ଆଇଆଇଟି ଛାତ୍ରଙ୍କ କମାଲ, ୧୮ ମିନିଟରେ ୩୨ କିମି ଦୂରରୁ ରକ୍ତ ନମୁନା ଆଣି ପହଞ୍ଚିଲା ଡ୍ରୋନ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଟେଲି ମେଡିସିନ ସେବା ୫୫୫ର ସଫଳତା ପରେ ଏବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଡାକ୍ତରଖାନାରୁ ପରୀକ୍ଷାଗାର ପର୍ଯ୍ୟନ୍ତ ଡ୍ରୋନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ସିଡି ସ୍ପେସ୍‍ ରୋବୋଟିକ୍ସ କମ୍ପାନୀ ପକ୍ଷରୁ ଗୁରୁବାର ଡ୍ରୋନ ମାଧ୍ୟମରେ ପରୀକ୍ଷାଗାରକୁ ରକ୍ତ ନମୁନା ପଠାଯିବାର ଡେମୋ ପ୍ରଦର୍ଶନ କରାଯାଇଥିଲା। ଡ୍ରୋନ୍‍ ମାତ୍ର ୧୮ ମିନିଟରେ ୩୨ କିଲୋମିଟର ଦୂର ନନ୍ଦପ୍ରୟାଗରୁ ରକ୍ତ ନମୁନା ନେଇ ଜିଲା ହସ୍ପିଟାଲରେ ପହଞ୍ଚିଥିଲା।
ଡାକ୍ତରଖାନାରେ ପହଞ୍ଚିବାରେ ଅସମର୍ଥ ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ ୫୫୫ ଟେଲି ମେଡିସିନ ସେବା ବହୁ ଉପକାରୀ ସାବ୍ୟସ୍ତ ହେଉଛି। ଏଭଳି ରୋଗୀଙ୍କ ସହାୟତା ପାଇଁ ସିଡି ସ୍ପେସ ରୋବୋଟିକ୍ସ କମ୍ପାନୀ ଡ୍ରୋନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଅନୁଯାୟୀ ପିଏଚ୍‍ସି ଏବଂ ସିଏଚ୍‍ସିରେ ଆସୁଥିବା ରୋଗୀଙ୍କ ରକ୍ତ ଏବଂ ମଳ, ମୂତ୍ରର ନମୁନା ପରୀକ୍ଷା ପାଇଁ ଡ୍ରୋନ ମାଧ୍ୟମରେ ଜିଲା ହସ୍ପିଟାଲକୁ ପଠାଯିବ। ଫଳରେ ଦୂର, ଦୂରାନ୍ତର ଲୋକଙ୍କୁ ଆଉ ଜିଲା ହସ୍ପିଟାଲର ଚକ୍କର କାଟିବାକୁ ପଡ଼ିବ ନାହିଁ।

ସିଡି ସ୍ପେସ ରୋବୋଟିକ୍ସ କମ୍ପାନୀ ପାଇଁ ଆଇଆଇଟି କାନପୁର ଛାତ୍ର ଏହି ଡ୍ରୋନ୍‍ ତିଆରି କରିଛନ୍ତି। ଟେଲି ମେଡିସିନ ସେବା ସହ ଏହାକୁ ଯୋଡ଼ିବାକୁ ପ୍ରସ୍ତାବ ରଖାଯାଇଛି। ଆଇଆଇଟି କାନପୁର ଗ୍ରାଜୁଏଟ ତଥା ଡ୍ରୋନ୍‍ ଟିମ ଲିଡର ନିଖିଲ ଉପାଧ୍ୟାୟ କହିଛନ୍ତି ଯେ ଏହି ଡ୍ରୋନ ଭାରତରେ ବିକଶିତ ହୋଇଛି। ପ୍ରଥମ ଥର ଏହି ଡ୍ରୋନ ସେବାର ପ୍ରଦର୍ଶନ କରାଯାଇଛି। ଡ୍ରୋନର ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ହେବ। ଏହି ଡ୍ରୋନକୁ କୌଣସି ବି ସ୍ଥାନରୁ ଉଡ଼ାଣ ଓ ଅବତରଣ କରିହେବ। ଏହି ଡ୍ରୋନର ଉଡ଼ାଣ କ୍ଷମତା ୫୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଇଲେକ୍ଟ୍ରିକ ଶକ୍ତି ସଂଚାଳିତ ଏହି ଡ୍ରୋନ ୪୦୦ ଗ୍ରାମ ପର୍ଯ୍ୟନ୍ତ ଭାର ବୋହିପାରିବ।

Comments are closed.