ଏଚ-୧ବି ଭିସାଧାରୀଙ୍କ ପତ୍ନୀଙ୍କୁ ଆମେରିକାରେ ଚାକିରି ମନା ପ୍ରଭାବିତ ହେବେ ୧ଲକ୍ଷ ଭାରତୀୟ ମହିଳା

0

ୱାଶିଂଟନ: ଆମେରିକାରେ ଚାକିରି କରିଥିବା ଏଚ-୧ବି ଭିସାଧାରୀ ଭାରତୀୟଙ୍କ ପତ୍ନୀମାନେ ଏଣିକି ରୋଜଗାର ପନ୍ଥା ହରାଇବେ। ଆମେରିକାରେ ସ୍ୱାମୀଙ୍କ ପାଖରେ ରହିବା ସହିତ ଛୋଟମୋଟ ରୋଜଗାର କିମ୍ବା ଚାକିରି କରି ପତ୍ନୀମାନେ ଅତିରିକ୍ତ ଅର୍ଥ ରୋଜଗାର କରୁଥିଲେ। ତେବେ ଭାରତୀୟଙ୍କ ପତ୍ନୀମାନେ ଏଣିକି ଆଉ ଆମେରିକାରେ ଚାକିରି କିମ୍ବା ଅନ୍ୟ ରୋଜଗାର ପନ୍ଥା ଅବଲମ୍ବନ କରିପାରିବେ ନାହିଁ। ଆମେରିକା ପ୍ରଶାସନ ଏହା ଉପରେ କଟକଣା ଲଗାଇବାକୁ ଯାଉଛନ୍ତି। ଏହାଦ୍ୱାରା ଏକଲକ୍ଷ ଭାରତୀୟଙ୍କ ପତ୍ନୀ ପ୍ରଭାବିତ ହେବେ। ଭାରତୀୟ ପତ୍ନୀମାନଙ୍କୁ ଯଦି ଆମେରିକାରେ ରୋଜଗାର କିମ୍ବା ଚାକିରି କରିବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ଅନୁମତି ନେବାକୁ ପଡିବ। ଆମେରିକୀୟଙ୍କୁ ପ୍ରାଧାନ୍ୟ ଦେବା ପୂର୍ବକ ନୀତିକୁ ଆପଣାଇବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ନିଷ୍ପତ୍ତି ନେଇଥିଲେ। ଆମେରିକାରେ ରହି ଚାକିରି କରୁଥିବା ଭାରତୀୟମାନେ ସାଧାରଣତଃ ଏଚ-୧ବି ଭିସା ଧାରଣ କରିଥାନ୍ତି। ସାଧାରଣତଃ ଭାରତୀୟଙ୍କ ପତ୍ନୀମାନେ ଆମେରିକାରେ ଟୁ୍ୟସନ, ଯୋଗ କ୍ଲାସ, ନୃତ୍ୟ କ୍ଲାସ, ଭାରତୀୟ ଖାଦ୍ୟ ପ୍ରସ୍ତୁତ କରି ନିକଟସ୍ଥ ଅଫିସରେ କ୍ୟାଟରିଂ କରିବା କିମ୍ବା ଛୋଟମୋଟ ଚାକିରି କରିଥାନ୍ତି। ଆଗାମୀ ଦିନରେ ଭାରତୀୟ ପତ୍ନୀମାନେ ଆମେରିକାରେ ଏସବୁ କରିପାରିବେ ନାହିଁ। ଭାରତୀୟ ପତ୍ନୀମାନଙ୍କୁ ଆମେରିକାରେ ରହିବା ଲାଗି ଏଚ-୪ ଭିସା ଦିଆଯାଇଥାଏ। ଏହି ଭିସାଧାରୀମାନଙ୍କର ଆମେରିକାରେ କାମ କରିବାର ଅଧିକାର ନାହିଁ। ୨୦୧୫ରେ ବରାକ ଓବାମାଙ୍କ ଶାସନ ସମୟରେ ଏହି ଏଚ-୪ ଭିସାଧାରୀଙ୍କୁ ନିଯୁକ୍ତିର ସୁବିଧା ପ୍ରଦାନ କରାଯାଇଥିଲା। ଏବେ ଟ୍ରମ୍ପ ପ୍ରଶାସନ ଏହାକୁ ହଟାଇନେବାକୁ ଯାଉଛନ୍ତି। ଏପରି କି ଆଗାମୀ ଦିନରେ ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ଉପରେ ମଧ୍ୟ କଟକଣା ଲାଗୁ କରିବାର ଆଶଙ୍କା ରହିଛି।

Leave A Reply