ଆଜି ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ

ଆଜି ରାଜ୍ୟରେ ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଶେଷ ପର୍ଯ୍ୟାୟରେ ଉପକୂଳ ଅଞ୍ଚଳର ଛ’ଟି ଲୋକସଭା ଏବଂ ତତ୍‌ସଂଲଗ୍ନ ୪୧ଟି ବିଧାନସଭାରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏଥିସହିତ ଏକମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଆସିଥିବା ପ୍ରଚାର, ସଭାସମିତି ଓ Ñଲି ବନ୍ଦ ହେବା ସହ ପରିବେଶ ଏବଂ ପରିସ୍ଥିତି ସ୍ବାଭାବିକ ହେଉଛି। ମଇ ୧୯ରେ ପାଟକୁରା ଆସନରେ ଶେଷ ଭୋଟଦାନ ହେବ। ତାହା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ଥିଲା। ତେବେ ସେଠାରେ ବିଜେପିର ବିଜୟ ମହାପାତ୍ର ଲଢ଼ୁଥିବାରୁ ଶାସକଦଳର ଏହି ଆସନ ଉପରେ ତୀକ୍ଷ୍‌ଣ ନଜର ରହିବ; କାରଣ ଏହି ନେତା ଜଣକଙ୍କ ସହ ବିଜେଡି ମୁଖିଆଙ୍କ ବ୍ୟକ୍ତିଗତ ସମ୍ପର୍କ ଓ ରାଜନୈତିକ ରସାୟନ ଭଲ ନୁହେଁ। ଦୀର୍ଘ ୨୦ବର୍ଷ ଧରି ବିଧାନସଭା ବାହାରେ ରହିଥିବା ବିଜୟଙ୍କ ପାଇଁ ଏହା ବୋଧହୁଏ ଶେଷ ଲଢ଼େଇ ବ୍ୟବସ୍ଥାପକ ସଭାକୁ ଆସିବା ପାଇଁ। ସମୟ କହିବ ସେଠାରୁ କାହାର ଜିତାପଟ ହେବ।
ସମଗ୍ର ଉପକୂଳ ଓଡ଼ିଶା ବିଜେଡିର ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହୋଇ ଆସୁଥିଲେ ମଧ୍ୟ ଏଥର ଶାସକଦଳ କେତେକ ସ୍ଥାନରେ ଭୋଟରଙ୍କ ଦ୍ବାରା ସତ୍ତାବିରୋଧୀ ମନୋଭାବର ସମ୍ମୁଖୀନ। ଏହାକୁ ପ୍ରତିହତ କରିବା ପାଇଁ ବିଜେଡି ମୁଖିଆ ଆରମ୍ଭରୁ ପ୍ରାର୍ଥୀ ଅଦଳବଦଳ କରିବା ସହ ବ୍ୟକ୍ତିଗତ ଭାବେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀ ବୁଲିଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ସେ ପ୍ରଥମଥର ପାଇଁ ସବୁଠାରୁ ଅଧିକ ବ୍ୟକ୍ତିଗତ ପରିଶ୍ରମ କରି ଦଳକୁ ପୁନର୍ବାର ବିଜୟୀ କରାଇବାକୁ ଉଦ୍ୟମ କରିଛନ୍ତି। ଏହାର କାରଣ ସ୍ପଷ୍ଟ। ଦୀର୍ଘଦିନର ଶାସନଜନିତ ଭୋଟରଙ୍କ ସମ୍ଭାବ୍ୟ ଅନାଗ୍ରହ ଓ ଅସନ୍ତୋଷ ଦୂର କରିବା ଏବଂ ବିଜେପି ଭଳି ବିକଳ୍ପ ବିରୋଧୀ ରାଜନୈତିକ ଦଳର ପ୍ରଭାବ ରାଜ୍ୟରେ ବଢ଼ିବା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ଓଡ଼ିଶାରେ ଏଥର ଯେପରି ପ୍ରଚାରରେ ସାମିଲ ହୋଇଛନ୍ତି ତାହା ଅଭୂତପୂର୍ବ। ତେଣୁ ସମଗ୍ର ମିଳିତ ବିରୋଧୀ ଶକ୍ତିକୁ ନବୀନବାବୁ କିପରି ଏକା ପ୍ରତିହତ କରୁଛନ୍ତି ତାହା ଜନାଦେଶରୁ ଜଣାପଡ଼ିବ।
