କନ୍ନଡ଼ କବି ଚନ୍ଦ୍ରଶେଖର କମ୍ବରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ

0

ବୁର୍ଲା: କନ୍ନଡ଼ ସାହିତ୍ୟର ପ୍ରତିଷ୍ଠିତ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଚନ୍ଦ୍ରଶେଖର କମ୍ବର ୨୦୧୭ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁଆରୀ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସରେ ଶ୍ରୀ କମ୍ବରଙ୍କୁ ପୁରସ୍କାର ସ୍ୱରୂପ ନଗଦ ୫୦ ହଜାର ଟଙ୍କା, ପ୍ରଶସ୍ତି ପତ୍ର, ସ୍ମାରିକା ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି କୁଳସଚିବ ପ୍ରଫେସର ସଞ୍ଜତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଚନ୍ଦ୍ରଶେଖର କମ୍ବର ଜଣେ ସୁପ୍ରତିଷ୍ଠିତ କନ୍ନଡ଼ ଭାଷାର ପ୍ରତିଷ୍ଠିତ କବି। ସେ କନ୍ନଡ଼ ବିଶ୍ୱବିଦ୍ୟାଳୟ ହମ୍ପିର ପ୍ରତିଷ୍ଠାତା କୁଳପତି ଓ ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ। ସାହିତ୍ୟ ଏକାଡେମୀ, ଜନପଥ ପୁରସ୍କାର, ପଦ୍ମଶ୍ରୀ, କବୀର ସମ୍ମାନ, କାଳୀଦାସ ସମ୍ମାନ, ପମ୍ପା ପୁରସ୍କାର ସମେତ ୧୮ଟି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ମୁଗୁଲୁ(୧୯୫୮), ହେଲଟେନା କେଲା(୧୯୬୪), ତକରାରିନାବାରୁ(୧୯୭୧), ସାବିରଦା ନେରାଲୁ(୧୯୭୯), ଆଏଦା କାଭନାଗଲୁ(୧୯୮୦), ବେଲି ମିନୁ(୧୯୮୯), ଆକାକୁ ହାଦୁଗଲେ(୧୯୯୩), ଏଇଭାରେଗିନା ହେଲାଟିନା କେଲା(୧୯୯୩), ଚକୋରୀ(୧୯୯୬), ରମସ ଅଫ୍‍ ହାମ୍ପି (୨୦୦୪), ଏଲିଦେ ଶିବପୁରା(୨୦୦୯) ଆଦି କବିତା ରଚନା କରିଛନ୍ତି। ୨୬ଟି ନାଟକ, ୬ଟି ଉପନ୍ୟାସ ରଚନା କରିଛନ୍ତି। ୧୯୭୫ରେ ଶ୍ରୀ କମ୍ବାର ନାଟକ ପାଇଁ କମଲାଦେବୀ ଚଟ୍ଟୋପାଧ୍ୟାୟ ପୁରସ୍କାର ପାଇଛନ୍ତି। ୧୯୩୭ ମସିହା ଜାନୁଆରୀ ୨ ତାରିଖ କର୍ଣ୍ଣାଟକର ଘୋଦାଗେରୀ ବେଲଗାଭି ବମ୍ବେ ପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ ମସିହାରୁ ଭାରତୀୟ ଭାଷାର କବିତା ପାଇଁ ଅଦ୍ୟାବଧି ୨୬ ଜଣ ପ୍ରଖ୍ୟାତ କବି ଓ ଲେଖକ ଗଙ୍ଗାଧର ଜାତୀୟ ସମ୍ମାନ ପାଇଛନ୍ତି। ଅଲ୍ଲୀ ସର୍ଦାର ଜାଫ୍ରି, ଡ. ରମାକାନ୍ତ ରଥ, ଗୁଲଜାର, ପଦ୍ମଶ୍ରୀ ବଲରାଜ କୋମଲ, ନିରୁପମ କୌର, ବାସଦେବ ମୋହି, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୁରଜିତ ପଙ୍କର, ଶଙ୍ଖ ଘୋଷ, ଡ. ସୀତାକାନ୍ତ ମହାପାତ୍ର, ନୀଳମଣି ଫୁକନ, ଡ ଜୟନ୍ତ ମହାପାତ୍ର, କେ. ସଚ୍ଚିଦାନନ୍ଦନ, ଅୟପ୍ପା ପାନିକର, ଏଏମକେ ସାହରିଆର, ଦିଲୀପ ଚିତ୍ରେ, ଡ. ସୌଭାଗ୍ୟ କୁମାର ମିଶ୍ର, ସୁବୋଧ ସରକାର, ନବକାନ୍ତ ବରୁଆ, ଶକ୍ତି ଚଟ୍ଟୋପାଧ୍ୟାୟ, କେଦାରନାଥ ସିଂହ, ବିନ୍ଦା କାରିନ୍ଦିକର, ସୀତାଂଶୁ ୟସ ଚନ୍ଦ୍ର, ହରପ୍ରସାଦ ଦାସ, ୨୦୧୫ରେ ପଦ୍ମଶ୍ରୀ ଲୀଲାଧର ଜାଗୁଡ଼ି ଓ ୨୦୧୬ରେ କେ ଶିବା ରେଡ଼ୀଙ୍କୁ ଏହି ଗଙ୍ଗାଧର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

Leave A Reply