ଓଲଟି ପଡ଼ିଥିବା ଟ୍ୟାଙ୍କରରୁ ତେଲ ଲୁଟିବା ପଡ଼ିଲା ମହଙ୍ଗା, ବିସ୍ଫୋରଣରେ ୫୮ ମୃତ

ନିଆମି : ପଶ୍ଚିମ ଆଫ୍ରିକା ଦେଶ ନାଇଜରର ରାଜଧାନୀ ନିଆମିରେ ରବିବାର ରାତିରେ ଦୁର୍ଘଟଣାଗ୍ରସ୍ତ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣରେ ଅନ୍ୟୁନ ୫୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୭ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ପାଖରେ ଥିବା ଗାଡ଼ି ଓ ବାଇକ୍‍ ଜଳିଯାଇଥିବାବେଳେ ବାସଗୃହମାନ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁସାରେ ନିଆମି ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏକ ତେଲ ଟ୍ୟାଙ୍କର ଟ୍ରେନ୍‍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକେ ସେଠାରେ ଏକାଠି ହୋଇ ତେଲ ଲୁଟି ନେଉଥିବା ସମୟରେ ହଠାତ ବିସ୍ଫୋରଣ ଘଟିଥିଲା। ଏଥିରେ ଅନ୍ୟୁନ ୫୮ ଜଣ ପ୍ରାଣ ହରାଇଛନ୍ତି ଓ ୩୭ ଆହତ ହୋଇଥିବା ନିଆମି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ନାଇଜର ରାଷ୍ଟ୍ରପତି ଇସୋଉଫୋଉ ମହମ୍ମଦ ଏହାକୁ ଜାତୀୟ ଶୋକ ଘୋଷଣା କରିଛନ୍ତି। ସେ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି।
ପ୍ରକାଶ ଯେ ୨୦୧୨ରେ ନାଇଜେରିଆରେ ଏକ ଅନୁରୂପ ଘଟଣା ଘଟିଥିଲା। ସେତେବେଳେ ୯୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା।

Comments are closed.