ଓଡ଼ିଆ ହକି ଖେଳାଳିଙ୍କ ଗାଥା ଓ କଥା: ’ହକି ହୈ ଜିନ୍ଦଗୀ’ ପୁସ୍ତକ ଲୋକାର୍ପିତ

0

ଭୁବନେଶ୍ୱର : ଓଡ଼ିଶା ହକି ଖେଳାଳିମାନଙ୍କ ଜୀବନ ଗୌରବ ଗାଥାକୁ ନେଇ କ୍ରୀଡ଼ା ସାମ୍ବାଦିକ ସତେନ୍ଦ୍ର ପାଲ ସିଂହଙ୍କ ଦ୍ୱାରା ରଚିତ ପୁସ୍ତକ ହକି ହୈ ଜିନ୍ଦଗୀ (ହକି ହେଉଛି ଜୀବନ) ପୁସ୍ତକ ଲୋକାର୍ପିତ ହୋଇଯାଇଛି। ନ୍ୟାସନାଲ ୟୁଥ୍‍ କୋଅପରେଟିଭ୍‍ ସୋସାଇଟି (ଏନ୍‍ୱାଇସିଏସ୍‍) ଦ୍ୱାରା ଶୁକ୍ରବାର ହୋଟେଲ କ୍ରାଉନ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଲିମ୍ପିଆନ ଲାଜରୁସ୍‍ ବାର୍ଲା, ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ, ଏନ୍‍ୱାଇସିଏସ୍‍ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ପାଣ୍ଡେ ପ୍ରମୁଖ ଯୋଗଦେଇ ସତେନ୍ଦ୍ର ପାଲ ସିଂହଙ୍କ ରଚିତ ପୁସ୍ତକ ହକି ହୈ ଜିନ୍ଦଗୀକୁ ଉନ୍ମୋଚିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ବିଶ୍ୱ ଦରବାରରେ ଓଡ଼ିଆ ଖେଳାଳିମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି। ସେମାନଙ୍କ ଉଦ୍ୟମ ଓ ପରାକାଷ୍ଠ ବଳରେ ସେମାନେ ଓଡ଼ିଶା ଓ ସାରା ଦେଶ ପାଇଁ ଗୌରବ ଆଣିଛନ୍ତି। ଗୋଟିଏ ପଟେ ହକି ବିଶ୍ୱକପ ଓଡ଼ିଶାରେ ହେଉଥିବାବେଳେ ହକି ହୈ ଜିନ୍ଦଗୀ ପୁସ୍ତକ ଓଡ଼ିଶାରେ ଲୋକାର୍ପିତ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ଏହି ପୁସ୍ତକ ଓଡ଼ିଆ ଓ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ମାଇକେଲ କିଣ୍ଡୋ ହୁଅନ୍ତୁ ବା ଦିଲୀପ ତିର୍କୀ, ଅବା ପ୍ରବୋଧ ତିର୍କୀ, ଦୁତି ଚାନ୍ଦ, ଇଗ୍ନେଶ ତିର୍କୀ, ଶ୍ରାବଣୀ ନନ୍ଦଙ୍କ ଭଳି ଖେଳାଳି ସାମାନ୍ୟ ଘରେ ଜନ୍ମ ନେଇ ମଧ୍ୟ ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣି ରାଜ୍ୟର ସୁନାମ ବଢାଇଛନ୍ତି। ସୁନ୍ଦରଗଡ ଜିଲା ଓଡ଼ିଶାର ହକି ପ୍ରାଣକେନ୍ଦ୍ର। ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଖେଳ ଅଭ୍ୟାସ ପାଇଁ ସୁବିଧା ଥିବା ବେଳେ ଜିଲା ତମାମ୍‍ ପିଲାମାନେ ବହୁ ଅସୁବିଧାକୁ ସାମ୍ନା କରି ଦେଶ ସାମ୍ନାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ମନପ୍ରୀତ ସିଂହ ଏକ ଚାଷୀ ପରିବାରରୁ ଆସି ଭାରତୀୟ ଦଳର ଅଧିନାୟକ ହୋ ଇପାରିଛନ୍ତି। ଚଳିତ ବିଶ୍ୱକପରେ ଭାରତ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଥିଲେ ମଧ୍ୟ ଖେଳ ଉଚ୍ଚମାନର ରହିଥିଲା। ଆଗାମୀ ବିଶ୍ୱକପରେ ଓଡ଼ିଆ ଅଧିନାୟକ ରହିବା ସହ ଭାରତ ବିଶ୍ୱକପର ଅଧିକାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଆଇନଜୀବୀ ତଥା ବିଜେତା ନେତା ପିତାମ୍ବର ଆଚାର୍ଯ୍ୟ, ସମୀର ମହାନ୍ତି, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସଙ୍କ ସମେତ ବହୁ ବିିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଏନ୍‍ୱାଇଏସ୍‍ସି ନିର୍ଦେଶକ ହିରଣ୍ୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply