ଏସ୍‌ସିଏସ୍‌ଟି ଆଇନ : ଅଧ୍ୟାଦେଶ ଆଣିପାରେ କେନ୍ଦ୍ର

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟ ପ୍ରତ୍ୟାହାର ପାଇଁ ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ବିଚାର କରୁଛି । ସୁପ୍ରିମକୋର୍ଟଙ୍କ ରାୟ ଉକ୍ତ ଆଇନର ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏସସି/ଏସଟି ଆଇନରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥାପକ ମାଧ୍ୟମରେ ଏଥିରେ ସଂଶୋଧନ ଆଣିଛନ୍ତି ବୋଲି କୁହାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ୧୯୮୯ରେ ସଂଶୋଧନ ପାଇଁ ଆସନ୍ତା ଜୁଲାଇରେ ସଂସଦର ମୌସୁମୀ ଅଧିବେଶନରେ ଏକ୍‌ ବିଧେୟକ ଅଣାଯିବ । ଏହି ବିଧେୟକ ଅନୁସାରେ ଏସ୍‌ସି/ଏସ୍‌ଟି ଆଇନରେ କୌଣସି ସଂଶୋଧନ ପାଇଁ ସଂସଦରେ ବିଲ୍‌ ପାରିତ କରିବାକୁ ପଡ଼ିବ । ଏହି ଆଇନର ପ୍ରକୃତ ପ୍ରବାଧାନଗୁଡ଼ିକୁ ପୁନଃ ଲାଗୁ କରିବା ପାଇଁ ପ୍ରୟାସ କରାଯିବ । ଦଳିତଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ବିଜେପି ସରକାର ଜରୁରୀକାଳୀନ ଭାବେ ଏହି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି । ଏସସି/ଏସଟି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପୂର୍ବରୁ ସରକାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଏସସି/ଏସଟି ଆଇନର ଦୁରୁପଯୋଗ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ସେହିପରି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାର ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନରେ କୌଣସି ପ୍ରକାର କଟକଣା ରହିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏପ୍ରିଲ ୨ରେ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଏହି ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply