ଆଣ୍ଡାମାନ-ନକୋବର ତିନି ଦ୍ବୀପର ନୂଆ ନାଁ ଘୋଷଣା

0

ପୋର୍ଟ ବ୍ଲେୟାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆଣ୍ଡାମାନ-ନକୋବର ଗସ୍ତରେ ଯାଇଛନ୍ତି। ମୋଦୀ ଏହାର ତିନି ଦ୍ବୀପକୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିବା ସହ ସ୍ମାରକୀ ଡାକ ଟିକଟ ଓ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ନେତାଜୀ ଏଠାରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବାର ୭୫ତମ ବାର୍ଷିକୀ ପାଳନ ଉପଲକ୍ଷେ ମୋଦୀ ଏଠାକାର ରୋଜ୍‌ ଦ୍ବୀପର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ’ ରଖିଛନ୍ତି। ଏହାବ୍ୟତୀତ ନେଲ୍‌ ଦ୍ବୀପର ନୂଆ ନାମ ‘ସହିଦ ଦ୍ବୀପ’ ଓ ହାଭ୍‌ଲକ୍‌ ଦ୍ବୀପର ନାମ ‘ସ୍ବରାଜ ଦ୍ବୀପ’ ରଖାଯାଇଛି। କାର୍‌ ନିକୋବର ଦ୍ବୀପରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୋଦୀ ତିନି ଦ୍ବୀପର ନୂଆ ନାମ ଘୋଷଣା କରିଛନ୍ତି। ପୁନଶ୍ଚ ମୋଦୀ ଏଠାରେ ନେତାଜୀଙ୍କ ନାମରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରିଛନ୍ତି। ମୋଦୀ ପୋର୍ଟ ବ୍ଲେୟାରରେ ପହଞ୍ଚିବା ପୂର୍ବରୁ ମାରିନା ପାର୍କରେ ୧୫୦ ଫୁଟ ଉଚ୍ଚର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାଛଡ଼ା ପାର୍କରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Leave A Reply