଧ କରିଦେବା।
ଶେଷରେ କରୋନା ଉପାଖ୍ୟାନର ସବୁଠୁ କୌତୂହଳୋଦ୍ଦୀପକ ଧାର୍ମିକ ବିଶ୍ୱାସ ଓ ଆଚରଣ କଥା ଆଲୋଚନା କରିବା। ସଇତାନ ବାରମ୍ବାର ନୂଆ ନୂଆ ରୋଗର ଭୂତାଣୁ ଜୀବାଣୁ ସୃଷ୍ଟିକରି ମୃତ୍ୟୁର ତାଣ୍ଡବ ରଚୁଥିଲେ ମଧ୍ୟ ଈଶ୍ୱରଙ୍କ ପାଖରୁ ମଣିଷ ଆରୋଗ୍ୟ ହେବାର ନିର୍ଭର ଆଶୀର୍ବାଦ କାହିଁକି ପାଇ ପାରୁନାହିଁ? ଏହାର ଉତ୍ତର ହେଲା- ଖାଦ୍ୟ, ପେୟ, ନିଶା, ପେଶା, ଆଳାପ, ଆଚରଣରେ ମଣିଷର ଅଭ୍ୟାସଗତ ଅସ୍ୱାସ୍ଥ୍ୟକର ନିକୃଷ୍ଟ ଜୀବନଯାପନ ଶୈଳୀ। ଏହା ମଣିଷ ଯେତେ ଶୀଘ୍ର ହୃଦୟଙ୍ଗମ କରିବ ସେତେ ଶୀଘ୍ର ବିଶ୍ୱ ଏଭଳି ମହାମାରୀରୁ ମୁକ୍ତିଲାଭ କରିବ।

Comments are closed.