ଏ ସ୍ବୀକାରୋକ୍ତି ଯଥେଷ୍ଟ ନୁହେଁ

ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କର ରାଜନୈତିକ ବିପର୍ଯ୍ୟୟଜନିତ କାରଣଗୁଡ଼ିକୁ ନିଜନିଜର ଦଳୀୟ ମଞ୍ଚ କିମ୍ବା ସାଂଗଠନିକ ସ୍ତରରେ ସୀମିତ ରଖି ଲୋକଙ୍କୁ ଏ ବିଷୟରେ ଅବଗତ ନ’କରିବା ଅନୁଚିତ। ଜନତା ବା ଭୋଟର ହିଁ ରାଜନୈତିକ ଦଳଙ୍କ ଶକ୍ତି ଏବଂ ଜନାଦେଶର କାରଣ ନିର୍ଦ୍ଧାରଣବେଳେ ସବୁ ଦଳ ନିଜର ଜୟ ପରାଜୟର ଉଚିତ ଆକଳନ କରି ସେ ବିଷୟରେ ସର୍ବସାଧାରଣରେ ତଥ୍ୟ ରଖିବା ଆବଶ୍ୟକ। ମୋଦୀ ସୁନାମିରେ ବିପର୍ଯ୍ୟସ୍ତ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ ଓ ଏହା ନେତୃତ୍ବରେ ପରିଚାଳିତ ୟୁପିଏ ଏଥର ଲୋକସଭା ନିର୍ବାଚନରେ ଯେଉଁ ନୈରାଶ୍ୟଜନକ ପ୍ରଦର୍ଶନ କଲା ତାହାର ସମୀକ୍ଷା ଦଳର ସର୍ବୋଚ୍ଚ କାର୍ଯ୍ୟକାରିଣୀ ସିଡବ୍ଲ୍ୟୁସିରେ କରାଯାଇଛି। ତେବେ ଦଳୀୟ ବିପର୍ଯ୍ୟୟର କାରଣମାନ ବିଧିବଦ୍ଧ ଭାବେ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇନଥିଲେ ମଧ୍ୟ ଅଣ ଆନୁଷ୍ଠାନିକ ଭାବେ କିଛି ତଥ୍ୟ ପ୍ରଘଟ ହୋଇ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀରେ ଆଲୋଚିତ ତଥ୍ୟାବଳୀକୁ ପ୍ରକାଶ ନ’କରିବା ସପକ୍ଷରେ ଦଳର କିଛି ତୁଙ୍ଗନେତା ମତ ରଖିଛନ୍ତି; କିନ୍ତୁ ଏହା ଠିକ୍‌ ନୁହେଁ। ରାଜନୈତିକ ଦଳମାନେ ଜନତା ବା ଭୋଟରଙ୍କ ସହ ସମ୍ପୃକ୍ତ। ଅତଏବ ଗୋଟିଏ ଦଳ କିପରି ଚାଲିଛି ଓ ଏହାର ଗତିବିଧି କ’ଣ ତାହା ଲୋକେ ଜାଣିବା ଉଚିତ।
ବିଫଳତାର କାରଣ ଅନେକ ଥାଏ ଏବଂ ଦାୟିତ୍ବରେ ଥିବା କ୍ବଚିତ ବ୍ୟକ୍ତିବିଶେଷ ନିଜ ଉପରକୁ ଦୋଷ ନେଇଥାନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଦଳର ଯୁବ ସଭାପତି ରାହୁଳ ଗାନ୍ଧୀ ବରିଷ୍ଠ ନେତାମାନଙ୍କ ଅସହଯୋଗକୁ ଦାୟୀ କରିଛନ୍ତି। ବିଶେଷକରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‌, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ସେ ସିଧାସଳଖ ଦୋଷ ଦେଇଛନ୍ତି। ଏହି ତିନିନେତା ନିଜନିଜର ପୁତ୍ରମାନଙ୍କ ବିଜୟ ପାଇଁ ଏତେ ପରିମାଣରେ ବ୍ୟସ୍ତ ଥିଲେ ଯେ ସେମାନେ ଦଳ ପାଇଁ ଏବଂ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିବାକୁ ସମୟ ପାଇନଥିଲେ ବୋଲି ରାହୁଳ ଗାନ୍ଧୀ କହିଛନ୍ତି। ରାହୁଳଙ୍କ ଏହି ଟିପ୍ପଣୀ ଅମୂଳକ ନ’ହେଲେ ମଧ୍ୟ ଦଳର ବିପର୍ଯ୍ୟୟ ପାଇଁ ଏକମାତ୍ର କାରଣ ନୁହେଁ। ଦଳ ମଧ୍ୟରେ ଶୃଙ୍ଖଳା, ଅନୁଶାସନ, ସମନ୍ବୟ ଏବଂ ରଣନୀତିର ଯେ ଘୋର୍‌ ଅଭାବ ଥିଲା ସେ କଥା ସ୍ବୀକାର କରିବାକୁ ପଡ଼ିବ। ଏହି ନେତାତ୍ରୟ ନିଜନିଜର ପୁଅଙ୍କ ପାଇଁ ଟିକଟ ଦାବି କରିଥିଲେ ଏବଂ ନମିଳିଲେ ଦଳ ଛାଡ଼ିବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ରାହୁଳ ସ୍ବୀକାର କରିଛନ୍ତି। ନିର୍ବାଚନ ସମୟରେ ସ୍ବାର୍ଥନ୍ବେଷୀ ବରିଷ୍ଠ ନେତା ନେତୃତ୍ବକୁ ଅକଳରେ ପକାଇଥାନ୍ତି ଏବଂ ସେଥିପାଇଁ ରାହୁଳ ହୁଏତ ସେମାନଙ୍କ ଚାପ ଆଗରେ ମୁଣ୍ଡ ନୋଇଁବାକୁ ବାଧ୍ୟ ହୋଇପାରିଥାନ୍ତି। ହେଲେ କଂଗ୍ରେସରେ କ’ଣ ପରିବାରବାଦ ଓ ସ୍ବାର୍ଥନ୍ବେଷୀ ରାଜନୀତି ନୂଆ କଥା ?
କମଳନାଥ ଓ ଅଶୋକ ଗେହେଲୋତ ଆଦିଙ୍କୁ ମୁଖ୍ୟମନ୍ତ୍ରୀ କରିବାବେଳେ ରାହୁଳ ଦଳୀୟ ବିଧାୟକ ଓ ପ୍ରକୃତ ପରିଶ୍ରମୀ ନେତାଙ୍କ ପ୍ରତିବାଦ ଶୁଣିନଥିଲେ। ଏବେ ସେମାନଙ୍କ ବିଫଳତା ପାଇଁ ବାହୁନିବା ଓ ଅନ୍ୟକୁ ଦୋଷଦେବା ଅପେକ୍ଷା ନିଜକୁ ଦୋଷୀ କରିବା ଉଚିତ। ଏହିଭଳି ସୁବିଧାବାଦୀ ନେତାମାନଙ୍କ ପାଇଁ କଂଗ୍ରେସର ଆଜି ଏ ଅବସ୍ଥା। ଏବେ ସେମାନଙ୍କୁ ହଟାଇ ରାହୁଳ କଂଗ୍ରେସର ପୁନର୍ଗଠନ କରିପାରିବେ ତ ? ସେ ନିଜେ ଆମେଠିରୁ ଦୀର୍ଘକାଳ ସାଂସଦ ଥିଲେ। ଭଉଣୀ ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ସାଂଗଠନିକ ଦାୟିତ୍ବ ଦେଇଥିଲେ। ତାଙ୍କୁ କି ଫଳ ମିଳିଲା ? ସମଗ୍ର ରାଜ୍ୟରୁ ଦଳକୁ ଗୋଟିଏ ଆସନ ମିଳିବାବେଳେ ସେ ନିଜେ ହାରିଗଲେ। ଦଳର ସ୍ଥିତି ନେଇ ରାହୁଳ ଗାନ୍ଧୀ ଯାହାସବୁ କହୁଛନ୍ତି ତା’ ଠିକ୍‌। ଦଳର ଦୁର୍ବଳତା ସେ ଜାଣିପାରିଲେଣି ଏବଂ ଗାନ୍ଧୀ-ନେହେରୁ ପରିବାର ଆଉ କଂଗ୍ରେସକୁ ନେତୃତ୍ବ ନେଇପାରିବ ନାହିଁ ବୋଲି ମଧ୍ୟ ସ୍ବୀକାର କଲେଣି। ହେଲେ ଏହି ସ୍ବୀକାରୋକ୍ତି ଯଥେଷ୍ଟ ନୁହେଁ। ସେ ଦେଶର ଏହି ସର୍ବ ପୁରାତନ ଦଳର ପୁନଃନିର୍ମାଣ କରି ଏହାକୁ ବିଜେପିର ଦାୟିତ୍ବ ବିକଳ୍ପରେ ପରିଣତ କରିପାରିବେ ତ? ଏବେ ଦେଖିବା ରାହୁଳ କଂଗ୍ରେସ ସଂଗଠନରେ ବି ସଂସ୍କାର ଓ ପରିବର୍ତ୍ତନ ଆଣୁଛନ୍ତି। ପ୍ରଥମେ ସେ ନିଜଠୁ ପରିବର୍ତ୍ତନ ଆରମ୍ଭ କରନ୍ତୁ।

Comments are closed.