ଏ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟର ତିନିପର୍ଯ୍ୟାୟ ନିର୍ବାଚନରେ ଭୋଟହାର ସେତେ ଉଲ୍ଲେଖନୀୟ ହୋଇନାହିଁ; ବିଶେଷକରି ସଚେତନ ଲୋକ ଅଧିକ ବସବାସ କରୁଥିବା ସହରାଞ୍ଚଳରେ କମ୍‌ ଲୋକ ଭୋଟ ଦେଇଛନ୍ତି। ନିର୍ଦିଷ୍ଟ ପ୍ରସଙ୍ଗର ଅଭାବ ଯୋଗୁଁ ସଚେତନ ଭୋଟର ମତଦାନ କରିବାକୁ ଅନାଗ୍ରହୀ ହେଉଥିବା କୁହାଯାଉଥିବାବେଳେ କେତେକ ଏହି ସ୍ବଳ୍ପ ଭୋଟହାରକୁ ସତ୍ତା ସପକ୍ଷବାଦୀ ମତଦାନ ବୋଲି ଚିତ୍ରଣ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଲା ସରକାରକୁ ଲୋକେ ବଦଳାଇବାକୁ ନିଷ୍ପତ୍ତି ନେଲେ ଅଧିକ ସଂଖ୍ୟାରେ ଭୋଟ ଦେଇଥାନ୍ତି। ତେଣୁ ଏମାନେ ମତ ଦିଅନ୍ତି ନବୀନବାବୁ ପୁନର୍ବାର ନିର୍ବାଚିତ ହେବେ। ଏହା ଏକ ଅନୁମାନ ଏବଂ ଏହା ଗାଣିତିକ ନିର୍ବାଚନ ସିଦ୍ଧାନ୍ତ ନୁହେଁ। ଆଉ କେତେକଙ୍କ ମତରେ ଏଥର କେନ୍ଦ୍ର ସରକାର, ବିଶେଷକରି ମୋଦୀଙ୍କ ପ୍ରତି ଭୋଟରଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି ଏବଂ ଲୋକସଭା ନିର୍ବାଚନ ପାଇଁ ଭୋଟର ବିଜେପିକୁ ଅଧିକ ଭୋଟ ଦେବେ ତଥା ପ୍ରାଦେଶିକ ପ୍ରସଙ୍ଗ ଓ ସ୍ଥାନୀୟ ସମସ୍ୟାବଳିକୁ ଦେଖି ବିଧାୟକ ନିର୍ବାଚନ କରିବେ। ଏହା ମଧ୍ୟ ଏକ ଆପେକ୍ଷିକ ସତ୍ୟ ଯାହାକୁ ସମ୍ପୂର୍ଣ୍ଣ ଠିକ୍‌ କୁହାଯାଇନ’ପାରେ। ଓଡ଼ିଶାର ଭୋଟର ସେମାନଙ୍କର ପରିପକ୍ବତା ଏକାଧିକବାର ପ୍ରମାଣିତ କରି​‌ସାରିଛନ୍ତି ଏବଂ ସେମାନଙ୍କ ନିର୍ଣ୍ଣୟକୁ ଅନୁମାନ ମଧ୍ୟରେ ସୀମିତ ରଖିବା ସହଜ ନୁହେଁ। ଅନୁଭୂତି କହୁଛି ଯେ ବେଶ୍‌ ଦୀର୍ଘକାଳ ଧରି ଓଡ଼ିଶା ଭୋଟର ନିର୍ଣ୍ଣାୟକ ରାୟ ଦେଇଆସୁଛନ୍ତି ଏବଂ ଯେଉଁ ଦଳ ବା ମେଣ୍ଟକୁ ସେମାନେ ଜିତାଉଛନ୍ତି ସେମାନଙ୍କ ସପକ୍ଷରେ ବିପୁଳ ମତଦାନ କରୁଛନ୍ତି। ଦୀର୍ଘକାଳ ଧରି ରାଜ୍ୟରେ ଜନାଦେଶ ବିଖଣ୍ଡିତ ହୋଇନାହିଁ କିମ୍ବା ଝୁଲା ବିଧାନସଭା ଗଠିତ ହୋଇନି। ତେଣୁ ଏଥର ମଧ୍ୟ ରାଜ୍ୟରେ ବିଖଣ୍ଡିତ ମତଦାନ ସମ୍ଭାବନା କ୍ଷୀଣ ମନେହୁଏ ଏବଂ ଲୋକେ ଯେଉଁ ଦଳକୁ ଭୋଟ ଦେବେ ତାହା ସ୍ପଷ୍ଟ ଏବଂ ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଏ।
ତେଣୁ ଫଳାଫଳ ପାଇଁ ମେ’ ୨୩କୁ ଅପେକ୍ଷା କରିବାକୁ ପଡ଼ିବ। ଦେଖିବାକୁ ହେବ ବିଜେଡି ଜିତୁଛି ନା ବିଜେପି ଜିତୁଛି, ଅଥବା ଭୋଟର ଉଭୟଙ୍କୁ ଲୋକସଭା ଓ ବିଧାନସଭା ଆଧାରରେ ଭୋଟ ଦେଇ ସନ୍ତୁଷ୍ଟ କରୁଛନ୍ତି ନା ଅନ୍ୟକୌଣସି ଚମତ୍କାରିତା ଦେଖାଉଛନ୍ତି। ଯେଉଁ ପ୍ରତିବଦ୍ଧତା ଓ ପ୍ରୟାସ ସହ କଂଗ୍ରେସ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା ତାହା ଦଳର ନେତୃବୃନ୍ଦଙ୍କ ବିଫଳତା ଯୋଗୁଁ ସ୍ବଳ୍ପଦିନରେ ଉଭେଇଗଲା। ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ସାରା ରାଜ୍ୟରେ ହେବାର ସମ୍ଭାବନା ପ୍ରାୟ ଦିଶୁନି ଏବଂ ଅଳ୍ପ କେତେକ ଆସନ ଛାଡ଼ିଦେଲେ ଏବେ ଅଧିକାଂଶ ସ୍ଥାନରେ ବିଜେଡି-ବିଜେପି ଲଢ଼େଇ ହୋଇଛି। ଏଭଳି ସ୍ଥିତି ଭୋଟ ବିଭାଜନ ସମ୍ଭାବନା କ୍ଷୀଣ। ଏହି ଦ୍ବିମୁଖୀ ଲଢ଼େଇରେ କିଏ ଭୋଟରଙ୍କ ଜୟମାଲ୍ୟ ପିନ୍ଧୁଛି ଏବଂ ଓଡ଼ିଶା ଓ ଦେଶର ରାଜନୀତି କୁଆଡ଼େ ଯାଉଛି ତାହାର ପରବର୍ତ୍ତୀ ଅଧ୍ୟାୟକୁ ଏବେ ଅପେକ୍ଷା।

Comments are closed.