ଆରବିଆଇରେ ଲାଗୁ ହୋଇପାରେ ଧାରା ୭

0

ନୂଆଦିଲ୍ଳୀ: ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସର୍ବୋଚ୍ଚ ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭାରତର ଅର୍ଥ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତି ନିବେଶକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଆଇନ୍‍ ୧୯୩୪ର ଧାରା ୭ ଲାଗୁ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ରିଜର୍ଭ ବ୍ୟାଙ୍କ ଏକ ସ୍ୱାଧୀନ ସଂସ୍ଥା ହୋଇଥିବାରୁ ପରିଚାଳନା ଓ ନୀତିଗତ ନିଷ୍ପତ୍ତିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରୁନାହାନ୍ତି। କିନ୍ତୁ ଧାରା ୭ ଲାଗୁ ହେଲେ ରିଜର୍ଭ ବ୍ୟାଙ୍କର ନୀତି, ନିଷ୍ପତ୍ତି, ପରିଚାଳନା ଓ କାର୍ଯ୍ୟକାରିତାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ। ତେବେ ଏହା ଉପରେ ଏବେ ବିଚାର ବିମର୍ଶ ସ୍ତରରେ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଯଦି କେନ୍ଦ୍ର ସରକାର ଧାରା ୭ ଲାଗୁ କରନ୍ତି ତେବେ ୮୩ ବର୍ଷର ଭାରତୀୟ ରିଜର୍ଭ ବ୍ୟାଙ୍କ ଇତିହାସରେ ଏହା ପ୍ରଥମ ହେବ ବୋଲି କୁହାଯାଉଛି। ଦେଶର ଅର୍ଥନୀତିକୁ ଅଧିକ ନମନୀୟ କରିବା, ଅଭିବୃଦ୍ଧି ଓ ବ୍ୟାଙ୍କ ଉପରେ ଚାପ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଧାରା ୭ ଲାଗୁ କରିପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅବଶ୍ୟ ଏହି ଧାରା ଲାଗୁ ହେଲେ ରିଜର୍ଭ ବ୍ୟାଙ୍କ ଉପରେ ସରକାରୀ ଆଧିପତ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସରକାରୀ ଇଚ୍ଛା କାର୍ଯ୍ୟକାରୀ ହେଲେ ଆରବିଆଇର ସ୍ୱାଧୀନତା ଲୋପ ପାଇବ ବୋଲି ପରୋକ୍ଷରେ ଆରବିଆଇର ଡେପୁଟି ଗଭର୍ଣ୍ଣର ବିରାଳ ଆଚାର୍ଯ୍ୟ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏନପିଏ ବୃଦ୍ଧି ପାଇଁ ଆରବିଆଇକୁ ଦୋଶ ଦେଇଛନ୍ତି।

Leave A Reply